ଗୋଟିଏ ନିଷ୍ପତ୍ତି ଉପରେ ନିର୍ଭର କରେ ଦୁଇ ଖେଳାଳିଙ୍କ ଟେଷ୍ଟ କ୍ୟାରିୟର, ଧର୍ମ ସଙ୍କଟରେ କୋଚ୍ ରାହୁଲ ଦ୍ରାବିଡ !
25/02/2023 at 5:45 PM

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ତୃତୀୟ ମୁକାବିଲା ମାର୍ଚ୍ଚ ୧ରୁ ଇନ୍ଦୋରରେ ଖେଳାଯିବ। ଏହି ମ୍ୟାଚ୍ ଅଷ୍ଟ୍ରେଲିଆ ପାଇଁ ଯେତିକି ଗୁରୁତ୍ଵପୂର୍ଣ୍ଣ ତାଠୁ ଅଧିକ ଗୁରୁତ୍ଵ ଭାରତ ପାଇଁ ରହିଛି। ଏହି ମୁକାବିଲା ଜିତି ଭାରତ ବର୍ଡର-ଗାଭାସ୍କର ଟ୍ରଫି ହାତେଇବା ସହ ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ ପାଇଁ ଟିକଟ୍ ହାସଲ କରିବାକୁ ଚେଷ୍ଟା କରିବ। ମ୍ୟାଚ୍ରେ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ ଉପରେ ସଭିଙ୍କ ନଜର ରହିବ। କାରଣ ତାଙ୍କର ଗୋଟିଏ ନିଷ୍ପତ୍ତି ଦୁଇ ଖେଳାଳିଙ୍କ ଭାଗ୍ୟ ନିର୍ଦ୍ଧାରଣ କରିପାରେ।

ଇନ୍ଦୋରର ହୋଲକର ଷ୍ଟାଡିୟମରେ ଟେଷ୍ଟ ଶୃଙ୍ଖଳାର ତୃତୀୟ ମୟାଚ୍ ଖେଳାଯିବ। ଲଗାତାର ଦୁଇଟି ଶୋଚନୀୟ ପରାଜୟ ପରେ ଏହି ମୁକାବିଲା ଅଷ୍ଟ୍ରେଲିଆ ପାଇଁ କର ବା ମର ପାଲଟିଛି। ଭାରତୀୟ ଦଳ ତୃତୀୟ ମ୍ୟାଚ୍ ଜିତି ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ଟିକେଟ୍ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛି। ଏହି ମୁକାବିଲାରେ ଭାରତୀୟ ଦଳ ଚୂଡାନ୍ତ ଏକାଦଶକୁ ନେଇ ଚର୍ଚ୍ଚା ଖୁବ୍ ଚାଲିଛି।
ତୃତୀୟ ଟେଷ୍ଟ ପୂର୍ବରୁ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ସାମ୍ନାରେ ଗୋଟିଏ ବଡ ପ୍ରଶ୍ନ ରହିଛି। ପ୍ରଥମ ଦୁଇଟି ଟେଷ୍ଟ ଖେଳିଥିବା ଓ୍ଵିକେଟ୍ କିପର ବ୍ୟାଟର କେଏସ ଭରତଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ଦିଆଯିବ ନା ଇଶାନ କିଷନଙ୍କୁ ଟେଷ୍ଟରେ ପଦାର୍ପଣ କରିବାର ସୁଯୋଗ ମିଳିବ। ଭରତ ନାଗପୁର ଏବଂ ଦିଲ୍ଲୀରେ ପ୍ରଥମ ଇନିଂସରେ ନିରାଶ କରିଥିଲେ, ମାତ୍ର ଦିଲ୍ଲୀ ଟେଷ୍ଟର ଦ୍ଵିତୀୟ ଇନିଂସରେ କିଛି ଭଲ ସଟ୍ ଖେଳିଥିଲେ।

ଅନ୍ୟପକ୍ଷେ ଇଶାନ କିଷନ ନିଜ ପାଳିର ଅପେକ୍ଷାରେ ଅଛନ୍ତି। ଦଳର ଆବଶ୍ୟକ ଅନୁଯାୟୀ ସେ ନିମ୍ନକ୍ରମରେ ଦ୍ରୁତ ଇନିଂସ ଖେଳି ପାରିବେ।ତାଙ୍କର ଓ୍ଵିକେଟ୍ କିପିଂ ମଧ୍ୟ ଚମତ୍କାର ରହିଛି, ଯାହା ଦ୍ରାବିଡଙ୍କୁ ଧର୍ମସଙ୍କଟରେ ପକାଇଛି ଯେ, ଇଶାନଙ୍କୁ ସୁଯୋଗ ଦିଆଯିବ ନା କେଏସ ଭରତଙ୍କୁ ତୃତୀୟ ଟେଷ୍ଟରେ ଦଳରେ ରଖାଯିବ।
କେଏସ ଭରତ ଘରୋଇ କ୍ରିକେଟ୍ରେ ବହୁତ ରନ କରିଛନ୍ତି ଏବଂ ତାଙ୍କ ନାମରେ ତୃତୀୟ ଶତକ ମଧ୍ୟ ରହିଛି। ଦିଲ୍ଲୀ ଟେଷ୍ଟରେ ସେ ଅପରାଜିତ ୨୩ ରନ କରିଥିଲେ। ଏଥିରେ ୩ ଚୌକା ଏବଂ ଏକ ଛକା ସାମିଲ୍। ଆତ୍ମ ବିଶ୍ଵାସରେ ଭରା ଏହି ଛୋଟ ପାଳି ଦେଖିବା ପରେ ଡ୍ରେସିଂ ରୁମରେ ବିରାଟ କୋହଲି ତାଙ୍କ ପାଇଁ ତାଳି ବଜାଇଥିଲେ।

କୋଚ୍ ରାହୁଲ ଦ୍ରାବିଡଙ୍କ ଗୋଟିଏ ନିଷ୍ପତ୍ତି ଉପରେ ଦୁଇ ଖେଳାଳିଙ୍କ ଟେଷ୍ଟ କ୍ୟାରିୟର ରହିଛି। ଯଦି କେଏସ୍ ଭରତଙ୍କ ସ୍ଥାନରେ ଇଶାନ କିଷନଙ୍କୁ ସୁଯୋଗ ଦିଆଯାଏ ତେବେ ଭରତଙ୍କ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ ନେଇ ପ୍ରଶ୍ନ ଉଠିବ। ଯଦି ଭରତଙ୍କୁ ଖେଳାଯିବ ତେବେ ଇଶାନ କିଷନଙ୍କୁ ଟେଷ୍ଟରେ ପଦାର୍ପଣ କରିବାର ସୁଯୋଗ କେବେ ମିଳିବ ତା ବି ବଡ ପ୍ରଶ୍ନ ରହିବ।