ଟେସ୍ଲାରୁ ଛଟେଇ ହେବେ ଆହୁରି ଅଧିକ କର୍ମଚାରୀ, ନୂଆ ନିଯୁକ୍ତି ଉପରେ ଲାଗିଛି ରୋକ

Published By : Prameya-News7 Bureau | December 22, 2022 IST

ଟେକ୍ସାସ ୨୨।୧୨:  ଏଲନ ମସ୍କଙ୍କ ଇଲେକ୍ଟ୍ରିକ୍ କାର କମ୍ପାନୀ ଟେସ୍ଲାରେ ଛଟେଇର ଆଉ ଏକ ଲହର ଆସିପାରେ। ମିଳୁଥିବା ଖବରରୁ କମ୍ପାନୀ ଏଥର ବହୁ ସଂଖ୍ୟାରେ କର୍ମଚାରୀଙ୍କ ଛଟେଇ କରିବାକୁ ଯୋଜନା କରିଛି, ଯାହା ନୂଆ ବର୍ଷରୁ କାର୍ଯ୍ୟକାରୀ ହୋଇପାରେ। ଏଥିରେ କମ୍ପାନୀ ନୂଆ ନିଯୁକ୍ତି ଉପରେ ମଧ୍ୟ କଟକଣା ଲଗାଇଛି। ଆଗାମୀ ତ୍ରୈମାସିକ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ତେବେ ଏ ବାବଦେ କମ୍ପାନୀ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଅଧିକାରୀକ ଘୋଷଣା ହୋଇ ନାହିଁ।

ଟେସ୍ଲାରୁ କର୍ମଚାରୀଙ୍କ ଛଟେଇ ଖବର ଏପରି ଏକ ସମୟରେ ଆସୁଛି ଯେତେବଳେ ଟେସ୍ଲାର ଇନଭେଷ୍ଟରମାନେ ଟ୍ୱିଟରକୁ ମ୍ୟାନେଜ କରିବା ପାଇଁ ମାଲିକ ଏଲନ ମସ୍କଙ୍କ ଅଧିକାଂଶ ସମୟ ନଷ୍ଟ ହେଉଥିବାରୁ ଚିନ୍ତାବ୍ୟକ୍ତ କରୁଛନ୍ତି।  ଏଲନ ମସ୍କ ଗତ ଅକ୍ଟୋବର ମାସରେ ୪୪ ବିଲିୟନ ଡଲାର ବ୍ୟୟରେ ଟ୍ୱିଟର ଅଧିଗ୍ରହଣ କରିଛନ୍ତି। ସେବେଠାରୁ ସେ ଲଗାତାର ଟ୍ୱିଟର ପଲିସିରେ ପରିବର୍ତ୍ତନ କରିବାରେ ଲାଗିଛନ୍ତି ଓ ଏହାକ ନୂଆ କରି ମ୍ୟାନଜ କରିବା ପାଇଁ ସେ ତାଙ୍କର ମୂଲ୍ୟବାନ ସମୟ ଦେଉଛନ୍ତି।

{"id":724049,"width":840,"height":473,"sizeSlug":"full","linkDestination":"none"}

ମସ୍କଙ୍କ ଏପରି କାମକୁ ନେଇ ଟେସ୍ଲାର ନିବେଶକମାନେ ଚିନ୍ତା ବ୍ୟକ୍ତ କରୁଛନ୍ତି। ନିକଟରେ ମସ୍କ ଟ୍ୱିଟର ମୁଖ୍ୟ ପଦରୁ ଇସ୍ତଫା ଦେବା ସମ୍ପର୍କରେ ଏକ ଅନଲାଇନ୍ ପୋଲ କରିଥିଲେ। ଏଥିରେ ଅଧିକାଂଶ ଲୋକେ ସେ ଟ୍ୱିଟର ମୁଖ୍ୟପଦରୁ ହଟି ଯାଆନ୍ତୁ ବୋଲି ମତ ଦେଇଛନ୍ତି। ତେବେ ଟେସ୍ଲାର ନିବେଶକ ଏବେ ସେମାନଙ୍କ ସେୟାର ମୂଲ୍ୟ ହ୍ରାସ ହେଉଥିବାରୁ ଚିନ୍ତାରେ ପଡିଛନ୍ତି। ଚଳିତବର୍ଷ ପ୍ରାରମ୍ଭରୁ ଏପର୍ଯ୍ୟନ୍ତ ଟେସ୍ଲା ସେୟାର ମୂଲ୍ୟରେ ୬୬ ପ୍ରତିଶତ ହ୍ରାସ ହେଲାଣି।

୨୦୨୨ ବର୍ଷ ଆରମ୍ଭ କାଳରେ ଟେସ୍ଲା ସେୟାର ପିଛା ମୂଲ୍ୟ ୪୦୦ ଡଲାର ଥିଲା। ଏବେ ହ୍ରାସ ହୋଇ ସେୟାର ପିଛା ମୂଲ୍ୟ ୧୩୭ ଡଲାରକୁ ପହଞ୍ଚିସାରିଲାଣି। ଟେସ୍ଲାର ସେୟାର ମୂଲ୍ୟ ହ୍ରାସ ଯୋଗୁ ମସ୍କଙ୍କ ସମ୍ପତ୍ତି ମୂଲ୍ୟ ମଧ୍ୟ ଲଗାତାର ହ୍ରାସ ହୋଇଚାଲିଛି। ନିକଟରେ ଟେସ୍ଲା କିଛି କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ଏହା ଛଡା ମସ୍କ ଟ୍ୱିଟର ଅଧିଗ୍ରହଣ କରିବା ପରେ ସେଠାରେ ମଧ୍ୟ କିଛି କର୍ମଚାରୀଙ୍କ ଛଟେଇ ହୋଇଛି। ତେବେ ଏହି ସମୟରେ ଆମାଜନ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିଛନ୍ତି।  ଏଲନ ମସ୍କ ଜୁନ ୨୦୨୨ରେ ଆଗାମୀ ଦିନରେ ୧୦ ପ୍ରତିଶତ ପର୍ଯ୍ୟନ୍ତ କର୍ମଚାରୀ ହ୍ରାସ ହୋଇ ପାରନ୍ତି ବୋଲି ଘୋଷଣା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.