ହାଇଟେକ୍ ମାରଣାସ୍ତ୍ର, ଆଖିବୁଜା ଫାୟାରିଂ ସହ ଗ୍ରେନେଡ୍ ଆଟାକ୍: ନିଜକୁ ଦାୟୀ କଲା 'କାଶ୍ମୀର ଟାଇଗର୍ସ'

Published By : Prameya-News7 Bureau | July 09, 2024 IST

ଶ୍ରୀନଗର ୦୯/୦୭: ଜମ୍ମୁ-କାଶ୍ମୀରର କାଠୁଆ ଜିଲ୍ଲାରେ ସୋମବାର ଆତଙ୍କବାଦୀମାନେ ସେନାର ଗାଡି ଉପରେ ଆକ୍ରମଣ କରିଛନ୍ତି । ଏହାଯୋଗୁ ୫ ଜଣ ଯବାନ ସହିଦ ହୋଇଛନ୍ତି । ଆଉ ୫ ଯବାନ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଲୋହାଇ ମହ୍ଲାର ବ୍ଲକ୍‌ର ମଚେଡ଼ି କ୍ଷେତ୍ରର ବଡ଼ନୋଟା ଗାଁରେ ଆତଙ୍କୀମାନେ ଏହି ଆକ୍ରମଣ କରିଛନ୍ତି । 

ସେଠାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଇତିମଧ୍ୟରେ ଆତଙ୍କବାଦୀ ସଂଗଠନ ଜୈସ୍‌-ଇମହମ୍ମଦର ଛାୟା ସଂଗଠନ ‘କାଶ୍ମୀର ଟାଇଗର୍ସ’ ଏହି ଆକ୍ରମଣ ଲାଗି ନିଜକୁ ଦାୟୀ କରିଛି । ରିପୋର୍ଟ ଅନୁସାରେ, ସୋମବାର ଅପରାହ୍ଣ ପ୍ରାୟ ସାଢ଼େ ୩ଟାରେ କାଠୁଆ ସହରଠାରୁ ୧୫୦ କିମି ଦୂର ମଚେଡି଼-କିଣ୍ଡଲି-ମହ୍ଲାର ରୋଡ୍‌ରେ ସେନାର ଗାଡ଼ି ରୁଟିନ୍‌ ପାଟ୍ରୋଲିଂ କରୁଥିବାବେଳେ ଆତଙ୍କବାଦୀମାନେ ଅଚାନକ ଗାଡ଼ିକୁ ଘେରିଯାଇ ଆକ୍ରମଣ କରିଥିଲେ । 

ପାହାଡ଼ ଉପରୁ ସେମାନେ ପ୍ରଥମେ ଗ୍ରେନେଡ୍‌ ମାଡ଼ ଓ ପରେ ଗୁଳିବର୍ଷା କରିବାରୁ ସୁରକ୍ଷାବାହିନୀ ତା’ର ଜବାବ ଦେଇଥିଲେ । ଏହାପରେ ଆତଙ୍କୀମାନେ ନିକଟସ୍ଥ ଜଙ୍ଗଲକୁ ଖସି ପଳାଇଛନ୍ତି । ଖବର ଲେଖାଯିବା ଯାଏ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ସେହି ଅଞ୍ଚଳ ଭାରତୀୟ ସେନାର ୯ କୋର ଅନ୍ତର୍ଗତ ହୋଇଥିବାବେଳେ ସେଠାକୁ ଅଧିକ ସୁରକ୍ଷାବଳ ପଠାଯାଇଛି । ଏହି ଆତଙ୍କୀମାନେ ନିକଟରେ ସୀମା ଆରପଟୁ ଅନୁପ୍ରବେଶ କରିଥିବା କୁହାଯାଉଛି । 

ବିଗତ ୨ ଦିନ ମଧ୍ୟରେ ଏହା ସେନା ଉପରେ ଦ୍ୱିତୀୟ ହମ୍‌ଲା । ରବିବାର ସକାଳେ ଆତଙ୍କବାଦୀମାନେ ରାଜୌରି ଜିଲ୍ଲାର ମାଞ୍ଜାକୋଟ୍‌ ଅଞ୍ଚଳରେ ଏକ ସେନା କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ । ସେଥିଯୋଗୁ ଜଣେ ଯବାନ ଆହତ ହୋଇଥିଲେ । ସୁରକ୍ଷାକର୍ମୀଙ୍କ ଜବାବୀ କାର୍ଯ୍ୟାନୁଷ୍ଠାନରେ ଆତଙ୍କୀ ଜଙ୍ଗଲ ରାସ୍ତାରେ  ଫେରାର ହୋଇଯାଇଥିଲେ । ତା’ ପୂର୍ବରୁ କୁଲଗାମ୍‌ର ଚିନ୍ନଗାମ ଓ ମୁଦରଗାମ୍‌ ଅଞ୍ଚଳରେ ଜୁଲାଇ ୬-୭ରେ ଆତଙ୍କୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । 

ଏହି ସମୟରେ ସୁରକ୍ଷାକର୍ମୀମାନେ ମୋଟ ୬ ଆତଙ୍କୀଙ୍କୁ ନିପାତ କରିଥିଲେ । ୨ ଯବାନ ମଧ୍ୟ ସହିଦ ହୋଇଥିଲେ । ଏହା ପୂର୍ବରୁ ମେ ୪ରେ ପୁଞ୍ଚର ଶାହସିତାର ଅଞ୍ଚଳରେ ବାୟୁସେନାର ଗାଡ଼ି ଉପରେ ଆକ୍ରମଣ ହୋଇଥିଲା । ସେଥିରେ କର୍ପୋରାଲ୍‌ ଭିକ୍କି ପହାଡ଼େ ସହିଦ ହୋଇଥିଲେ । ଅନ୍ୟ ୪ ଜଣ ଯବାନ ଆହତ ହୋଇଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.