କାଶ୍ମୀରରେ ଆତଙ୍କବାଦୀଙ୍କ ଟାର୍ଗେଟରେ ପୋଲିସ: ଘରେ ପଶି SPO ଓ ତାଙ୍କ ପତ୍ନୀଙ୍କୁ ଗୁଳି କରି ହତ୍ୟା, ଚିକିତ୍ସାଧୀନ ଅବସ୍ଥାରେ ଝିଅର ମୃତ୍ୟୁ

Published By : Prameya-News7 Bureau | June 28, 2021 IST

ଶ୍ରୀନଗର ୨୮/୦୬ : କାଶ୍ମୀର ପୁଲୱାମା ଜିଲ୍ଲାରେ ରବିବାର ଦିନ ଆତଙ୍କବାଦୀମାନେ ଜାମ୍ମୁ କାଶ୍ମୀର ପୋଲିସର ଜଣେ ସ୍ପେଶାଲ ପୋଲିସ ଅଫିସର (SPO) ଓ ତାଙ୍କ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ହମଲାରେ ଆହତ ହୋଇଥିବା ପୋଲିସ ଅଧିକାରୀଙ୍କ ଝିଅ ସୋମବାର ଦିନ ଭୋର ୪ଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହାରିଛନ୍ତି।

ସୂଚନା ଅନୁଯାୟୀ, ଅବନ୍ତିପୁରା ହରିପରିଗାମ ଗାଁରେ ରହୁଥିବା ଏସପିଓ ଫେୟାଜ ଅହମଦଙ୍କ ଘରେ ରବିବାର ରାତି ପ୍ରାୟ ୧୧ଟା ସମୟରେ କିଛି ଆତଙ୍କବାଦୀ ଜୋର ଜବରଦସ୍ତ ପଶି ଯାଇଥିଲେ। ତାଙ୍କ ଘରେ ପଶି ସେମାନେ ପୁରା ପରିବାର ଉପରେ ଆଖିବୁଜା ଗୁଳି ଫୁଟାଇଥିଲେ। ପୋଲିସ ଅଧିକାରୀ ତାଙ୍କ ପତ୍ନୀ ଗମ୍ଭୀର ଆହତ ହୋଇଥିଲେ ଓ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ୨୫ ବର୍ଷୀୟ ଝିଅ ସାଫିୟାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି।

ଶ୍ରୀନଗରରେ ଆତଙ୍କବାଦୀ ଗତ ସପ୍ତାହରେ ମଙ୍ଗଳବାର ଦିନ ସିଆଇଡି ଇନ୍ସପେକ୍ଟରଙ୍କୁ ଗୁଳି କରି ହତ୍ୟା କରିଥିଲେ। ଘଟଣା ନୌଗାମ ଅଞ୍ଚଳର। ଆତଙ୍କବାଦୀ ଇନ୍ସପେକ୍ଟର ପରଭେଜ ଅହମଦଙ୍କୁ ତାଙ୍କ ଘର ନିକଟରେ ୩ଟି ଗୁଳି କରିଥିଲେ। ସେତେବେଳେ ସେ ନମାଜ ପଢି ଘରକୁ ଫେରୁଥିଲେ।

ଶ୍ରୀନଗର ବର୍ବର ଶାହ ଅଞ୍ଚଳରେ ଶନିବାର ଦିନ ପୋଲିସ ଓ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସର ଜଏଣ୍ଟ ପାର୍ଟି ଉପରେ ଆତଙ୍କବାଦୀମାନେ ଗ୍ରେନେଡ଼ ହମଲା କରିଥିଲେ। ଯବାନ ରକ୍ଷା ପାଇଯାଇଥିଲେ କିନ୍ତୁ ଜଣେ ମହିଳା ସମେତ ୪ ନାଗରିକ ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଜଣକର ମୃତ୍ୟୁ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.