ଟଳିନାହିଁ ବିପଦ ! ଟାର୍ଗେଟରେ ଦିଲ୍ଲୀର ଜନଗହଳିପୂର୍ଣ୍ଣ ଅଞ୍ଚଳ: ରାଜଧାନୀରେ ଏବେ ବି ଲୁଚିଛନ୍ତି ଦୁଇ ଆତଙ୍କବାଦୀ

Published By : Prameya-News7 Bureau | August 25, 2020 IST

ନୂଆଦିଲ୍ଲୀ ୨୫/୦୮ : ଦେଶର ରାଜଧାନୀ ଦିଲ୍ଲୀ ଓ ଉତ୍ତର ପ୍ରଦେଶରୁ ବର୍ତ୍ତମାନ ସୁଦ୍ଧା ବିପଦ ଟଳିନାହିଁ | ରାଜଧାନୀ ଓ ଉତ୍ତର ପ୍ରଦେଶରେ ଆଇଏସଆଇଏସର ଦୁଇ ଆତଙ୍କବାଦୀ ଲୁଚିଛନ୍ତି | ଦିଲ୍ଲୀ ସ୍ପେଶାଲ ସେଲ ଅନୁଯାୟୀ, ଗିରଫ ହୋଇଥିବା ଆଇଏସଆଇଏସ ଆତଙ୍କ ଅବୁ ୟୁସୁଫ ଠାରୁ ମିଳିଥିବା ଇନ୍ପୁଟରୁ ଜଣାପଡିଛି ଯେ ଦୁଇ ଆତଙ୍କବାଦୀ ଦିଲ୍ଲୀରେ ପହଞ୍ଚିଥିଲେ ଏବଂ ୟୁସୁଫ ସହ ସାକ୍ଷାତ କରିଥାନ୍ତେ | କିନ୍ତୁ ତା ପୂର୍ବରୁ ୟୁସୁଫ ଧରା ପଡିଥିଲା | ୟୁସୁଫ ଧରା ପଡିବା ପରେ ଦୁଇ ଆତଙ୍କବାଦୀ ଫେରାର ହୋଇଯାଇଥିଲେ | ଦୁଇ ଆତଙ୍କବାଦୀ କୁଆଡେ ଗଲେ, କେଉଁଠି ଲୁଚିଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ | ସେମାନଙ୍କୁ ଖୋଜିବା ପାଇଁ ଆଲର୍ଟ ଜାରି କରାଯାଇଛି |

ୟୁସୁଫକୁ ପଚରାଉଚୁରାରୁ ଏତିକି ସ୍ପଷ୍ଟ ହୋଇଛି ଯେ ଏଥର ଟାର୍ଗେଟ ଥିଲା ଦିଲ୍ଲୀ | ଆତଙ୍କବାଦୀ ଦିଲ୍ଲୀର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ବିସ୍ଫୋରଣ କରିବାକୁ ଷଡଯନ୍ତ୍ର କରିଥିଲେ | କିନ୍ତୁ କେଉଁ କେଉଁ ଅଞ୍ଚଳରେ ବିସ୍ଫୋରଣ ଷଡଯନ୍ତ୍ର ହୋଇଥିଲା ତାହା ସେ ସ୍ପଷ୍ଟ ଜାଣିନଥିବା କହିଛି | ଦିଲ୍ଲୀ ପୋଲିସ ଆତଙ୍କୀ ୟୁସୁଫର ଦୁଇ ସହଯୋଗୀଙ୍କୁ ଖୋଜୁଛି | ସେହି ଦୁଇଜଣଙ୍କ ପାଖରେ ଦିଲ୍ଲୀର ପୁରା ପ୍ଲାନ ରହିଛି |

ଆତଙ୍କବାଦୀ ଏବେ ମଧ୍ୟ ଗୋଟିଏ ଫୋନକୁ ଅଧିକ ସମୟ ଯାଏଁ ବ୍ୟବହାର କରୁନାହାନ୍ତି | ତା ପାଖରେ ୧୦ଟି ମୋବାଇଲ ଥିବା ଜଣାପଡିଛି | ଏହିସବୁ ମୋବାଇଲ ଜରିଆରେ ସେ ପାକିସ୍ତାନ ଓ ବିଦେଶ ସହ ସମ୍ପର୍କ କରୁଥିଲା | ଦିଲ୍ଲୀ ତିହାଡ଼ ଜେଲ ସହ ମଧ୍ୟ ତାର ସମ୍ପର୍କ ଥିବା ଜଣାପଡିଛି | ମାସେ ପୂର୍ବରୁ ଜେଲରେ ବନ୍ଦୀ ଥିବା ଜଣେ ଆତଙ୍କବାଦୀ ସହ କଥାବାର୍ତ୍ତା କରିଥିବା ସେ ସ୍ୱୀକାର କରିଛି |

ସୂଚନାଯୋଗ୍ୟ ଯେ, ଆତଙ୍କବାଦୀ ଅବୁ ୟୁସୁଫର ପତ୍ନୀ ଯାଞ୍ଚରେ ସହଯୋଗ କରୁଛି | ୟୁସୁଫ ଆତଙ୍କବାଦୀ ହୋଇଥିବା ପତ୍ନୀ ଓ ୟୁସୁଫର ଭାଇ ଜାଣିଥିଲେ | ସ୍ପେଶାଲ ସେଲ ୟୁସୁଫର ପତ୍ନୀକୁ ସରକାରୀ ସାକ୍ଷୀ କରିବାକୁ ବିଚାର କରୁଛି | ସରକାରୀ ସାକ୍ଷୀ ହେଲେ ୟୁସୁଫର ପତ୍ନୀକୁ ଗିରଫ କରାଯିବ ନାହିଁ | ୟୁସୁଫ ଗିରଫ ହେବା ପରେ ତା ଭାଇ ଓ ଶଳା ଫେରାର ଅଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.