ପାକିସ୍ତାନରେ ଖଲିସ୍ତାନୀ ଆତଙ୍କବାଦୀ ହରୱିନ୍ଦର ସିଂହ ରିଣ୍ଡାର ମୃତ୍ୟୁ, ନିଜକୁ ଦାୟୀ କଲା ଗ୍ୟାଙ୍ଗଷ୍ଟର ଗ୍ରୁପ୍

Published By : Prameya-News7 Bureau | November 20, 2022 IST

ନୂଆଦିଲ୍ଲୀ: ପାକିସ୍ତାନରେ ଖଲିସ୍ତାନୀ ଆତଙ୍କବାଦୀ ହରୱିନ୍ଦର ସିଂହ ରିଣ୍ଡାର ମୃତ୍ୟୁ ହୋଇଛି। ହରୱିନ୍ଦର ଏକାଧିକ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିଲା। ତାର ମୃତ୍ୟୁ ନେଇ ପଞ୍ଜାବ ପୁଲିସ ସୂତ୍ରରୁ ସୂଚନା ମିଳିଛି। ଏପଟେ ହରୱିନ୍ଦର ମୃତ୍ୟୁ ନେଇ ନିଜକୁ ଦାୟୀ କରିଛି ଦବିନ୍ଦର ଭାମ୍ବିହା ଗ୍ୟାଙ୍ଗଷ୍ଟର ଗ୍ରୁପ୍। ପାକିସ୍ତାନରେ ତାଙ୍କ ଗ୍ରୁପ୍‌ ହରୱିନ୍ଦରକୁ ଗୁଳି କରି ହତ୍ୟା କରିଛି ବୋଲି ଭାମ୍ବିଆ ଗ୍ରୁପ୍ ଦାବି କରିଛି।

ହରୱିନ୍ଦରର ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ରହିଥିଲା। ଚଳିତ ବର୍ଷ ମେ' ମାସରେ ପଞ୍ଜାବ ପୁଲିସ ଗୁଇନ୍ଦା ମୁଖ୍ୟାଳୟ ଉପରେ ହୋଇଥିବା ଗ୍ରେନେଡ୍ ଆକ୍ରମଣ ଓ ଲୁଧିଆନ କୋର୍ଟ ପରିସରରେ ବିସ୍ଫୋରଣ ମାମଲାରେ ହରୱିନ୍ଦର ମାଷ୍ଟର ମାଇଣ୍ଡ ଥିଲା।

କେବଳ ସେତିକି ନୁହେଁ ପ୍ରଖ୍ୟାତ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡରେ ବି ତା ନାଁ ସାମିଲ୍ ଅଛି। ହରୱିନ୍ଦର ବ୍ୟାନ୍ ହୋଇଥିବା ଖଲିସ୍ତାନୀ ଆତଙ୍କବାଦୀ ସଂଗଠନର ଶାଖା ବାବର ଖାଲସ୍ ଇଣ୍ଟରନ୍ୟାସ୍‌ନାଲ ଗ୍ରୁପ୍‌ର ସଦସ୍ୟ ବୋଲି ଜଣାପଡ଼ିଛି।

ତେବେ ପଞ୍ଜାବ ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ହରୱିନ୍ଦର ଗତ ୧୫ ଦିନ ହେଲା ଲାହୋର ହସ୍‌ପିଟାଲ୍‌ରେ ଚିକିତ୍ସା ହେଉଥିଲେ। ତାର କିଡନୀ ଫେଲ୍‌ ହୋଇଯାଇଥିଲା। ଡାକ୍ତରଖାନାରେ ଚିକିତ୍ସା ବେଳେ ରିଣ୍ଡାର ମୃତ୍ୟୁ ହୋଇଛି ବୋଲି ପୁଲିସ ସୂଚନା ଦେଇଛି। ରିଣ୍ଡା ଏତେ ଉତ୍‌ପାତ କରୁଥିଲା ଯେ ତା ମୁଣ୍ଡ ଉପରେ ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା ଏନ୍‌ଆଇଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.