ଯେ ପର୍ଯ୍ୟନ୍ତ ସରକାର କାଶ୍ମୀରୀଙ୍କ ହୃଦୟ ଜିତି ନାହାନ୍ତି, ସେ ପର୍ଯ୍ୟନ୍ତ ଆତଙ୍କବାଦ ସମାପ୍ତ ହେବ ନାହିଁ: ଅବଦୁଲ୍ଲା

Published By : Prameya-News7 Bureau | July 13, 2022 IST

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ପୂର୍ବାପେକ୍ଷା ଆତଙ୍କୀ ଘଟଣାରେ ହ୍ରାସ ଘଟିଛି। ମାତ୍ର ଏହାର ଅନ୍ତ କେବେ ହେବ ଏହାର ଅନୁମାନ କରିବା ବହୁ ମୁସ୍କିଲ। ଘାଟିରେ ନିତିଦିନ ଆତଙ୍କୀ ଘଟଣା ଦେଖିବାକୁ ମିଳୁଛି। ଏହା ମଧ୍ୟରେ ବୁଧବାର ନ୍ୟାସନାଲ କନଫରେନ୍ସର ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା କହିଛନ୍ତି, କାଶ୍ମୀରରେ ଆତଙ୍କବାଦ ସେ ପର୍ଯ୍ୟନ୍ତ ସମାପ୍ତ ହେବ ନାହିଁ ଯେ ପର୍ଯ୍ୟନ୍ତ ସରକାର ଘାଟିରେ ଲୋକଙ୍କ ହୃଦୟ ଜିତି ନାହାନ୍ତି ଏବଂ ପାକିସ୍ତାନ ସହ ଆଲୋଚନା କରି ସମାଧାନର ରାସ୍ତା ବାହାର କରି ନାହାନ୍ତି।

ମଙ୍ଗଳବାର ସହରରେ ଆତଙ୍କବାଦୀଙ୍କ ପକ୍ଷରୁ ଜଣେ ପୋଲିସ ଅଧିକାରୀଙ୍କ ହତ୍ୟାର ନିନ୍ଦା କରି କହିଛନ୍ତି, ଯେ ପର୍ଯ୍ୟନ୍ତ କାଶ୍ମୀର ପ୍ରସଙ୍ଗର ସମାଧାନ ହୋଇ ନାହିଁ, ସେ ପର୍ଯ୍ୟନ୍ତ ଲୋକେ ମାରି ଚାଲିଥିବେ। ଫାରୁକ ଅବଦୁଲ୍ଲା କହିଛନ୍ତି, ଉଗ୍ରବାଦଙ୍କ ହୀନ କାର୍ଯ୍ୟ ସରିବ ନାହିଁ। ବିଜେପି ନେତା କହୁଛନ୍ତି ଘାଟିରେ ଆତଙ୍କ ସରି ଗଲାଣି। କିନ୍ତୁ ମୁଁ କହିବାକୁ ଚାହୁଁଛି ଯେ, ସେ ପର୍ଯ୍ୟନ୍ତ ଏହା ସମାପ୍ତ ହେବ ନାହିଁ ଯେ ପର୍ଯ୍ୟନ୍ତ ଆପଣ କାଶ୍ମୀର ଲୋକଙ୍କ ହୃଦୟ ଜିତିବାକୁ ଉଦ୍ୟମ କରି ନାହାନ୍ତି। ପଡୋଶୀ ଦେଶ ସହିତ ଆଲୋଚନା କରି ଏହାର ସମାଧାନର ରାସ୍ତା ବାହାର କରନ୍ତୁ ବୋଲି ଫାରୁକ ଅବଦୁଲ୍ଲା କହିଛନ୍ତି।

ଶ୍ରୀନଗରରୁ ଲୋକସଭା ସାଂସଦ ଅବଦୁଲ୍ଲା ସହରର ଲାଲ ବଜାର ଅଞ୍ଚଳରେ ଏଏସଆଇ ମୁସ୍ତାକ ଅହମ୍ମଦଙ୍କ ହତ୍ୟାର ନିନ୍ଦା କରିଛନ୍ତି। ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ ଦର୍ଶାଇ ଅବଦୁଲ୍ଲା କହିଛନ୍ତି, ଆମେ ଜାଣିନୁ ହତ୍ୟାକାରୀ କିଏ  ଏବଂ ଏଠାକାର ଲୋକଙ୍କ ଉଦ୍ଧାରକର୍ତ୍ତା କିଏ। ଆମେ ସମସ୍ତ ଏହି ଧରଣର ଘଟଣାକୁ ନିନ୍ଦା କରୁଛୁ। ଦୁଃଖର ଏହି ସମୟରେ ପରିବାର ପାଇଁ ପ୍ରାର୍ଥନା କରନ୍ତୁ। ପୋଲିସ କର୍ମୀଙ୍କ ପରିବାର ପାଇଁ ପ୍ରଶାସନ କ୍ଷତିପୂରଣ ଦାବି କରିଛନ୍ତି ଅବଦୁଲ୍ଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.