ଷ୍ଟାଡିୟମ ନିକଟରେ ଆତଙ୍କୀ ହମଲା, ମ୍ୟାଚ୍ ଖେଳୁଥିଲେ ବାବର ଆଜମ ଏବଂ ଶାହିଦ ଆଫ୍ରିଦି
5/02/2023 at 10:07 PM

ନୂଆଦିଲ୍ଲୀ: ପାକିସ୍ତାନରେ ରବିବାର ପୁଣି ଥରେ ବିସ୍ଫୋରଣ ଘଟିଛି। କ୍ଵେଟା ପୋଲିସ୍ ଲାଇନ୍ ନିକଟରେ ଘଟିଥିବା ଏହି ଘଟଣାରେ ଅତି କମରେ ପାଞ୍ଚ ଜଣ ଆହତ ହୋଇଛନ୍ତି। ଗତ ଦିନରେ ପେଶାଓ୍ଵରରେ ହୋଇଥିବା ଭୟାନକ ଆତ୍ମଘାତୀ ବିସ୍ଫୋରଣରେ ୧୦୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଥିଲା। ତେବେ ଆଜି କ୍ଵେଟାରେ ଘଟିଥିବା ବିସ୍ଫୋରଣ ସ୍ଥଳ ନିକଟରେ ଏକ ପ୍ରଦର୍ଶନୀ ମ୍ୟାଚ୍ ଚାଲିଥିବା ବେଳେ ଏଥିରେ ପାକିସ୍ତାନ କ୍ରିକେଟ୍ ଦଳର ଅଧିନାୟକ ବାବର ଆଜମ ଏବଂ ଶାହିଦ ଆଫ୍ରିଦି ଖେଳୁଥିଲେ। ସୁରକ୍ଷା ଦୃଷ୍ଟିକୋଣରୁ ତୁରନ୍ତ ଦୁଇ ଖେଳାଳିଙ୍କୁ ନିକଟସ୍ଥ ନଓ୍ଵାବ ଆକବର ବୁଗତି ଷ୍ଟାଡିୟମର ଡ୍ରେସିଂ ରୁମକୁ ନିଆଯାଇଥିଲା। ଦୁଇ ଖେଳାଳି ପାକିସ୍ତାନ ସୁପର ଲିଗ୍(ପିଏସଏଲ)ର ଏକ ପ୍ରଦର୍ଶନୀ ମ୍ୟାଚ୍ ଖେଳୁଥିଲେ। ତେବେ ବିସ୍ଫୋରଣ ପରେ ମ୍ୟାଚ୍କୁ କିଛି ସମୟ ବନ୍ଦ ରଖାଯାଇଥିଲା।
ବିସ୍ଫୋରଣ ପୋଲିସ୍ ଲାଇନ ଅଞ୍ଚଳରେ ଘଟିଛି। ଜଣେ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ଅନୁଯାୟୀ, ଉଦ୍ଧାର କାର୍ଯ୍ୟ ପୂରା ହେବା ସହ ସମସ୍ତ ଆହତଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ପୋଲିସ୍ ପୂରା ଇଲାକାକୁ ସିଲ୍ କରି ତଦନ୍ତ ଆରମ୍ଭ କରି ଦେଇଛନ୍ତି।
ତେହରିକ ଏ ତାଲିବାନ ପାକିସ୍ତାନ(ଟିଟିପି) ରବିବାର ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ସୁରକ୍ଷା ଅଧିକାରୀଙ୍କୁ ଟାର୍ଗେଟ୍ କରି ଏହି ବିସ୍ଫୋରଣ କରାଯାଇଥିବା ଟିଟିପି ନିଜ ବୟାନରେ କହିଛି। ସବୁଠୁ ବଡ କଥା ପିଏସଏଲର ଟିମ୍ କ୍ଵେଟା ଗ୍ଲାଡିଏଟର୍ସ ଏବଂ ପେଶାଓ୍ଵର ଜାଲମୀ ମଧ୍ୟରେ ଏକ ପ୍ରଦର୍ଶନ ମ୍ୟାଚ୍ ଚାଲିଥିବା ବେଳେ ଉକ୍ତ ବିସ୍ଫୋରଣ ଘଟିଥିଲା। ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) ଦ୍ଵାରା ମ୍ୟାଚ୍ର ଆୟୋଜନ କରାଯାଇଥିଲା।
ଏ ଖବର ପଢନ୍ତୁ- ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ…ଗୋଟିଏ ଅସୁବିଧା, IMF ହିଁ ସମାଧାନ, କିପରି ଏବଂ କେଉଁ ସ୍ଥିତିରେ ମିଳେ ଋଣ
ପୋଲିସ୍ ଅଧିକାରୀ କହିଛନ୍ତି, ଯେମିତି ବିସ୍ଫୋରଣ ଘଟିଲା ସତର୍କତାମୂଳକ ମ୍ୟାଚ୍ ସ୍ଥଗିତ ରଖାଯିବା ସହ ଖେଳାଳିଙ୍କୁ କିଛି ସମୟ ପାଇଁ ଡ୍ରେସିଂ ରୁମ୍କୁ ଅଣା ଯାଇଥିଲା। ପରିସ୍ଥିତି ନିୟନ୍ତ୍ରଣ ପରେ ମ୍ୟାଚ୍ ପୁନର୍ବାର ଆରମ୍ଭ ହୋଇଥିଲା। ମ୍ୟାଚ୍ ପାଇଁ ପଡିଆ ଦର୍ଶକଙ୍କ ଗହଳିରେ ଭରି ରହିଥିଲା।