ହରିୟାଣାରେ ହିଂସା ; ଗୁରୁଗ୍ରାମ,ଫରିଦାବାଦରେ ପହଞ୍ଚିଲା ଉତ୍ତେଜନା, ୧୪୪ ଧାରା ଜାରି
1/08/2023 at 11:49 AM

ଚଣ୍ଡିଗଡ଼: ହରିୟାଣା ମେଓ୍ବାତ ଏବଂ ସୋହନାରେ ଦୁଇ ସମୁଦାୟ ବିବାଦ ଏବେ ଭୀଷଣ ରୂପ ନେଇଛି । ହିଂସା ଧୀରେ ଧୀରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବ୍ୟାପୀବାରେ ଲାଗିଛି। ଗୁରୁଗ୍ରାମ, ଫରିଦାବାଦରେ ମଧ୍ୟ ଉତ୍ତେଜନା ଦେଖିବାକୁ ମିଳିଛି । ଦୁଇ ସମ୍ପ୍ରଦାୟ ମଧ୍ୟରେ ଜୋରଦାର ହିଂସାତ୍ମକ ଘଟଣା ଦେଖାଯାଇଛି । ଜଣେ ଅନ୍ୟ ଗୋଷ୍ଠୀ ଉପରକୁ ପଥର ମାଡ଼ କରିଛନ୍ତି । ଭିଡ଼ ଭିତରେ ପ୍ରୟ ୯୦ ଗାଡ଼ି ଭଙ୍ଗାରୁଜା କରିବା ସହିତ ପୋଡ଼ି ଦିଆଯାଇଛି ।
ଏହି ଉତ୍ତେଜନା ହରିୟାଣାର ନୁହୁରୁ ଆରମ୍ଭ ହୋଇଥିଲା । ବ୍ରଜମଣ୍ଡଳ ଯାତ୍ରା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଟକ୍କର ହୋଇଥିଲା । ଚାହୁଁ ଚାହୁଁ ହଙ୍ଗାମା ଆରମ୍ଭ ହୋଇଥିଲା । ପଥର ମାଡ଼ ସାଙ୍ଗକୁ ଗୁଳିବିନିୟମ ମଧ୍ୟ ହୋଇଥିଲା । ସେପଟେ ପୋଲିସ ହିଂସା ନିୟନ୍ତ୍ରଣ କରିବାରେ ଅସଫଳ ହୋଇଥିଲା । ଏହି ହିଂସା ଘଟଣାରେ ୨ଜଣ ହୋମଗାର୍ଡଙ୍କ ସମେତ ମୋଟ୍ ୩ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୧୦ରୁ ଅଧିକ ପୋଲିସକର୍ମୀ ଆହତ ହୋଇଛନ୍ତି ।
ଆଇନ ଶୃଙ୍ଖଳା ସ୍ଥିତିକୁ ନଜରରେ ରଖି ଉତ୍ତେଜନା ପୂର୍ଣ୍ଣ ସ୍ଥାନମାନଙ୍କରେ କର୍ଫ୍ୟୁ ଜାରି କରାଯାଇଛି । ଇଣ୍ଟରନେଟ୍ ବନ୍ଦ କରିଦିଆଯାଇଛି । ଏହାଛଡ଼ା ଗୁରୁଗ୍ରାମ, ଫରିଦାବାଦ, ଏବଂ ରେଓ୍ବାଡରେ ୧୪୪ ଧାରା ଜାରି କରାଯାଇଛି । ସେହିପରି ସ୍କୁଲ କଲେଜକୁ ମଧ୍ୟ ବନ୍ଦ କରିଦିଆଯାଇଛି । ନୁହୁରେ ଏବେ ସ୍ଥିତି ନିୟନ୍ତ୍ରଣଧୀନ ରହିଛି । ବିଭିନ୍ନ ସ୍ଥାନରେ ୧୩ଟି କମ୍ପାନୀ ଅର୍ଦ୍ଧସାମରିକ ବଳ ଯବାନଙ୍କୁ ମୁତୟନ କରାଯାଇଛି । ସ୍ଥିତିକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବା ପାଇଁ ଆଉ ୬ଟି କମ୍ପାନୀ ପଠାଯିବ । ହରିୟାଣାରୁ ସେଟ୍ ରାଜସ୍ଥାନ ପର୍ଯ୍ୟନ୍ତ ହାଇ-ଆଲର୍ଟ ଜାରି କରାଯାଇଛି ।

ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ନୁହୁ ଜିଲ୍ଲାରେ ସୃଷ୍ଟି ସ୍ଥିତି ଉପରେ ଜନତାଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ଅପିଲ୍ କରିଛନ୍ତି । ଏହାସହ ସେ କହିଛନ୍ତି, ଯେ ଆଲୋଚନା ଜରିଆରେ ସବୁ ବିଷୟର ସମାଧାନ ବାହାର କରାଯାଇ ପାରିବ । ନୂହରେ ଯେଉଁ ସ୍ଥିତି ସୃଷ୍ଟି ହେଲା ସେଥିରେ ପ୍ରତି ସାଧାରଣ ନାଗରିକଙ୍କ ଦାୟିତ୍ୱ ସମାଜ ଏବଂ ପ୍ରଦେଶ ପ୍ରତି ଅଧିକ ବଢିଥାଏ । ମୁଖ୍ୟମନ୍ତ୍ରୀ କହିଛନ୍ତି, କୌଣସି ବ୍ୟକ୍ତି ଦେଶର ସମ୍ୱିଧାନଠାରୁ ଉପରେ ନାହିଁ । ଦେଶର ଅଖଣ୍ଡତା ଏବଂ ଶାନ୍ତି ପାଇଁ ଆମେ ସମସ୍ତେ ମିଶି ପ୍ରୟାସ କରିବା ଦରକାର ।