ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ

Published By : Prameya-News7 Bureau | November 29, 2020 IST

ସୋର ୨୯।୧୧: ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ । ୪ ଜଣ ଗ୍ରାମବାସୀ ଗୁରୁତର ହୋଇଥିବା ବେଳେ ଜଣେ ଡକାୟତକୁ କାବୁ କରିଛି ସୋର ପୋଲିସ । ବାଲେଶ୍ବର ଜିଲ୍ଲା ସୋର ଥାନା ହରିଡାପଡା ଗାଁର ଘଟଣା ।

ଖବର ଅନୁଯାୟୀ, ସୋର ଥାନା ନଦିଗାଁ ପଞ୍ଚାୟତ ହରିଡାପଡା ଅଞ୍ଚଳର ସୁଦାମ ଚରଣ ବାଉଲି ରାତିରେ ନିଜ ଘରକୁ ଫେରିବା ବାଟରେ ପିତାକାଳିଆ ଛକ ନିକଟରେ ୭ଜଣ ଡକାୟତ ତାଙ୍କୁ ଅଟକାଇଥିଲେ । ସୁଦାମ ସଙ୍ଗେ ସଙ୍ଗେ ତାଙ୍କ ମୋବାଇଲ ବାହାର କରି ଘର ପାଖ ଲୋକଙ୍କୁ ଫୋନ କରି ଡାକିଥିଲେ । ଡକାୟତ ମାନେ ସୁଦାମଙ୍କୁ ଗନ୍ ପଏଣ୍ଟରେ ରଖିବା ସହ ଗୋଡାଇ ଗୋଡାଇ ତାଙ୍କୁ ଆକ୍ରମଣ କରିଥିଲେ । ସେହି ସମୟରେ ସ୍ଥାନୀୟ ଲୋକ ସୁଦାମଙ୍କ ଡାକ ଶୁଣି ପହଞ୍ଚି ଯିବାରୁ ସେମାନଙ୍କୁ ମଧ୍ୟ ଦୁର୍ବୃତ୍ତ ମାନେ ତେଲେଙ୍ଗା କଟୁରୀ ଓ ବନ୍ଧୁକରେ ଆକ୍ରମଣ କରିଥିଲେ ।

ଗ୍ରାମବାସୀ ମାନେ ବି ଦୁର୍ବୃତ୍ତଙ୍କୁ ପାଲଟା ଆକ୍ରମଣ କରିଥିଲେ । କିଛି ସମୟ ପାଇଁ ଗ୍ରାମବାସୀ ଓ ଡକାୟତଙ୍କ ମଧ୍ୟରେ ଚାଲିଥିଲା ଖଣ୍ଡ ଯୁଦ୍ଧ । ଖବର ପାଇ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜଣେ ଦୁର୍ବୃତ୍ତକୁ କାବୁ କରିବାରେ ସଫଳ ହୋଇଥିଲା । ଏହି ଆକ୍ରମଣରେ ସୁଦାମ ଚରଣ ବାଉଲି, ଅଜୟ କୁମାର ବେହେରା, ପ୍ରଦୀପ କୁମାର ମହାକୁଡ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ସୋର ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି । ସୋର ପୋଲିସ୍ କାବୁ କରିଥିବା ଦୁର୍ବୃତ୍ତ ଜଣଙ୍କ କେନ୍ଦ୍ରାପଡ଼ା ମାର୍ଶାଘାଇ ଅଞ୍ଚଳର ପ୍ରଦ୍ୟୁମ୍ନ ସେନାପତି । ସେ ମଧ୍ୟ ଆହତ ହୋଇଥିବା ଜଣାପଡିଛି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.