କଟକ ୧୬/୭: SCB ମେଡିକାଲ କଲେଜରେ ନର୍ସିଂ ଷ୍ଟାଫ ଓ ହାଉସ ସର୍ଜନ ବିବାଦ ବଢୁଛି । ରବିବାର ସନ୍ଧ୍ୟାରେ ମେଡ଼ିସିନ ୱାର୍ଡରେ ଜଣେ ରୋଗୀଙ୍କୁ ରକ୍ତ ଦେବାକୁ ନେଇ ଜଣେ ନର୍ସ ଓ ହାଉସ ସର୍ଜନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ସାମାନ୍ୟ ଝଗଡା ଗୋଷ୍ଠୀ ବିବାଦରେ ପରିଣତ ହୋଇଗଲା । ରବିବାର ଠାରୁ ଉଭୟ ଉଭୟଙ୍କ ବିରୁଦ୍ଧରେ ଆରୋପ ପ୍ରତ୍ୟାରୋପ କରି SCB ଅଧୀକ୍ଷକଙ୍କ ଅଫିସ ଆଗରେ ଧାରଣାରେ ବସିଥିଲେ। ହେଲେ କୌଣସି ସମାଧାନ ହୋଇପାରିନଥିଲା । ମଙ୍ଗଳବାର ପୁଣି ନର୍ସିଂ କର୍ମଚାରୀ ମାନେ SCB ଅଧୀକ୍ଷକଙ୍କ କାର୍ଯ୍ୟଳୟରେ ଧାରଣା ଦେବା ସହ ଦୀର୍ଘ ସମୟ ଧରି ହୋ ହାଲ୍ଲା କରିଥିଲେ। ଏହି ବିବାଦର ସମାଧାନ ପାଇଁ କମିଟି ମିଟିଂ ଚାଲିଥିବା ବେଳେ ଅଭିଯୋଗକାରୀ ନର୍ସଙ୍କ ମୋବାଇଲକୁ ବରିଷ୍ଠ ଅଧିକାରୀମାନେ ଛଡାଇ ନେଇଥିବା ଅଭଯୋଗ କରି ଶତାଧିକ ନର୍ସ ଅଧିକ୍ଷକଙ୍କ କକ୍ଷ ଭିତରକୁ ଧସେଇ ପଶିଥିଲେ। ସେଦିନ ରକ୍ତ ଦେବାକୁ ନେଇ ହୋଇଥିବା ପାଟି ତୁଣ୍ଡ ପରେ ଦଶରୁ ଅଧିକ ହାଉସ ସର୍ଜନ ଆସି ଉକ୍ତ ନର୍ସଙ୍କୁ କବାଟ ବନ୍ଦ କରି ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ସେପଟେ ହାଉସ ସର୍ଜନ ମାନେ ମଧ୍ୟ ଆଜି ଅଧୀକ୍ଷକଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଘଟଣା ସଂପର୍କରେ SCBର କୌଣସି କର୍ତ୍ତୃପକ୍ଷ ମୁଁହ ଖୋଲିନାହାନ୍ତି ।ଏହି ବିବାଦ ଶୀଘ୍ର ସମାଧାନ ନହେଲେ ରୋଗୀ ସେବା ଉପରେ ଯଥେଷ୍ଟ ପ୍ରଭାବ ପଡିବାର ଆଶଙ୍କା କରାଯାଉଛି ।
ପହଲଗାମ ଆଟାକ୍ର ପ୍ରତିଶୋଧ ନେବ ଭାରତ, ସରକାର ଡାକିଲେ...
