ସୁନ୍ଦରୀ ପାଇଁ ଅଶାନ୍ତ ସାତକୋଶିଆ : ବାଘୁଣୀକୁ ସ୍ଥାନାନ୍ତର ଦାବିରେ ଟାଇଁସି ଅଞ୍ଚଳରେ ଉତ୍ତେଜନା, ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ ପାଇଁ ପହଞ୍ଚିଲା ବିଶେଷଜ୍ଞ ଟିମ୍

Published By : Prameya-News7 Bureau | October 22, 2018 IST

ଅନୁଗୋଳ ୨୨|୧୦: ସୁନ୍ଦରୀକୁ ନେଇ ଅଶାନ୍ତ ହୋଇପଡିଛି ସାତକୋଶିଆ ଅଞ୍ଚଳ । ଏବେବି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି । ସୁରକ୍ଷା ଦୃଷ୍ଟିରୁ ଅନୁଗୋଳ ଟାଇଁସି ଗାଁରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଗତକାଲି ବାଘୁଣୀ ସୁନ୍ଦରୀ ପାଇଁ ଘଟିଥିଲା ଲଙ୍କାକାଣ୍ଡ । ଅନୁଗୋଳ ଟାଇଁସିରେ ବାଘ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ଲୋକ ରାସ୍ତାକୁ  ଓହ୍ଲାଇଥିଲେ । ପୋଲିସ ଏବଂ ଉତ୍ତ୍ୟକ୍ତ ଲୋକେ ମୁହାଁମୁହିଁ ହୋଇଥିଲେ । ସ୍ଥିତି ନିୟନ୍ତ୍ରଣ କରିବା ଲାଗି ପୋଲିସ ଲାଠି ପ୍ରୟୋଗ କରିଥିଲା, ଲୁହବୁହା ବାଷ୍ପ ବି ପ୍ରୟୋଗ କରିଥିଲା । ଆଉ ଲୋକେ ବି ପୋଲିସ ଉପରକୁ ଢେଲାପଥର ମାଡ଼ କରିଥିଲେ । ଜଣେ ପୋଲିସ କର୍ମଚାରୀଙ୍କ ବନ୍ଧୁକ ଭାଙ୍ଗି ଦେବା ସହିତ ତାଙ୍କୁ ଲୋକେ ଆକ୍ରମଣ କରିଥିଲେ । ସେପଟେ ପୋଲିସର ଲାଠି ମାଡରେ ବହୁ ସଂଖ୍ୟାରେ ଲୋକ ଆହତ ହୋଇଥିଲେ । ଏହାକୁ ନେଇ ଆଜି ବି ଚାପା ଉତ୍ତେଜନା ରହିଛି । ସୁନ୍ଦରୀ ବାଘୁଣୀକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଲୋକେ ଦାବି କରିଛନ୍ତି । ଏପଟେ ବାଘକୁ ଟ୍ରାଙ୍କୁଲାଇଜ୍ କରି ଧରିବା ପାଇଁ ବନବିଭାଗର ବିଶେଷଜ୍ଞ ଦଳ ପହଞ୍ଚିଛନ୍ତି । ତେବେ ସେମାନେ ସୁରକ୍ଷା ଲୋଡିଛନ୍ତି । ଏପଟେ ସହଯୋଗ କରିବା ଲାଗି ଲୋକଙ୍କୁ ଅନୁରୋଧ କରିଛି ପୋଲିସ । ଟାଇଁସି ଗାଁର ୩ କିଲୋମିଟର ଭିତରେ ବାଘୁଣୀ ଥିବା ସନ୍ଦେହ କରାଯାଉଛି । ଏହାକୁ ନେଇ ଲୋକେ ଭୟରେ ଅଛନ୍ତି । ବାଘ ଆକ୍ରମଣରେ ପ୍ରାଣ ହରାଇଥିବା ତ୍ରିନାଥ ବେହେରାଙ୍କ ମୃତଦେହ ରାସ୍ତାରେ ରଖି କାଲି ଲୋକେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ ଏହାକୁ ଉଦ୍ଧାର କରି ପୋଲିସ ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ତେବେ ପୋଲିସ ଏଯାଁଏ ମୃତଦେହକୁ ହସ୍ତାନ୍ତର କରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.