ବିବାଦୀୟ ମଙ୍ଗଳା କୋଠିକୁ ନେଇ ପୁଣି ତେଜିଲା ଆନ୍ଦୋଳନ, ରାସ୍ତାକୁ ଅବରୋଧ କଲେ ଶତାଧିକ ମହିଳା
8/08/2023 at 6:11 PM

ଆଠମଲ୍ଲିକ।ବୌଦ୍ଧ ୮।୮: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଟୁସର ସ୍ଥିତ ବିବାଦୀୟ ମଙ୍ଗଳା କୋଠିକୁ ନେଇ ପୁଣି ତେଜିଲା ଆନ୍ଦୋଳନ । ମଙ୍ଗଳା କୋଠି ଭାଙ୍ଗିବା ଦାବିରେ କୋଠି ଘେରାଉ କଲେ ଶତାଧିକ ମହିଳା ଗ୍ରାମବାସୀ । ରାସ୍ତାରେ କାଠଗଣ୍ଡି ପକାଇ କିଆକଟା-କିଶୋରନଗର ରାସ୍ତାକୁ ଅବରୋଧ କଲେ । ସେପଟେ ମଙ୍ଗଳା କୋଠିକୁ ସୁରକ୍ଷା ଦେବାରେ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ମଙ୍ଗଳା କୋଠିକୁ ନେଇ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଥିବା ବେଳେ ଏହି କୋଠିରୁ ବାରମ୍ବାର ବାଳକ-ବାଳିକା ଆସି ନିଖୋଜ ହେଉଥିବା ଅଭିଯୋଗ ହୋଇଆସୁଛି । ତେବେ ଏହି ମଙ୍ଗଳା କୋଠିର ମୁଖ୍ୟ ମଙ୍ଗଳା ସାଧିକା ନାବାଳକ ହତ୍ୟା ମାମଲାରେ ଏବେ ଜେଲରେ ଥିବା ବେଳେ ପୋଲିସ ପକ୍ଷରୁ ଏହି ଘଟଣାର ତଦନ୍ତରେ ବହୁ ଶିଥିଳତା ଦେଖାଦେଇଛି । ବାରମ୍ବାର ଗ୍ରାମବାସୀଙ୍କ ଅଭିଯୋଗ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ମଙ୍ଗଳା କୋଠିକୁ ପ୍ରଶାସନ ପକ୍ଷରୁ ଭଙ୍ଗା ଯାଇନାହିଁ । ଯାହାକୁ ନେଇ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଦିନ କାଟୁଥିବା ବେଳେ ମଙ୍ଗଳବାର ଉତ୍ତ୍ୟକ୍ତ ଗ୍ରାମବାସୀ ଏକତ୍ରିତ ହୋଇ ଏହି ମଙ୍ଗଳାକୋଠିକୁ ଘେରାଉ କରିଛନ୍ତି । ଏହି କୋଠିକୁ ସମ୍ପୂର୍ଣ୍ଣ ରୂପେ ଭଙ୍ଗାଯାଉ ବୋଲି ଦାବି କରିଛନ୍ତି ।

ସେପଟେ ଆଜି ବି ପୋଲିସ ଏହି ମଙ୍ଗଳା କୋଠିର ସୁରକ୍ଷାରେ ନିୟୋଜିତ ହୋଇରହିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି କାହିଁକି ପୋଲିସ ଏହି କୋଠିକୁ ସୁରକ୍ଷା ଦେବାରେ ଏତେ ତତ୍ପର ରହୁଛି ? କ’ଣ ରହିଛି ଏହି ମଙ୍ଗଳା କୋଠି ଭିତରେ ଏବଂ କାହାକୁ ଘଣ୍ଟା ଘୋଡାଇବାକୁ ଚେଷ୍ଟା କରୁଛି ପୋଲିସ ? ମଙ୍ଗଳା କୋଠିରେ ଗ୍ରାମବାସୀ ଏବଂ ପୋଲିସ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ପୋଲିସ ଏବଂ ମହିଳା ମଧ୍ୟରେ ଠେଲା ପେଲା ହୋଇଥିବା ଜଣାପଡିଛି ।
You Can Read :