ଓଡିଶା ସୀମା ଭିତରେ ପଶ୍ଚିମବଂଗର ଫଳକ ଭାଂଗିଲା ବାଲେଶ୍ବର ଜିଲ୍ଲା ପ୍ରଶାସନ

Published By : Prameya-News7 Bureau | August 28, 2018 IST

ବାଲେଶ୍ବର ୨୮|୮: ନ୍ୟୁଜ୍ ସେଭେନର ମହାପ୍ରଭାବ । ଓଡ଼ିଶା ସୀମା ଭିତରେ ପଶ୍ଚିମବଙ୍ଗ ସେଚ ବିଭାଗ ଲଗାଇଥିବା ଫଳକ ଭଙ୍ଗାହେଲା । ନ୍ୟୁଜ୍ ସେଭେନରେ ଖବର ପ୍ରସାରଣ ପରେ ବାଲେଶ୍ବର ଜିଲ୍ଲା ପ୍ରଶାସନ, ମେଦିନୀପୁର ଜିଲ୍ଲା ପ୍ରଶାସନକୁ ଚିଠି ଲେଖିଥିଲା । ଆଉ ମେଦିନୀପୁର ଜିଲ୍ଲା ପ୍ରଶାସନ, ପାଖାପାଖି ଦେଢ଼ମାସ ଚୁପ୍ ବସି ରହିବା ପରେ ବାଲେଶ୍ବର ଜିଲ୍ଲା ପ୍ରଶାସନ ଆଜି ଫଳକ ଭାଙ୍ଗିଛି । ସୀମାରେ ଉତ୍ତେଜନା । ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଉଦୟପୁର ନିକଟରେ ଉତ୍ତେଜନା । ମୁହାଁମୁହିଁ ହୋଇଛନ୍ତି ସୀମାନ୍ତ ଏପଟେ-ସେପଟେ ଥିବା ଦୁଇ ରାଜ୍ୟର ସ୍ଥାନୀୟ ବାସିନ୍ଦା, ସ୍ଥାନୀୟ ରାଜନେତା ଏବଂ ଦୁଇ ରାଜ୍ୟର ପୋଲିସ୍ । ତେବେ କାହିଁକି ? କି ପରିସ୍ଥିତି ହେଲା ଯେ, ଦୁଇ ରାଜ୍ୟ ମୁହାଁମୁହିଁ ହେଲେ ? ଫଳକ ପାଇଁ ହିଁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହେଲା । ଦୁଇ ମାସ ତଳେ ଏହି ଫଳକ ଲଗାଇଥିଲା ପଶ୍ଚିମବଙ୍ଗ ସେଚ ବିଭାଗ । ଯେଉଁଥିରେ ଲେଖା ଅଛି ଦିଘା ସି-ବିଚ୍, ପ୍ରୋଟେକସନ୍ ଆଣ୍ଡ୍ ବିଉଟିଫିକେସନ୍ ୱାର୍କ ଏକଜିକ୍ୟୁଟେଡ୍ ବାଏ ଇରିଗେସନ୍ ଆଣ୍ଡ୍ ୱାଟରୱେଜ୍ ଡିପାର୍ଟମେଣ୍ଟ, ଗମେଣ୍ଟ ଅଫ୍ ୱେଷ୍ଟବେଙ୍ଗଲ୍ । ତେବେ ଏହି ଫଳକ, ଓଡ଼ିଶା ସୀମା ଉପରେ ଥିଲା । ଯାହାକୁ ନେଇ ନ୍ୟୁଜ୍ ସେଭେନ୍ ପ୍ରଥମେ ଖବର ପ୍ରସାରଣ କରିଥିବା ବେଳେ ତାତିଥିଲେ ସ୍ଥାନୀୟ ଲୋକେ । ଆଉ ବାଧ୍ୟ ହୋଇ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲା ବାଲେଶ୍ବର ଜିଲ୍ଲା ପ୍ରଶାସନ । ତୁରନ୍ତ ଫଳକ ହଟାଇ ନେବାକୁ ପଶ୍ଚିମବଙ୍ଗର ମେଦିନୀପୁର ଜିଲ୍ଲା ପ୍ରଶାସନକୁ ଗତମାସ ୧୫ ତାରିଖରେ ଚିଠି ଲେଖିଥିଲା ବେଲେଶ୍ବର ଜିଲ୍ଲା ପ୍ରଶାସନ । କିନ୍ତୁ ମେଦିନୀପୁର ଜିଲ୍ଲା ପ୍ରଶାସନ ନଶୁଣିବାରୁ ଫଳକ ଭାଙ୍ଗିବାକୁ ବାଧ୍ୟ ହୋଇଛି ବାଲେଶ୍ବର ଜିଲ୍ଲା ପ୍ରଶାସନ । ଫଳକକୁ ନେଇ ସୀମା ଏପଟ-ସେପଟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିବା ବେଳେ ଉପସ୍ଥିତି ଥିଲେ ଦୁଇ ରାଜ୍ୟର ପୋଲିସ । ହେଲେ ବାଲେଶ୍ବର ଜିଲ୍ଲା ପ୍ରଶାସନ ବ୍ୟାପକ ପୋଲିସ୍ ଫୋର୍ସ ନେଇ ସମସ୍ତଙ୍କ ଉପସ୍ଥିତିରେ ହାଇଡ୍ରା ମେସିନ୍ ଦ୍ବାରା ଫଳକ ଭାଙ୍ଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.