ଖୋର୍ଦ୍ଧା ବେଗୁନିଆ ଥାନାରେ ଲୋକଙ୍କ ଲଙ୍କାକାଣ୍ଡ: ବିଧାୟକଙ୍କ ଗିରଫଦାରି ଦାବିରେ ଥାନାରେ ପଶି ବ୍ୟାପକ ଭଙ୍ଗାରୁଜା
23/01/2019 at 4:13 PM

ଖୋର୍ଦ୍ଧା ୨୩|୧: ଖୋର୍ଦ୍ଧା ବେଗୁନିଆ ଥାନାରେ ଲୋକଙ୍କ ଲଙ୍କାକାଣ୍ଡ । ସ୍ଥାନୀୟ ବିଧାୟକଙ୍କ ଗିରଫଦାରି ଦାବିରେ ଥାନାରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି ।ଏଥି ସହ ଖୋର୍ଦ୍ଧା-ବଲାଙ୍ଗିର ୫୭ନମ୍ବର ଜାତୀୟ ରାଜପଥକୁ ମଧ୍ୟ ବହୁ ସମୟ ଧରି ଅବରୋଧ କରିଥିଲେ ଉତ୍ୟକ୍ତ ଲୋକେ । ବିଧାୟକଙ୍କ ଦାଦାଗିରି ଅଭିଯୋଗ ପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ଏଭଳି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । …..

ବେଗୁନିଆ ବିଧାୟକଙ୍କ ଦାଦାଗିରି ଆଉ ପୋଲିସ ନିସ୍କ୍ରିୟତା ବିରୋଧରେ ତାତିଲେ ଲୋକେ । ଥାନାରେ ପସି ବ୍ୟାପକ ଭଙ୍ଗାରୁଜା କଲେ । ଦୀର୍ଘ ସମୟ ଧରି ଖୋର୍ଦ୍ଧା-ବଲାଙ୍ଗିର ୫୭ନମ୍ବର ଜାତୀୟ ରାଜପଥକୁ ଅବରୋଧ କଲେ । ସ୍ଥାନୀୟ ଅଂଚଳର ଜଣେ ପୂର୍ବତନ ସରପଞ୍ଚ ନବକିଶୋର ସ୍ବାଇଁଙ୍କୁ କିଛି ଦିନ ତଳେ ସ୍ଥାନୀୟ ବିଧାୟକ ପ୍ରଶାନ୍ତ କୁମାର ଜଗଦେବ କୌଣସି କାରଣକୁ ନେଇ ଧମକଚମକ ଦେବା ସହ ଦୁର୍ବ୍ୟବହାର କରିଥିବା ବେଗୁନିଆ ଥାନାରେ ଅଭିଯୋଗ ହୋଇଥିଲା।

ତେବେ ପୋଲିସ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ପୂର୍ବତନ ସରପଞ୍ଚଙ୍କ ସମର୍ଥକଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇଥିଲା । ସେମାନେ ଆଜି ଥାନା ଘେରାଉ କରିବାକୁ ଯାଇଥିବା ବେଳେ ପୋଲିସ ଠାରୁ କୌଣସି ସନ୍ତୋଷ ଜନକ ଉତ୍ତର ନପାଇ ସିଧା ଥାନାରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ ।

ନବକିଶୋର ସ୍ବାଇଁ ସ୍ଥାନୀୟ ଅଂଚଳରେ ୩୦ବର୍ଷ ଧରି ସରପଞ୍ଚ ରହିଆସିଥିଲେ । ଏବଂ ସେ ଜଣେ ବରିଷ୍ଠ ନାଗରିକ ହୋଇଥିବାରୁ ତାଙ୍କ ପ୍ରତି ବିଧାୟକଙ୍କ ଏଭଳି ବ୍ୟବହାରକୁ ବରଦାସ୍ତ କରିପାରୁନଥିଲେ ସ୍ଥାନୀୟ ଲୋକେ । ତା’ ଉପରେ ପୁଣି ପୋଲିସ ପ୍ରଶାସନର ନିସ୍କ୍ରିୟତା ଲୋକଙ୍କ ଅସନ୍ତୋଷକୁ ଆହୁରି ବଢ଼ାଇଥିଲା ।

ଥାନାରେ ଭଙ୍ଗାରୁଜା ପରେ ସେମାନେ ଦୀର୍ଘ ସମୟ ଧରି ଖୋର୍ଦ୍ଧା-ବଲାଙ୍ଗିର ୫୭ନମ୍ବର ଜାତୀୟ ରାଜପଥକୁ ଅବରୋଧ କରି ରଖିଥିଲେ । ଫଳରେ ରାସ୍ତାର ଉଭୟ ପାଖରେ ଶହ ଶହ ଗାଡ଼ି ମଟର ଅଟକି ରହିଥିଲା । ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଶାନ୍ତ ପଡ଼ିଥିଲା ପରିସ୍ଥିତି ।

ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ବାରମ୍ବାର ଏଭଳି ଅଭିଯୋଗ ଆସୁଥିଲେ ମଧ୍ୟ ପଲିଟିକାଲ ପ୍ରେସରରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ବୃଦ୍ଧି ପାଉଛି ।
