ଟିକାକରଣ କେନ୍ଦ୍ରରେ ଅବ୍ୟବସ୍ଥା : ଟୋକନ ପାଇଁ ଠେଲାପେଲା, ବର୍ଷାରେ ଭିଜିଭିଜି ଫେରୁଛନ୍ତି ଲୋକେ

Published By : Prameya-News7 Bureau | September 07, 2021 IST

ଆନନ୍ଦପୁର ୭।୯: କିଏ ରାତି ୩ଟାରୁ ଆସିଛି ତ ଆଉ କିଏ ୩ ଦିନ ହେଲା ଆସି ଟିକା ନପାଇ ଫେରୁଛି । ଲଘୁଚାପଜନିତ ଲଗାଣ ବର୍ଷାରେ ଧାଡିରେ ଛିଡାହୋଇ କରୋନା ମହାମାରୀ କବଚ ଟିକା ନେବାକୁ ଲୋକଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା । ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଥିବା ଟିକାକରଣ କେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ଟୋକନ ଖଣ୍ଡିଏ ପାଇବାକୁ ଏଠି ନିଜନିଜ ମଧ୍ୟରେ ଠେଲା ପେଲା ସହ ଯୁକ୍ତିତର୍କ ପର୍ଯ୍ୟନ୍ତ କଥା ଯାଉଛି । ଦୂରଦୂରାନ୍ତରୁ ଲୋକେ ରାତିକ ଆଗରୁ ଆସି ଲାଇନରେ ରହିଥିଲେ ମଧ୍ୟ ସେମାନଙ୍କ ନମ୍ବର ପଡୁନାହିଁ । ଏଥିନେଇ ଲୋକେ ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ଦାୟୀ କରିଛନ୍ତି । ଟିକା ଦେବାରେ ପାତରଅନ୍ତର ହେଉଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଲୋକେ । ଏମିତିକି ଟିକା ୨୦୦ ଥିବାବେଳେ ଲୋକ ୫୦୦ ପାଖାପାଖି ଥିବା ମଧ୍ୟ କୁହାଯାଉଛି ।

ଅନ୍ୟପଟେ ବର୍ଷା ହେଲେ ଏଠାକାର ପରିସ୍ଥିତି ପୁରା ବେହାଲ । ଲୋକଙ୍କ ପାଇଁ ଟିକାକେନ୍ଦ୍ର ଆଗରେ ହୋଇଥିବା ଛାମୁଣ୍ଡିଆ ତଳେ ଶହଶହ ଲୋକ ଏକାବେଳକେ ମୁଣ୍ଡ ଗୁଞ୍ଜି ରହୁଛନ୍ତି । ଆଉ ଅନେକ ବର୍ଷାରେ ଭିଜୁଛନ୍ତି । ତେବେ ଏଭଳି ଅବ୍ୟବସ୍ଥା ସମ୍ପର୍କରେ ଟିକାକରଣ କେନ୍ଦ୍ର ଅଧିକାରୀ କ୍ୟାମେରା ଆଗରେ କୌଣସି ପ୍ରତିକ୍ରିୟା ଦେବାକୁ ମନାକରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.