ହୀରାକୁଦ ଜଳ ଭଣ୍ଡାରକୁ ଏଥର ଆସିଛନ୍ତି ୧୦ପ୍ରଜାତିର ନୂଆ ପକ୍ଷୀଙ୍କ ସମେତ ୯୨ଟି ପ୍ରଜାତିର ୧ଲକ୍ଷ ୪୫ହଜାର ୯୪୬ଟି ବିଦେଶାଗତ ପକ୍ଷୀ, କଳରବରେ ମୁଖରିତ ସମଗ୍ର ଅଂଚଳ
11/01/2019 at 5:39 PM

ସମ୍ବଲପୁର ୧୧|୧: ହୀରାକୁଦକୁ ଆସିଥିବା ବିଦେଶୀ ପକ୍ଷୀଙ୍କ ଗଣନା କାର୍ଯ୍ୟ ସରିଛି । ଚଳିତବର୍ଷ ଅଧିକ ସଂଖ୍ୟାରେ ପକ୍ଷୀ ଆସିଛନ୍ତି । ଏହାସହ ଏଥର ୧୦ପ୍ରଜାତିର ନୂଆ ପକ୍ଷୀଙ୍କୁ ଚିହ୍ନଟ କରାଯାଇଛି । ହୀରାକୁଦ, ସମ୍ବଲପୁର ଓ ଝାରସୁଗୁଡା ବନ୍ୟପ୍ରାଣୀ ଅଞ୍ଚଳର ତିନୋଟି ଜୋନ୍ରେ ଏକା ସାଙ୍ଗରେ ପକ୍ଷୀ ଗଣନା କାର୍ଯ୍ୟ ସରିବା ପରେ ଚୁଡାନ୍ତ ରିପୋର୍ଟ ପ୍ରକାଶ ପାଇଛି ।

ହୀରାକୁଦକୁ କ୍ରମାଗତ ଷଷ୍ଠଥର ଲାଗି ବିଦେଶାଗତ ପକ୍ଷୀ ଆସିଛନ୍ତି। ଏହି ପକ୍ଷୀମାନଙ୍କ କଳରବରେ ଜଳଭଣ୍ଡାର ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଛି। ଆକାଶରେ ଦଳ ଦଳ ହୋଇ ପକ୍ଷୀ ଦୃଶ୍ୟ ସତରେ ଦେଖିଲା ଭଳି । ଗତବର୍ଷ ତୁଳନାରେ ଚଳିତବର୍ଷ ୯ହଜାରରୁ ଅଧିକ ପକ୍ଷୀ ଆସିଥିବା ଆସିଛନ୍ତି । ଏଥର ୧୦ଟି ନୂଆ ପ୍ରଜାତିର ନୂତନ ପକ୍ଷୀଙ୍କୁ ଚିହ୍ନଟ କରାଯାଇଛି । ଚଳିତବର୍ଷ ସମ୍ବଲପୁର,ହୀରାକୁଦ ଓ ଝାରସୁଗୁଡା ବନ୍ୟପ୍ରାଣୀ ଅଞ୍ଚଳକୁ ୯୨ଟି ପ୍ରଜାତିର ୧ଲକ୍ଷ ୪୫ହଜାର ୯୪୬ଟି ପକ୍ଷୀ ଆସିଥିବା ସ୍ପଷ୍ଟ ହୋଇଛି ଗଣନାରୁ । ଚଳିତବର୍ଷ ପକ୍ଷୀଗଣନା କାର୍ଯ୍ୟରେ ୨୧ଟି ୟୁନିଟ କରାଯାଇଥିଲା।

ବିଦେଶୀ ପକ୍ଷୀମାନେ ନିକଟସ୍ଥ ଡେବିର୍ଗଡ ଅଭୟାରଣ୍ୟରେ ବସା କରି ଅଣ୍ଡା ଦିଅନ୍ତି । ଯିବାବେଳେ ଶାବକମାନଙ୍କ ସହ ନିଜ ଦେଶକୁ ଫେରିଯାଇଥାନ୍ତି। ଜଳଭଣ୍ଡାରର ବିସ୍ତୀର୍ଣ୍ଣ ଜଳରାଶିର ପ୍ରାକୃତିକ ପରିବେଶ, ସୁହାଇଲା ଭଳି ଜଳବାୟୁ, ଚାରିପାଖରେ ସବୁଜିମା ଭରା ପାହାଡ ଏବଂ ଯଥେଷ୍ଟ ପରିମାଣର ଖାଦ୍ୟ ମିଳୁଥିବାରୁ ପକ୍ଷୀମାନେ ପ୍ରତିବର୍ଷ ଏଠାକୁ ଆକୃଷ୍ଠ ହୋଇ ଆସିଥାନ୍ତି । ଏଠାରେ ଅକ୍ଟୋବରରୁ ଫେବୃୟାରୀ ପର୍ଯ୍ୟନ୍ତ ରହି, ପୁଣି ନିଜ ଦେଶକୁ ଫେରିଯାଇଥାନ୍ତି ।

ପ୍ରତିବର୍ଷ ହୀରାକୁଦ ଜଳଭଣ୍ଡାରକୁ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ନିଶ୍ଚିତ ରୁପେ ଏକ ଶୁଭ ସୂଚନା। ହେଲେ ଏହି ପକ୍ଷୀମାନଙ୍କ ସୁରକ୍ଷା ପାଇଁ ଆହୁରି ଅଧିକ ବ୍ୟବସ୍ଥା କରିବାକୁ ପକ୍ଷୀପ୍ରେମୀ ମାନେ ଦାବି କରିଛନ୍ତି ।