ଭ୍ରୃଣ ବ୍ୟବସାୟ ବନ୍ଦ : ନିୟମ ନମାନିଲେ ୧୦ଲକ୍ଷ ଟଙ୍କା ଜୋରିମାନା , ତା’ପରେ ୧୨ବର୍ଷ ଜେଲ୍
20/02/2020 at 1:17 PM

ନୂଆଦିଲ୍ଲୀ ୨୦/୨: ଭ୍ରୃଣକୁ ନେଇ କରାଯାଇପାରିବନି ବ୍ୟବସାୟ। ସାରା ଦେଶରେ ଭ୍ରୃଣର କିଣାବିକାକୁ କଡ଼ାକଡ଼ିଭାବେ ବ୍ୟାନ୍ କରିଛନ୍ତି ସରକାର। ଏହାର ଉଲ୍ଲଙ୍ଘନକାରୀଙ୍କ ଲାଗି କଡ଼ା ଦଣ୍ଡ ବ୍ୟବସ୍ଥା କରାଯାଇଛି। ଯେଉଁ ଡାକ୍ତର କିମ୍ବା ଅଣ ବୃତ୍ତିଗତ ବ୍ୟକ୍ତି ଏହି କାମ କରିବେ,ତାଙ୍କ ଉପରେ ପ୍ରଥମ ଥର ୧୦ଲକ୍ଷ ଟଙ୍କାର ଜୋରିମାନା ଲାଗିବ। ପୁଣି ଥରେ ଏପରି କଲେ ୧୨ବର୍ଷର ଜେଲଦଣ୍ଡ ମିଳିବ। ଏଥିପାଇଁ କେନ୍ଦ୍ର କ୍ୟାବିନେଟ୍ ବୁଧବାର ସହାୟକ ପ୍ରଜନନ କୌଶଳ ନିୟମନ ବିଧେୟକ ୨୦୨୦ ଆଗତ କରିଥିଲେ।
ଏହା ଜରିଆରେ ଏହି କ୍ଷେତ୍ରରେ ଦେଶରେ କାମ କରୁଥିବା ସମସ୍ତ କ୍ଲିନିକ୍ ଏବଂ ଚିକିତ୍ସକଙ୍କ ଏକ ରେଜିଷ୍ଟର ମଧ୍ୟ କରାଯିବ ଯାହା ଫଳରେ ବେଆଇନ୍ କାର୍ଯ୍ୟ କରୁଥିବା ଲୋକଙ୍କୁ ନିୟନ୍ତ୍ରଣ କରାଯାଇପାରିବ। କେନ୍ଦ୍ର ମନ୍ତ୍ରୀ ସ୍ମୃତି ଈରାନୀ ଦାବି କରିଥିଲେ ଯେ ଏହି ବିଧେୟକ ମହିଳାଙ୍କୁ ପ୍ରଜନନ ଅଧିକାର ପ୍ରଦାନ କରିବ। ଲିଙ୍ଗ ପରୀକ୍ଷା କରୁଥିବା ଲୋକଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ କରିବ।
ଈରାନୀ କହିଥିଲେ ଯେ ଏହି ବିଧେୟକ ସଂସଦରେ ଆଗତ ହେବା ପରେ ଯେଉଁ ଦମ୍ପତ୍ତି,ମହିଳା ଏବଂ ଡୋନର ସହାୟକ ପ୍ରଜନନ କୌଶଳର ଉପଯୋଗ କରୁଛନ୍ତି, ତାଙ୍କ ପାଇଁ ପ୍ରୋଟୋକଲ୍ ସ୍ଥିର ହେବ। ଏକ ରାଷ୍ଟ୍ର ବୋର୍ଡ଼ ପ୍ରସ୍ତୁତ କରାଯିବ, ଯାହା ଏହି କୌଶଳ ଉପରେ କାମ କରୁଥିବା କ୍ଲିନିକ୍,ଚିକିତ୍ସକ ଏବଂ ଅନ୍ୟ ଲୋକଙ୍କ ଉପରେ ନଜର ରଖିବ। ରାଜ୍ୟରେ ବୋର୍ଡ଼ ନିର୍ମିତ ହେବ।
ଆଜି ଭାରତ ଏହି କୌଶଳର ବଡ଼ କେନ୍ଦ୍ର ହୋଇ ସାରିଛି। ନିଃସନ୍ତାନ ଦମ୍ପତ୍ତି ଏହା ଜରିଆରେ ନିଜର ଯନ୍ତ୍ରଣା ଦୂର କରୁଛନ୍ତି। ବିଶ୍ବର କୋଣ ଅନୁକୋଣରୁ ଲୋକେ ଭାରତ ଆସି ଏହି କୌଶଳର ଉପଯୋଗ କରୁଛନ୍ତି। କିନ୍ତୁ ଅନେକ ମାନବୀୟ ଏବଂ ନୈତିକ ପ୍ରଶ୍ନ ମଧ୍ୟ ଶିଶୁଙ୍କ ଜନ୍ମ ପ୍ରକ୍ରିୟା ଏବଂ ଶିଶୁ,ମହିଳାଙ୍କୁ ନେଇ ସୃଷ୍ଟି ହେଉଛି। ସେମାନଙ୍କ ଶୋଷଣ ମାମଲା ମଧ୍ୟ ସାମନାକୁ ଆସୁଛି।