ଭୁବନେଶ୍ୱର ୧୪।୦୫ : ଆସନ୍ତା ୨୦ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ହେବ । ବଲାଙ୍ଗୀର, କନ୍ଧମାଳ ଓ ଆସ୍କାରେ ମତଦାନ କରାଯିବ । ସେତେବେଳକୁ ରାଜ୍ୟରେ ତାତି ବଢ଼ିବ । ଏହି ୩ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, କେନ୍ଦ୍ରୀୟ ଓ ଦକ୍ଷିଣ ଉପକୂଳର ଅଧିକାଂଶ ସ୍ଥାନରେ ୧୭ ଯାଏ ବର୍ଷା ସମ୍ଭାବନା ଅଛି । ୧୬ ଓ ୧୭ରେ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ । ତେବେ ୧୯ରୁ ତାତି ବଢ଼ିବ । ୨ୟ ପର୍ଯ୍ୟାୟ ଭୋଟ୍ ବା ୨୦ ତାରିଖ ବେଳକୁ ବଲାଙ୍ଗିରରେ ତାତି ୪୦ ଡିଗ୍ରୀ ଉପରେ ଥିବ । କନ୍ଧମାଳ ଓ ଫୁଲବାଣୀ ଅଞ୍ଚଳରେ ପାଗ ଶୁଖିଲା ରହିବା ସହ ତାପମାତ୍ରା ୪୦ ଟପିବ । ସେହିଭଳି ଆସ୍କାରେ ତାତି ୪୧ ଓ ୪୨ ଡିଗ୍ରୀ ପାଖାପାଖି ରହିବ ବୋଲି ସେ ପୂର୍ବାନୁମାନ କରିଛନ୍ତି ।
ତେବେ ପାଣିପାଗ ବିଭାଗର ଆକଳନ କହୁଛି, ୧୫ ତାରିଖରେ ମାଲକାନଗିରି, ନବରଙ୍ଗପୁର, ବଲାଙ୍ଗୀର, କନ୍ଧମାଳ, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର ଓ ଯାଜପୁରର କିଛିସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୧୬ରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ୧୭ ଓ ୧୮ରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ ।