ଭୟଙ୍କର ହେବ ଗ୍ରୀଷ୍ମ ପ୍ରବାହ, ଆଗାମୀ ୪ ଦିନ ଯାଏ ପ୍ରଚଣ୍ଡ ଖରା

Published By : Prameya-News7 Bureau | April 17, 2024 IST

ଭୁବନେଶ୍ୱର ୧୭।୦୪ : ଗ୍ରୀଷ୍ମ ପ୍ରବାହର ପ୍ରକୋପ ଆହୁରି ଭୟଙ୍କର ହେବ । ୪ ଦିନ ଯାଏ ପ୍ରଚଣ୍ଡରୁ ପ୍ରଚଣ୍ଡତର ହେବ ଗ୍ରୀଷ୍ମ ପ୍ରବାହ । ୧୮ ଓ ୧୯ ତାରିଖରେ ୪୫ ଡିଗ୍ରୀ ସେଲ୍‌ସିୟସ୍‌ ଡେଇଁଯିବ ଦିନ ତାପମାତ୍ରା । ଅବିରତ ନିଆଁ ବର୍ଷା ଲାଗି ରହିବ । ରାତିରେ ମିଳିବ ନାହିଁ ଆଶ୍ୱସ୍ତି । ତତଲା ହାୱା ପ୍ରବାହିତ ହେବ । ଏମିତି ଭୟାନକ ସତର୍କ ଘଣ୍ଟି ବଜାଇଛି ପାଣିପାଗ ବିଭାଗ । 

ପୂର୍ବାନୁମାନ କହୁଛି, ବୁଧବାର ବାରିପଦା, ବଲାଙ୍ଗୀର, ଟିଟିଲାଗଡ଼, ମାଲକାନଗିରି, ନୟାଗଡ଼ ଓ ବୌଦ୍ଧରେ ତାତି ୪୩ ଡିଗ୍ରୀ ଛୁଇଁପାରେ । ୧୮ରେ ଟିଟିଲାଗଡ଼, ବୌଦ୍ଧ ଓ ଝାରସୁଗୁଡ଼ାରେ ତାତି ୪୫ ଡିଗ୍ରୀ ଛୁଇଁବା ସହ ତତଲା ଅଞ୍ଚଳ ପାଲଟିବ । ସୋନପୁର, ମାଲକାନଗିରି ଓ ବାରିପଦାରେ ତାତି ୪୪ ଡିଗ୍ରୀ ଛୁଇଁବ । ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ବି ପ୍ରଚଣ୍ଡ ତାତି ଓ ଗ୍ରୀଷ୍ମଲହରୀ ବହିବ । ୧୯ ତାରିଖରେ ମାଲକାନଗିରି, ଅନୁଗୁଳ, ବୌଦ୍ଧ, ନୟାଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା ଓ ଭବାନୀପାଟଣାରେ ତାତି ୪୫ ଡିଗ୍ରୀ ଛୁଇଁଯିବ । ବାରିପଦା, ନୂଆପଡ଼ା, ସୋନପୁରରେ ୪୪ ଛୁଇଁବ । ୨୦ରେ ବି ତାତି କମିବାର ସମ୍ଭାବନା ଦିଶୁନି, ସେମିତି ଜଳିବ । ୧୭ରେ କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଢେଙ୍କାନାଳ, ଯାଜପୁର, ନୟାଗଡ଼, କନ୍ଧମାଳ, କୋରାପୁଟ, ମାଲକାନଗିରି, ଅନୁଗୁଳ ଓ ବୌଦ୍ଧରେ ଗ୍ରୀଷ୍ମପ୍ରବାହ ବହିପାରେ । ଉପକୂଳ ଓଡ଼ିଶାର ସବୁ ସ୍ଥାନରେ ଅସମ୍ଭାଳ ତାତି ଓ ଗୁଳୁଗୁଳି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୧୮ ଓ ୧୯ରେ ବି ଉପକୂଳ ଓଡ଼ିଶା, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ବହିବ । 

  • Weather
  • Weather Forecast
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.