ଆକାଶରୁ ହେବ ନିଆଁବର୍ଷା, ବିଭିନ୍ନ ସ୍ଥାନରେ ୪୪ ଡିଗ୍ରୀ ଛୁଇଁପାରେ ପାରଦ

Published By : Prameya-News7 Bureau | April 16, 2024 IST

ଭୁବନେଶ୍ୱର ୧୬।୦୪ : ସୋମବାର  ସକାଳ ସାଢ଼େ ୮ଟାରେ ରାଜଧାନୀର ତାତି ୩୨.୬ ଡିଗ୍ରୀ ସେଲ୍‌ସିୟସ୍‌ ଥିଲା । ସାଢ଼େ ୧୧ଟା ସୁଦ୍ଧା ଆଉ ୬ଡିଗ୍ରୀରୁ ଅଧିକ ବଢ଼ି ୩୯.୨ଡିଗ୍ରୀ ହେଲା । ବାଲେଶ୍ୱରରେ ତାତି ୪୦ଡିଗ୍ରୀ ପାଖାପାଖି ପହଞ୍ଚି ଯାଇଥିଲା । ଦେହ, ହାତ ପୋଡ଼ି ପକାଉଥିଲା ତତଲା ପବନ । ସନ୍ଧ୍ୟା ଯାଏ ଗରମ କମିନଥିଲା । ଆଗକୁ ଭୟଙ୍କର ତାତି ମାଡ଼ିଆସୁଛି । ୧୭ରୁ କିଛି ସ୍ଥାନରେ ୪୫ ଡିଗ୍ରୀ ଛୁଇଁଯିବ । ଭୁବନେଶ୍ୱର ଓ କଟକ ଉତ୍ତପ୍ତ ଅଞ୍ଚଳ ପାଲଟିବ । 

୧୭ରୁ ୨୦ ତାରିଖ ଭିତରେ କିଛି ଜିଲ୍ଲାରେ ତାତି ୪୩ରୁ ୪୫ ଡିଗ୍ରୀରେ ପହଞ୍ଚିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ରାଜ୍ୟକୁ ଆସୁଥିବା ଶୁଷ୍କ ବାୟୁ ଓ ସୂର୍ଯ୍ୟକିରଣର ତୀବ୍ରତା ବଢ଼ିବା ଯୋଗୁ ପ୍ରଚଣ୍ଡ ତାତି ହେବ । ମଙ୍ଗଳବାର ଭୁବନେଶ୍ୱର, କଟକ, ଭବାନୀପାଟଣା ଓ ଝାରସୁଗୁଡ଼ାରେ ତାତି ୪୩ ଡିଗ୍ରୀ ଛୁଇଁପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । 

ଆକାଶରୁ ନିଆଁବର୍ଷା ହେବ । ପ୍ରଚଣ୍ଡ ଗ୍ରୀଷ୍ମଲହରୀ ଜନଜୀବନ ଅସ୍ତବ୍ୟସ୍ତ କରି ପକାଇବ । ଭଦ୍ରକ, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ନୟାଗଡ଼, କୋରାପୁଟ, ମାଲକାନଗିରିରେ ତାତି ଅସମ୍ଭାଳ ହେବ । ଏ ସବୁ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ବହିବ । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।  ଆଗାମୀ ୪ଦିନରେ ତାପମାତ୍ରା ଆହୁରି ୪ ଡିଗ୍ରୀ ବଢ଼ିପାରେ । 

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ସତର୍କ କରାଇ କହିଛନ୍ତି ଯେ, ଆସନ୍ତା ସପ୍ତାହ ଯାଏ ରାଜ୍ୟରେ ତାତିରୁ ତ୍ରାହି ମିଳିବନି। ୧୮, ୧୯ ଓ ୨୦ ତାରିଖରେ ଭୁବନେଶ୍ୱର ସହର ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ପାଲଟିବ । ଅସମ୍ଭାଳ ତାତି ଅନୁଭୂତ ହେବ । ତେବେ ୨୦ ଓ ୨୧ ତାରିଖରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ କାଁ ଭାଁ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି, ୧୭ ତାରିଖରେ ଭୁବନେଶ୍ୱର ଓ କଟକରେ ତାତି ୪୪ ଡିଗ୍ରୀ ଛୁଇଁଯିବ । ଏଭଳି ସ୍ଥିତିରେ ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼ିବ । ସମସ୍ତେ କଲବଲ ହେବେ। ଭଦ୍ରକ, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ନୟାଗଡ଼, କୋରାପୁଟ, ମାଲକାନଗିରି, କନ୍ଧମାଳ ଓ ବୌଦ୍ଧରେ ଗ୍ରୀଷ୍ମପ୍ରବାହ ଛଟପଟ କରିବ । 

୧୮ରେ ଟିଟିଲାଗଡ଼ରେ ୪୫ ଡିଗ୍ରୀ ଛୁଇଁପାରେ । କଟକ, ଭୁବନେଶ୍ୱର, ବୌଦ୍ଧ, ଅନୁଗୁଳ, ଝାରସୁଗୁଡ଼ା, ଭବାନୀପାଟଣା, ନୟାଗଡ଼, ପାରଳାଖେମୁଣ୍ଡି ଓ ରାୟଗଡ଼ାରେ ତାତି ୪୩ ଡିଗ୍ରୀ ରହିବ । ପ୍ରବଳ ତାତି ଯୋଗୁ ଗ୍ରୀଷ୍ମପ୍ରବାହ ସ୍ଥିତି ଜାରି ରହିବ ।ଭଦ୍ରକ, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ନୟାଗଡ଼, କୋରାପୁଟ, ମାଲକାନଗିରି, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି ଓ ସୋନପୁରରେ ଭୀଷଣ ଗ୍ରୀଷ୍ମଲହରୀ ହୋଇପାରେ । ୧୯ ତାରିଖରେ ବି ଏ ସବୁ ଜିଲ୍ଲାରେ ହିଟ୍‌ୱେଭ ପାଇଁ ସତର୍କତା ଜାରି ହୋଇଛି ।

ଅସମ୍ଭାଳ ତାତିକୁ ଆଖିଆଗରେ ରଖି ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍‌ଆରସି) ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି । ୧୧ଟାରୁ ୩ଟା ଭିତରେ କୌଣସି ଶ୍ରମିକଙ୍କୁ କାମରେ ନିୟୋଜିତ ନ କରିବାକୁ ସବୁ ଜିଲ୍ଲାପାଳ ଓ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଆଗରୁ ଏଭଳି ନିର୍ଦ୍ଦେଶ ଦିଆଯାଇଥିଲେ ବି ଅନେକ ଜାଗାରେ ଏହାର ଉଲଙ୍ଘନ ହେଉଛି। ଯଦି ଏହାର ପୁନରାବୃତ୍ତି ହୁଏ ତେବେ ବିପର୍ଯ୍ୟୟ ପରିଚାଳନା ନିୟମ-୨୦୦୫ ଅନୁସାରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍‌ଆରସି ଚେତାଇ ଦେଇଛନ୍ତି ।

  • Weather
  • Weather Forecast
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.