ଫେବୃଆରୀ ନା ମାର୍ଚ୍ଚ ମାସ, ଏବେଠାରୁ ପାରଦ ଉପର ମୁହାଁ...

Published By : Prameya-News7 Bureau | February 07, 2024 IST

ଭୁବନେଶ୍ୱର ୦୭।୦୨ : ଫେବୃଆରୀ ନା ମାର୍ଚ୍ଚ ମାସ! ଏବେଠାରୁ ପାରଦ ଉପର ମୁହାଁ । ଆଗକୁ ତା’ହେଲେ ବର୍ଷିବ  ନିଆଁ । ଶୀତର ବେଳ କାଳ ସରିନି। ମାଡ଼ି ଆସିଲାଣି ଟାଏଁ ଟାଏଁ ଖରା । ପାରଳାଖେମୁଣ୍ଡି, ଭବାନୀପାଟଣାରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍‌ ଛୁଇଁଛି । ଟିଟିଲାଗଡ଼, ମାଲକାନଗିରି ତାପମାତ୍ରା ୩୪.୫ ଡିଗ୍ରୀ । ଭୁବନେଶ୍ୱର ତାପମାତ୍ରା ବି ପ୍ରାୟ ସେତିକି (୩୪.୪ ଡିଗ୍ରୀ) । ସ୍ୱାଭାବିକଠାରୁ ୪ ଡିଗ୍ରୀ ଅଧିକ । ରାଜ୍ୟର ୧୩ ସହରରେ ମଙ୍ଗଳବାର ଦିନ ତାପମାତ୍ରା ୩୩ ଡିଗ୍ରୀ ସେଲିସିୟସ୍‌ ଡେଇଁଛି । କେବଳ ଦିନ ନୁହେଁ, ରାତିରେ ବି ଅସ୍ୱାଭାବିକ ତାପମାତ୍ରା । ଶୀତ କୁଆଡ଼େ ହଜିଯାଇଛି ।

ଉପକୂଳରେ ରାତି ତାପମାତ୍ରା ଯେତିକି ରହିବା କଥା, ତା’ଠାରୁ ୨ରୁ ୫ ଡିଗ୍ରୀ ଅଧିକ ଅଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୭ ଡିଗ୍ରୀ ଯାଏଁ ଅଧିକ ଅଛି । ସ୍ଥିତି ଏମିତି ଯେ ଫେବ୍ରୁଆରୀ ଆରମ୍ଭରୁ ହିଁ ଏସି, ପଙ୍ଖା ବିନା ରହି ହେଉନି । ବାହାରେ ଖରା ବାଧିଲାଣି, ଲାଗୁଛି ଯେମିତି ମାର୍ଚ୍ଚ ମାସ ଆସିଗଲା । ସାଧାରଣତଃ ଫେବ୍ରୁଆରୀ ତୃତୀୟ ସପ୍ତାହରୁ ହିଁ ଗରମ ଧୀରେ ଧୀରେ ବଢ଼ିଥାଏ । ମାତ୍ର ଏଥର ପ୍ରଥମ ସପ୍ତାହରୁ ଅସ୍ୱାଭାବିକ ତାପମାତ୍ରା ବୃଦ୍ଧି ନାକେଦମ୍‌ କଲାଣି । ପାଣିପାଗ ପୂର୍ବାନୁମାନ ହେଲା, ଆସନ୍ତା ୧୦ ତାରିଖବେଳକୁ ପାଗ ବଦଳିବ। ପଶ୍ଚିମା ବାୟୁ ପ୍ରଭାବରେ ବର୍ଷା ହୋଇପାରେ । ଏଥିରେ ଦିନ ତାପମାତ୍ରା କମିବ । ପାଗ କୋହଲା ବା କୁହୁଡ଼ିଆ ରହିପାରେ । ଏହାସହ ଆସନ୍ତା ଦୁଇଦିନ ପରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ କମିପାରେ ।

wp:embed {"url":"https://www.prameyanews7.com/heat-wave-start-in-month-of-february/","type":"wp-embed","providerNameSlug":"prameya-news-7"}
https://www.prameyanews7.com/heat-wave-start-in-month-of-february/
/wp:embed

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି, ବର୍ତ୍ତମାନ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ପବନ ଆସୁନାହିଁ । ଅସ୍ୱାଭାବିକ ଭାବେ ତାପମାତ୍ରା ବଢ଼ିଛି । ଭୁବନେଶ୍ୱର ତାପମାତ୍ରା ସ୍ୱାଭାବିକଠାରୁ ୪ ଡିଗ୍ରୀ ଅଧିକ ରହିଛି । ସମଗ୍ର ଉପକୂଳ ଓଡ଼ିଶାରେ ରାତି ତାପମାତ୍ରା ୨୦ ଡିଗ୍ରୀ ଉପରେ ରହିଛି । ୧୦ରୁ ପାଗ ବଦଳିବା ସମ୍ଭାବନା ଅଛି । ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ପାଣିପାଗରେ ଅଚାନକ ଅସ୍ୱାଭାବିକ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ବାୟୁମଣ୍ଡଳରେ ଜଳୀୟବାଷ୍ପ ନାହିଁ । ମାଟି ପୂରା ଶୁଖିଲା । ଉତ୍ତର-ପଶ୍ଚିମରୁ ପବନ ନାହିଁ । ଦକ୍ଷିଣ-ପଶ୍ଚିମ ଦିଗରୁ ଦିଗରୁ ପବନ ଆସୁଛି । ତେଣୁ ଦକ୍ଷିଣ ଓଡ଼ିଶାରେ ଉତ୍ତର ତୁଳନାରେ ଗରମ ଅଧିକ ଅନୁଭୂତ ହୋଇପାରେ ।

ଆସନ୍ତା ୯/୧୦ରୁ ଗରମ କମିବା ସହ ପାଗ ବଦଳିବା ସମ୍ଭାବନା ଅଛି । ଓଡ଼ିଶା ଓ ଆନ୍ଧ୍ର ଉପକୂଳ ସଂଲଗ୍ନ ବଙ୍ଗୋପସାଗରରେ ଗୁରୁଚାପ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ପବନ ପ୍ରବାହ ବଢ଼ିବ । ଜଳୀୟବାଷ୍ପ ଆସିବ ଓ ପାଗ କୁହୁଡ଼ିଆ ରହିପାରେ । କେବଳ ଏହି ବର୍ଷ ନୁହେଁ, ପୂର୍ବରୁ ମଧ୍ୟ ଫେବ୍ରୁଆରୀରେ ଏମିତି ଅସ୍ୱାଭାବିକ ଗରମ ଅନୁଭୂତ ହୋଇଛି । ୨୦୧୨, ୨୦୧୩, ୨୦୧୪ରେ ମଧ୍ୟ ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଏଭଳି ଗରମ ହୋଇଥିଲା । ୨୦୧୬ରେ ଫେବ୍ରୁଆରୀ ୨୦ରେ ପାରଦ ୪୦ ଟପିଥିଲା । ୨୦୧୯ରେ ମଧ୍ୟ ଏଭଳି ଗରମ ହୋଇଥିଲା । ରାତିର ତାପମାତ୍ରା ପୁରୀରେ ୨୪ ଡିଗ୍ରୀ ଥିବାବେଳେ ପାରାଦୀପରେ ୨୩.୬, କେନ୍ଦ୍ରାପଡ଼ାରେ ୨୨.୪, ଗୋପାଳପୁରରେ ୨୧.୯, ଚାନ୍ଦବାଲିରେ ୨୧.୯, ବାଲେଶ୍ୱରରେ ୨୧.୭, ଭୁବନେଶ୍ୱରରେ ୨୧.୭, ଟିଟିଲାଗଡ଼ରେ ୨୧, ଢେଙ୍କାନାଳରେ ୨୧, ଭଦ୍ରକରେ ୨୧, ଯାଜପୁରରେ ୨୧, ମାଲକାନଗିରିରେ ୨୦.୫, ତାଳଚେର ଓ କଟକରେ ୨୦ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି ।

wp:embed {"url":"https://www.prameyanews7.com/ukraine-born-miss-japan-gives-up-crown-after-her-affair-with-married-man-is-exposed/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ukraine-born-miss-japan-gives-up-crown-after-her-affair-with-married-man-is-exposed/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.