ଭୁବନେଶ୍ୱର ୦୭/୦୬: ତାତି ଆହୁରି ବଢ଼ିବ । ଭୀଷଣ ଗରମ ଓ ଗୁଳୁଗୁଳି ନାକେଦମ କରିବ । ଆସନ୍ତା ୪ ଦିନ ଭିତରେ ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ିପାରେ । ଅନ୍ୟପଟେ ପାଣିପାଗ ବିଭାଗ ଆକଳନ କରୁଛି, ୩-୪ ଦିନ ଭିତରେ ଓଡ଼ିଶାକୁ ମୌସୁମୀ ଆସିଯିବ । ପ୍ରଥମେ ଦକ୍ଷିଣ ଓଡ଼ିଶାରେ ପ୍ରବେଶ କରିବ ।
ଆସନ୍ତା ସପ୍ତାହେ ଯାଏଁ ରାଜ୍ୟରେ ବିସ୍ତୃତ ବର୍ଷା ସମ୍ଭାବନା କମ୍ । ୧୩ ତାରିଖରୁ ୨୦ ତାରିଖ ଭିତରେ ରାଜ୍ୟରେ ବର୍ଷା ବଢ଼ିବ । ଉପକୂଳରେ ଭଲ ବର୍ଷା ହୋଇପାରେ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି)ର ଆକଳନ ହେଲା, ମୌସୁମୀ ଦକ୍ଷିଣ ଓଡ଼ିଶାରେ ଜୁନ୍ ୧୦ ସୁଦ୍ଧା ପ୍ରବେଶ କରିପାରେ । ଆରବ ସାରଗ ପଟୁ ଦକ୍ଷିଣ ପଶ୍ଚିମ ବାୟୁ ପ୍ରବାହ ପ୍ରଭାବରେ ମହାରାଷ୍ଟ୍ର, ତେଲେଙ୍ଗାନା ଓ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାଗୁଡ଼ିକୁ ଜୁନ ୯ ଓ ୧୦ ସୁଦ୍ଧା ମୌସୁମୀ ଛୁଇଁବ ବୋଲି ସିଇସି ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି ।
ଆରବ ସାଗରର ମୌସୁମୀ ପ୍ରବାହ ଅଧିକ ଶକ୍ତିଶାଳୀ ହେଉଥିବାବେଳେ ଜୁନ ୧୫ ତାରିଖଠାରୁ ବଙ୍ଗୋପସାଗର ଶାଖା ସବଳ ହେବ । ଏହା ଓଡ଼ିଶା ତଥା ପୂର୍ବ ଭାରତର ରାଜ୍ୟଗୁଡ଼ିକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି । ଡକ୍ଟର ସାହୁଙ୍କ ପୂର୍ବାନୁମାନ ହେଲା, ୧୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ତାପମାତ୍ରା ୪୨ ଡିଗ୍ରୀ ରୁ କମ୍ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ୪୦ ଡିଗ୍ରୀରୁ କମ୍ ବା ମଧ୍ୟମ ଧରଣର ତାପମାତ୍ରା ରହିବ ।
ପାଗ ତତଲା ରହିବା ସହ ଗୁଳୁଗୁଳି ଜାରି ରହିବ । ଯଦି ମୌସୁମୀ ଆସିବାରେ ବିଳମ୍ବ ହୁଏ, ତେବେ ଜୁନ୍ ୧୨ ରୁ ୧୬ ମଧ୍ୟରେ ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକରେ ଦିନର ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ୍ ଏବଂ ଦକ୍ଷିଣ ଓଡ଼ିଶା ଜିଲ୍ଲାରେ ୪୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପହଞ୍ଚିଯିବା ଆଶଙ୍କା ରହିଛି । ପାଣିପାଗ ବିଭାଗ କହିଛି, ବର୍ତ୍ତମାନ ରାଜ୍ୟର ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା ବି ଅଛି ।
ଉପକୂଳ ଓଡ଼ିଶାରେ ଗରମ ସହ ଗୁଳୁଗୁଳି ସ୍ଥିତି ଲାଗି ରହିବ । ଗୁରୁବାର ରାଜ୍ୟରେ ଭୟଙ୍କର ଗରମ ଅନୁଭୂତ ହେଉଥିଲା । ରାଜ୍ୟର ୧୧ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ଥିଲା । ବଲାଙ୍ଗୀର ସର୍ବାଧିକ ୪୩ ଡିଗ୍ରୀ ତାତିରେ ଜଳିଥିଲା । ଝାରସୁଗୁଡ଼ା ୪୧.୩, ମାଲକାନଗିରି ୪୧.୫, ନୂଆପଡ଼ା ୪୨.୩, ସମ୍ବଲପୁର ୪୦.୮, ସୁନ୍ଦରଗଡ଼ ୪୦, ସୋନପୁର ୪୦.୧, ବୌଦ୍ଧ ୪୦.୮, ବରଗଡ଼ ୪୦.୮, ଖୋର୍ଦ୍ଧା ୪୦ ଡିଗ୍ରୀରେ ଛଟପଟ ହୋଇଥିଲା ।
କଟକ ତାପମାତ୍ରା ୩୯.୧ ଡିଗ୍ରୀ ଛୁଇଁଥିବାବେଳେ ଭୁବନେଶ୍ୱର ୩୮.୩ ଡିଗ୍ରୀ ସହ ସାଂଘାତିକ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇଥିଲା । ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଯୋଗୁ ସ୍ଥିତି ସାଂଘାତିକ ହୋଇ ପଡ଼ିଛି । ଗୁରୁବାର ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ବସିଥିଲା ।
ଗ୍ରୀଷ୍ମ ପ୍ରବାହ ମୁକାବିଲା ସହ ଜଙ୍ଗଲ ନିଆଁ ରୋକିବା ଦିଗରେ ରାଜ୍ୟର ପ୍ରସ୍ତୁତି ଓ ପଦକ୍ଷେପ ନେଇ କେନ୍ଦ୍ର କ୍ୟାବିନେଟ ସଚିବ ଏଥିରେ ସମୀକ୍ଷା କରିଥିଲେ । ବୈଠକରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓ ଏସଆରସି ସତ୍ୟବ୍ରତ ସାହୁ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ ।