ଭଗବାନଙ୍କୁ ବି ଛାଡିଲେନି, ଘୁମରେଶ୍ୱର ଶୈବପୀଠରୁ ଲିଙ୍ଗ ଚୋରି

Published By : Prameya-News7 Bureau | September 13, 2022 IST

ନବରଙ୍ଗପୁର ୧୩/୦୯: ଦୁର୍ବୃତ୍ତଙ୍କ କବଳରୁ ବର୍ତ୍ତିଲେନି ଭଗବାନ । ଚୋରି ହୋଇଗଲା ୧୨ ବର୍ଷ ପୂର୍ବେ ସ୍ୱତଃ ପ୍ରବୃତ୍ତ ଭାବେ ବାହାରିଥିବା ଶିବ ଲିଙ୍ଗ । ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ସଦର ପଞ୍ଚାୟତ ମଙ୍ଗରଦୋରା ପ୍ରସିଦ୍ଧ ଘୁମରେଶ୍ୱର ଶୈବପୀଠରୁ ଶିବ ଲିଙ୍ଗ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଦୁର୍ବୃତ୍ତ ପଥର ଗୁମ୍ଫା ମଧ୍ୟରେ ଆବିର୍ଭାବ ହୋଇଥିବା ଶିବ ଲିଙ୍ଗକୁ ଚୋରି କରି ନେଇଥିବା ଜଣାପଡ଼ିଛି । ଦୁର୍ବୁତ୍ତ ପ୍ରାୟ ଦୁଇ ଫୁଟ ଗାତ ଖୋଳି ଲିଙ୍ଗ ଚୋରି କରାଯାଇଛି ।

ସୂଚନା ଅନୁଯାୟୀ, ୧୨ ବର୍ଷ ପୂର୍ବେ ମଙ୍ଗରଦୋରା ଗ୍ରାମ ନିକଟସ୍ଥ ତଥା ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଏକ ପଥର ଗୁମ୍ଫାରେ ଶିବ ଲିଙ୍ଗ ଆବିର୍ଭାବ ହୋଇଥିଲେ । ଏହାପରେ ଏହା ଘୁମରେଶ୍ବର ଶୈବପୀଠ ନାମରେ ନାମିତ ହୋଇଥିଲା । ବଣ ପାହାଡ଼ ଘେରା ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟରେ ଶିବ ଲିଙ୍ଗ ଆବିର୍ଭାବ ପରେ ଏହି ସ୍ଥାନ ପ୍ରସିଦ୍ଧ ଶୈବପୀଠ ଭାବେ ବେଶ୍ ପରିଚିତ ହୋଇଥିଲା । ଏହି ଶୈବପୀଠର ବିକାଶ ପାଇଁ ସରକାରୀ ସ୍ତରରୁ ଅନେକ କାର୍ଯ୍ୟ ହୋଇଛି ।

ନବରଙ୍ଗପୁର ଜିଲ୍ଲାପାଳ ବାରମ୍ବାର ଏହି ଶୈବପୀଠ ବୁଲି ଏହାର ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ପ୍ରତ୍ୟେକ ବର୍ଷ ଏହି ପ୍ରସିଦ୍ଧ ଶୈବପୀଠକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ତେବେ ଏହି ଶୈବପୀଠରୁ ଶିବ ଲିଙ୍ଗ ଚୋରି ହେବା ପରେ ଭକ୍ତ ତଥା ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଲିଙ୍ଗ ଚୋରି କରିଥିବା ଦୁର୍ବୁତ୍ତଙ୍କୁ ତୁରନ୍ତ ଗିରଫ କରିବା ସହିତ ଶିବ ଲିଙ୍ଗଙ୍କୁ ଉଦ୍ଧାର ପାଇଁ ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବା ନିମନ୍ତେ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.