ଚିନ୍ତାର କାରଣ ପାଲଟିଲା ତାପମାତ୍ରା, ଉଚ୍ଚସ୍ତରୀୟ ବୈଠକରେ ଖାସ୍ ନିର୍ଦ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ
6/03/2023 at 10:52 PM

ନୂଆଦିଲ୍ଲୀ: ଚିନ୍ତାର କାରଣ ପାଲଟିଲା ତାପମାତ୍ରା। ବଢୁଥିବା ଗ୍ରୀଷ୍ମପ୍ରବାହ ମଣିଷର ଦୈନନ୍ଦୀନ ଜୀବନକୁ ଗୁରୁତର ଭାବେ ପ୍ରଭାବିତ କଲାଣି। ଆଗକୁ ତାପମାତ୍ରା ଆହୁରି ବଢିବାର ସମ୍ଭାବନା ମଧ୍ୟ ରହିଛି। ପାଣିପାଗ ଏବଂ ପରିବେଶର ଅସ୍ଵାଭାବିକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ଏହି ସମୟରେ ସେ ହସ୍ପିଟାଲ୍ରେ ଅଗ୍ନିନିର୍ବାପକ ଉପାୟ ଏବଂ ବନାଗ୍ନି(ଜଳୁଥିବା ଜଙ୍ଗଲ)ର ମୁକାବିଲା ପାଇଁ ମିଳିତ ଉଦ୍ୟମ ଉପରେ ଗୁରୁତ୍ଵାରୋପ କରିଛନ୍ତି। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(ପିଏମଓ) ବୟାନରେ ଏହାର ସୂଚନା ଦିଆଯାଇଛି। ରବି ଫସଲ ଉପରେ ପାଣିପାଗର ପ୍ରଭାବ ଏବଂ ପ୍ରମୁଖ ଫସଲର ସମ୍ଭାବିତ ଚାଷ ବିଷୟରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଛି।
ପିଏମଓ କହିଛନ୍ତି, ବୈଠକରେ ଜଳସେଚନ, ଚାରା ଏବଂ ପାନୀୟ ଜଳର ନିରୀକ୍ଷଣ ପାଇଁ ଜାରି ଉଦ୍ୟମର ମଧ୍ୟ ସମୀକ୍ଷା କରାଯାଇଛି। ପ୍ରଧାନମନ୍ତ୍ରୀଙ୍କୁ ଆବଶ୍ୟକ ଯୋଗାଣ ସଂପର୍କରେ ପ୍ରସ୍ତୁତି ନେଇ ଅବଗତ କରାଯାଇଛି। ଏ ସମ୍ବନ୍ଧରେ ରାଜ୍ୟ ଏବଂ ହସ୍ପିଟାଲ୍ର ଆନୁସଙ୍ଗିକ ଭିତ୍ତିଭୂମିର ପ୍ରସ୍ତୁତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସୂଚିତ କରାଯାଇଥିଲା।
ପିଏମଓର ବୟାନ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଲୋକଙ୍କ ସହ ବିଭିନ୍ନ ସରକାରୀ ଏବଂ ବେସରକାରୀ ସଂସ୍ଥାକୁ ସଚେତନ କରାଇବା ଉପରେ ଜୋର ଦେଇଛନ୍ତି। ବିଦ୍ୟାଳୟଗୁଡିକରେ ଛାତ୍ର-ଛାତ୍ରୀମାନଙ୍କ ଅତ୍ୟଧିକ ଗରମର ମୁକାବିଲା ପାଇଁ କିଛି ପ୍ରଶିକ୍ଷଣ ଶିବିର ଆୟୋଜନ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ସହଜ ଶବ୍ଦରେ ଅବଗତ କରାନ୍ତୁ ପାଣିପାଗ ବିଷୟରେ
ପ୍ରଧାନମନ୍ତ୍ରୀ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)କୁ ଦୈନିକ ପାଣିପାଗର ପୂର୍ବାନୁମାନ ଏହିପରି ଜାରି କରିବାକୁ କହିଛନ୍ତି ଯଦ୍ଵାରା ସହଜରେ ବ୍ୟାଖ୍ୟା କରାଯିବା ସହ ଏହାର ପ୍ରସାର କରାଯାଇ ପାରିବ। ପାଣିପାଗର ପୂର୍ବାନୁମାନ ଲାଗି ସମାଚାର ଚ୍ୟାନେଲ, ଏଫଏମ ରେଡିଓ ଆଦିକୁ ସାମିଲ୍ କରାଇବା ଉପରେ ଗୁରୁତ୍ଵାରୋପ କରିଛନ୍ତି।