ମାର୍ଚ୍ଚ-ମେ ସ୍ୱଭାବିକରୁ ଅଧିକ ରହିବ ତାତି, ବଢ଼ିବ ଗରମ ଦିନସଂଖ୍ୟା

Published By : Prameya-News7 Bureau | March 01, 2024 IST

ନୂଆଦିଲ୍ଲୀ ୧।୩: ବସନ୍ତ ଋତୁ ଆରମ୍ଭରେ ଗ୍ରୀଷ୍ମର ଅନୁଭବ ହେବାକୁ ଲାଗିଲାଣି। ଦେଶର ଅଧିକାଂଶ ଅଞ୍ଚଳରେ ତାପମାତ୍ରାରେ ପରିବର୍ତ୍ତନ ଅନୁଭୂତ  ହୋଇଛି। ଏବେ ପାଣିପାଗ ବିଭାଗ (ଆଇଏମଡି) ୨୦୨୪ ମାର୍ଚ୍ଚରୁ ମେ ମାସ ମଧ୍ୟରେ ତାପମାତ୍ରା ସ୍ୱଭାବିକରୁ ଅଧିକ ରହିବ ବୋଲି ଆକଳନ କରିଛନ୍ତି। ଏଥିରେ ମହାରାଷ୍ଟ୍ର,ରାଜସ୍ଥାନ, ଗୁଜରାଟ, ହରିୟାଣା, ପଞ୍ଜାବ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଓଡିଶା, ଛତିଶଗଡ ଓ ତେଲେଙ୍ଗାନା ଆଦି ରାଜ୍ୟରେ ଗରମ ଦିନ ସଂଖ୍ୟା ବଢିବ ବୋଲି ଆକଳନ କରାଯାଇଛି।

ସେହିପରି ଆଇଏମଡି ବର୍ଷାକୁ ନେଇ ମଧ୍ୟ ପୂର୍ବାନୁମାନ କରିଛନ୍ତି। ଏଥିରେ ମାର୍ଚ୍ଚରୁ ମେ ମାସ ମଧ୍ୟରେ ଦେଶରେ ସ୍ୱଭାବିକରୁ ଅଧିକ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି।  ତେବେ ଏହି ସମୟରେ ଦେଶର ଦକ୍ଷିଣ-ପୂର୍ବ, ଉତ୍ତର-ପୂର୍ବ ଓ ଉତ୍ତର-ପଶ୍ଚିମର କେତେକ ଅଞ୍ଚଳରେ ସମାନ୍ୟରୁ କମ୍‌ ବର୍ଷା ହୋଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି। ଗ୍ରୀଷ୍ମ ଋତୁରେ ହିଟୱେଭ ଏବେ ସାଧାରଣ କଥାରେ ପରିଣତ ହୋଇଛି। ଏଥିରେ ଚଳିତବର୍ଷ ମହାରାଷ୍ଟ୍ରର କିଛି ଅଞ୍ଚଳ ସହିତ ଓଡ଼ିଶାରେ ହିଟୱେଭ ଦିନ ସଂଖ୍ୟା ବଢିବ ବୋଲି ଆକଳନ କରାଯାଉଛି।

{"id":915871,"width":838,"height":471,"sizeSlug":"full","linkDestination":"none"}

ଆଇଏମଡି ମାର୍ଚ୍ଚ ମାସରେ ତାପମାତ୍ରା ସ୍ୱଭାବିକରୁ ଅଧିକ ରହିବ ବୋଲି ଅନୁମାନ କରିଛନ୍ତି। ଏଥିରେ ଭାରତୀୟ ଉପଦ୍ୱୀପର ଅଧିକାଂଶ ଅଞ୍ଚଳ, ଉତ୍ତରପୂର୍ବ  ଓ ପଶ୍ଚିମ କେନ୍ଦ୍ରୀୟ ଭାରତ ଓ ଉତ୍ତର-ପଶ୍ଚିମ ଭାରତର ଅଧିକାଂଶ ଅଞ୍ଚଳର ତାପମାତ୍ରା ସ୍ୱାବିବକରୁ ଅଧିକ ରହିପାରେ। ତେବେ ଏହି ସମୟରେ ପୂର୍ବ ଏବଂ ପୂର୍ବ କେନ୍ଦ୍ରୀୟ ଭାରତରେ ତାପମାତ୍ରା ସ୍ୱଭାବିକ ଅଥବା ସ୍ୱଭାବିକରୁ ବି କମ୍‌ ରହିପାରେ।

ହିମାଳୟ ସଲଗ୍ନ  ଅଞ୍ଚଳରେ ଏପରି ପାଗ ଅନୁଭୂତ ହୋଇପାରେ। ମାର୍ଚ୍ଚରୁ ମେ ଅବଧିରେ ସ୍ୱଭାବିକରୁ ଅଧିକ ସଂଖ୍ୟାରେ ହିଟୱେଭ ଦିନସବୁ ଅନୁଭୂତ ହେବ। ଉତ୍ତର-ପୂର୍ବ, ପଶ୍ଚିମ ହିମାଳୟ ଅଞ୍ଚଳ, ଦକ୍ଷିଣ-ପଶ୍ଚିମ ପ୍ରାୟୋଦ୍ୱୀପ ଓ ପଶ୍ଚିମ ଉପକୂଳକୁ ବାଦ ଦେଲେ  ଦେଶର ଅଧିକାଂଶ ଭାଗରେ ହିଟୱେଭ ପ୍ରଭାବିତ ହେବାର ଆଇଏମଡି ଆକଳନ କରିଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.