ଏବର୍ଷ ଖରା ଆହୁରି କଷ୍ଟ ଦେବ, ତାପମାତ୍ରା ସାଧାରଣଠାରୁ ୧.୫ଡିଗ୍ରି ଅଧିକ ହେବ

Published By : Prameya-News7 Bureau | February 20, 2020 IST

ନୂଆଦିଲ୍ଲୀ ୨୦।୨: ଚଳିତ ବର୍ଷ ଡହଳ ବିକଳ କରିବ ତାତି । ଗ୍ଲୋବାଲ ଓ୍ବାର୍ମିଂ ଏବଂ ପାଣିପାଗ ଚକ୍ରରେ ପରିବର୍ତ୍ତନ ଯୋଗୁଁ ଚଳିତ ବର୍ଷ ପାରଦ ସାମାନ୍ୟରୁ ୧.୫ ଡିଗ୍ରି ଅଧିକ ବଢିପାରେ । ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ ଅନୁସାରେ ଚଳିତ ବର୍ଷ ମେ ଏବଂ ଜୁନ୍ ମାସରେ ପାରଦ ୪୫ ଡିଗ୍ରି ପର୍ଯ୍ୟନ୍ତ ପହଞ୍ଚିପାରେ ।

ସେହିଭଳି ମାର୍ଚ୍ଚ ଏବଂ ଅପ୍ରେଲ ମାସରେ ଦେଶର ଅଧିକାଂଶ ଅଞ୍ଚଳ ବିଶେଷକରି ଉତ୍ତର ଏବଂ ମଧ୍ୟ ଭାରତରେ ତାପମାତ୍ରା ସାମାନ୍ୟରୁ ଅଧିକ ରହିପାରେ । ପାଣିପାଗ ବିଭାଗ ଅନୁସାରେ ଅପ୍ରେଲରେ ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ରାଜସ୍ଥାନ ଏବଂ ମହାରାଷ୍ଟ୍ରର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୧ରୁ ୧.୫ ଡିଗ୍ରି ସେଲସିୟସରୁ ଅଧିକ ରହିବ ।

ଫେବୃଆରୀରେ ମହାରାଷ୍ଟ୍ର ଏବଂ ଦକ୍ଷିଣ ଭାରତର ରାଜ୍ୟରେ ତାତି ବଢିବା ଆରମ୍ଭ ହୋଇସାରିଲାଣି । କିଛି ଅଞ୍ଚଳରେ ସର୍ବାଧିକ ତାପମାତ୍ରା ୩୨ରୁ ୩୫ ଡିଗ୍ରୀ ପର୍ଯ୍ୟନ୍ତ ରେକର୍ଡ କରାଯାଇଛି । ଆସନ୍ତା ଦୁଇ ମାସ ମଧ୍ୟରେ ତାପମାତ୍ରା ଆହୁରି ବଢିବ । ସେହିଭଳି ମାର୍ଚ୍ଚରେ ମହାରାଷ୍ଟ୍ର, ଗୁଜରାଟ, ରାଜସ୍ଥାନ ଏବଂ ଦକ୍ଷିଣ ଭାରତର ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଏବଂ ତାମିଲନାଡୁରେ ତାପମାତ୍ରା ୦.୫ରୁ ୧ ଡିଗ୍ରି ସେଲସିୟସ ଅଧିକ ରହିବା ନେଇ ସମ୍ଭାବନା ରହିଛି ।

ପାଣିପାଗ ବିଭାଗର ଅଧିକାରୀଙ୍କ ମୁତାବିକ ସମସ୍ତ ପୂର୍ବାନୁମାନ ଗ୍ଲୋବାଲ ଓ୍ବାର୍ମିଂକୁ ଦେଖି କରାଯାଇଥାଏ । ଏବେ ତାପମାତ୍ରାକୁ ସାମାନ୍ୟରୁ ଅଧିକ ବଢାଉଥିବା କାରକ ଏଲ ନିନୋର ଉପସ୍ଥିତି ଜଣାପଡୁନାହିଁ । ମାତ୍ର ଗତ ବର୍ଷ ଜୁନ୍ ପର୍ଯ୍ୟନ୍ତ ଏସ ନିନୋ ସକ୍ରିୟ ଥିଲା । ଏହାର ପ୍ରଭାବ ଚଳିତ ବର୍ଷ ମଧ୍ୟ ଦେଖିବାକୁ ମିଳିପାରେ । ଏହା ଯୋଗୁଁ ତାପମାତ୍ରା ସାମାନ୍ୟରୁ ଅଧିକ ରହିବ ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ୨୦୨୦ରୁ ୨୦୬୪ ପର୍ଯ୍ୟନ୍ତ ତାତି ଏବଂ ଲୁ ବୃଦ୍ଧି ହେବା ଜାରି ରହିବ । ଏହା ଗ୍ଲୋବାଲ ଓ୍ବାର୍ମିଂ କାରଣରୁ ହିଁ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.