ଭୁବନେଶ୍ୱର ୧୪।୦୪ : ତାତି ବଢ଼ିଛି । ଆଗକୁ ଆହୁରି ବଢ଼ିବ । ରବିବାରଠାରୁ ଅସମ୍ଭାଳ କରିବ ତାତି । ପ୍ରଚଣ୍ଡ ତାତି ସହ ଗୁଳୁଗୁଳି ଅନୁଭୂତ ହେବ । ୧୫ରୁ ଗ୍ରୀଷ୍ମପ୍ରବାହ ବହିବ । ପୁଣି ଲୋକଙ୍କୁ କଲବଲ କରିବ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । ରବିବାର କଟକ, ଖୋର୍ଦ୍ଧା, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ ବାଲେଶ୍ୱରରେ ପ୍ରବଳ ତାତି ଓ ଗୁଳୁଗୁଳି ରହିବ । ଏ ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
୧୫ରୁ ରାଜ୍ୟରେ ଗ୍ରୀଷ୍ମପ୍ରବାହ ବହିବ । ୧୫ରେ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ନୟାଗଡ଼, ବୌଦ୍ଧ, କଟକ, କନ୍ଧମାଳ, କୋରାପୁଟ, ମାଲକାନଗିରି, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମପ୍ରବାହ ବହିବ । ୧୬ ଓ ୧୭ତାରିଖରେ ବି ଏ ସବୁ ଜିଲ୍ଲାରେ ଅନୁରୂପ ଗ୍ରୀଷ୍ମପ୍ରବାହ ରହିବ । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ପାଇଁ ୧୫ରୁ ୧୭ ତାରିଖ ଯାଏ ଏ ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୧୪ରେ ବାରିପଦା ଓ ପାରଳାଖେମୁଣ୍ଡିରେ ତାତି ୪୦ ଡିଗ୍ରୀ ଛୁଇଁବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ୧୫ରେ ବାରିପଦାରେ ୪୧ ଡିଗ୍ରୀ ଛୁଇଁପାରେ । ସୁନ୍ଦରଗଡ଼, ସମ୍ବଲପୁର, ଟିଟିଲାଗଡ଼, ଯାଜପୁର, ଭୁବନେଶ୍ୱର, ଖୋର୍ଦ୍ଧା, ପାରଳାଖେମୁଣ୍ଡି ଓ ମାଲକାନଗିରିରେ ତାତି ୪୦ ଡିଗ୍ରୀ ଛୁଇଁପାରେ ବୋଲି ପୂର୍ବାନୁମାନ କରାଯାଇଛି ।