ରବିବାରଠୁ ଅସମ୍ଭାଳ ତାତି, ୬ରୁ ୮ ଡିଗ୍ରୀ ବଢିବ ପାରଦ

Published By : Prameya-News7 Bureau | April 13, 2024 IST

ଭୁବନେଶ୍ୱର ୧୩।୦୪ : ଶନିବାରଠାରୁ କଲବଲ କରିବ ତାତି । ଦିନ ତାପମାତ୍ରା ୬ରୁ ୮ ଡିଗ୍ରୀ ବଢ଼ିଯିବ । ସ୍ୱାଭାବିକଠାରୁ ତଳେ ଥିବା ଅଧିକାଂଶ ସ୍ଥାନର ତାପମାତ୍ରା ସ୍ୱାଭାବିକକୁ ଫେରିବ । ୧୪ ତାରିଖରୁ ପୁଣି ଅସମ୍ଭାଳ ହେବ ତାତି । ପୁଣି ଛଟପଟ ହେବେ ଲୋକେ । 

ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଆସନ୍ତା ୨୪ ଘଣ୍ଟା ଯାଏ ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି । ପରେ ତାପମାତ୍ରା କ୍ରମଶଃ ୬ରୁ ୮ ଡିଗ୍ରୀ ବଢ଼ିବ । ୧୪ରେ ଆର୍ଦ୍ରତା ଅଧିକ ଯୋଗୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ । କଟକ, ନୟାଗଡ଼, ବୌଦ୍ଧ, ଅନୁଗୁଳ ଓ ଖୋର୍ଦ୍ଧାରେ ପ୍ରବଳ ତାତି ରହିବ । 

୧୫ରେ କଟକ, ନୟାଗଡ଼, ମାଲକାନଗିରି, କୋରାପୁଟ, ଅନୁଗୁଳ ଓ ଢେଙ୍କାନାଳରେ ଗ୍ରୀଷ୍ମପ୍ରବାହ ସ୍ଥିତି ରହିବ । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୧୬ରେ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ନୟାଗଡ଼, ବୌଦ୍ଧ, କଟକ, କନ୍ଧମାଳ, କୋରାପୁଟ, ମାଲକାନଗିରି, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ବହିବ । 

ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରି କହିଛନ୍ତି, ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳରୁ ରାଜ୍ୟକୁ ଆର୍ଦ୍ର ଦକ୍ଷିଣା ପବନ ବହୁଥିଲା । ସୃଷ୍ଟି ହୋଇଥିବା ସ୍ପଷ୍ଟ ଗୁରୁଚାପ ଯୋଗୁ ରାଜ୍ୟକୁ ପଶ୍ଚିମା ପବନ ଆସି ପାରୁନଥିଲା । ଏହି ଗୁରୁଚାପ ୧୫ରୁ ଦକ୍ଷିଣ ବଙ୍ଗୋପସାଗରକୁ ମୁହାଁଇବ । ରାଜ୍ୟକୁ ଉତ୍ତର ପଶ୍ଚିମା ଶୁଷ୍କ ପବନ ବହିବା ଯୋଗୁ ତାପମାତ୍ରା ବଢ଼ିଯିବ ।

୧୩ ଓ ୧୪ତାରିଖରେ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ସର୍ବାଧିକ ତାପମାତ୍ରା ୪୦ଡିଗ୍ରୀ ପାଖାପାଖି ରହିବ । ୧୫ତାରିଖରେ ତାତି ୪୦ଡିଗ୍ରୀ ଟପିଯିବ।  ୧୮ ଓ ୧୯ରେ ଭୀଷଣ ତାତି ଅନୁଭୂତ ହେବ । ତାପମାତ୍ରା ୪୩ ଡିଗ୍ରୀ ଟପିପାରେ । ପ୍ରଚଣ୍ଡ ତାତି ଯୋଗୁ ଗ୍ରୀଷ୍ମପ୍ରବାହ ସ୍ଥିତି ରହିବ । ଅସହ୍ୟ ଗୁଳୁଗୁଳି ଅନୁଭୂତ ବି ହେବ ବୋଲି ପ୍ରଫେସର ପଶୁପାଳକ ପୂର୍ବାନୁମାନ କରିଛନ୍ତି । ତେବେ ୨୦ ତାରିଖରୁ ତାତି ପୁଣି କମିପାରେ ବୋଲି ସେ କହିଛନ୍ତି ।

୧୪ରେ ମାଲକାନଗିରି ଓ ରାୟଗଡ଼ାରେ ତାତି ୪୦ଡିଗ୍ରୀ ଟପିବ । ୧୫ ତାରିଖରେ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ତାତି ୪୦ଡିଗ୍ରୀ ଅତିକ୍ରମ କରିବ । ୧୭ରୁ ୧୯ ଭିତରେ  ଅନେକ ସ୍ଥାନରେ ତାତି ୪୩ ଡିଗ୍ରୀ ଛୁଇଁପାରେ ବୋଲି ସେ ଆକଳନ କରିଛନ୍ତି । ତାତି ପାଇଁ ସେ ଅନେକ ସତର୍କତା ପରାମର୍ଶ ଦେଇଛନ୍ତି । ସେହିପରି କୁକୁଡ଼ା ଫାର୍ମ ଓ ଗୁହାଳରେ ଓଦା ଅଖା ରଖିବା ଓ ଫ୍ୟାନ୍‌ ବ୍ୟବହାର କରିବାକୁ କହିଛନ୍ତି । ପଶୁପକ୍ଷୀଙ୍କୁ କମ୍‌ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଦେବା ଓ ଅଧିକ ସବୁଜ ଖାଦ୍ୟ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ଖରାରେ କାମ ନ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । 

  • Weather
  • Weather Forecast
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.