ମୌସୁମୀ ଆଗମନ ପୂର୍ବରୁ କଲବଲ କରିବ ତାତି, ୪୬ ଡିଗ୍ରୀ ଛୁଇଁପାରେ ତାପମାତ୍ରା
1/06/2023 at 2:44 PM

ଭୁବନେଶ୍ବର ୧।୬: ମୌସୁମୀ ଆଗମନ ପୂର୍ବରୁ କଲବଲ କରିବ ତାତି । ରାଜ୍ୟରେ ତାତି ଆହୁରି ବଢ଼ିବ । ଆସନ୍ତା ୬ତାରିଖରୁ ୧୧ତାରିଖ ପର୍ଯ୍ୟନ୍ତ ତାପମାତ୍ରା ବଢିବ ବୋଲି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡଃ ଶରତ ଚନ୍ଦ୍ର ସାହୁ ଆକଳନ କରିଛନ୍ତି । ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ୪୩ ଡିଗ୍ରୀ ରହିବ । ପଶ୍ଚିମ ଓଡିଶାରେ ପାରଦ ୪୬ ଡିଗ୍ରୀ ଛୁଇଁପାରେ । ୭ରୁ ୧୦ ତାରିଖ ଉପକୂଳରେ ମଧ୍ୟ ଗରମ ପ୍ରବଳ ଅନୁଭୂବ ହେବ । ଉପକୂଳରେ ତାପମାତ୍ରା ୪୪ ଡିଗ୍ରୀ ଛୁଇଁପାରେ । ୧୧ ତାରିଖରେ ଉତ୍ତର ଓଡ଼ିଶାରେ ହିଟୱେଭ ସ୍ଥିତି ହୋଇପାରେ ।
ସେହିପରି ରାଜ୍ୟର ବିକ୍ଷିପ୍ତ ସ୍ଥାନରେ କାଳବୈଶାଖୀର ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ଗୁରୁବାର ଗଜପତି, ଗଞ୍ଜାମ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ଖୋର୍ଦ୍ଧା, କେନ୍ଦୁଝର, ନୟାଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ବହିପାରେ । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, ନୟାଗଡ଼, ଗଜପତି ଓ ଗଞ୍ଜାମ ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇପାରେ । ୩ ଓ ୪ ତାରିଖରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି ।
ବୁଧବାର ସମ୍ବଲପୁରରେ ତାପମାତ୍ରା ସର୍ବାଧିକ ୪୨.୮ ଡିଗ୍ରୀ ରହିଥିଲା । ହୀରାକୁଦରେ ୪୨.୬, ଝାରସୁଗୁଡ଼ା ୪୨.୨, ବଲାଙ୍ଗୀର ୪୨, ସୋନପୁର ୪୧.୮, ସୁନ୍ଦରଗଡ଼ରେ ୪୧.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
You Can Read :