ନୂଆଦିଲ୍ଳୀ ୦୮।୧୦: ତାପମାତ୍ରାର ସିଧା ସମ୍ପର୍କ ଆମ ମସ୍ତିଷ୍କ ଓ ବ୍ୟବହାର ଉପରେ ପଡୁଛି । ଅଧିକ ଗରମ ବା ଅଧିକ ଥଣ୍ଡା, ଉଭୟ ଆମ ଭିତରେ କ୍ରୋଧ ଓ ଘୃଣାଭାବ ଭରିଦେଉଛି । ୧୨ରୁ ୨୧ ଡିଗ୍ରୀ ସେଲ୍ସିୟସ୍ରେ ଆମ ମନ ସବୁଠୁ ଭଲ ରହେ । ଏହି ସମୟରେ କ୍ରୋଧ ମଧ୍ୟ କମ୍ ଆସେ । ଦ ଲାନ୍ସେଟ୍ ପ୍ଲାନେଟାରୀ ହେଲ୍ଥ ତାପମାତ୍ରା ହିସାବରେ ଆମେରିକାର ୭୭୩ ସହରର ଲୋକଙ୍କ ବ୍ୟବହାରକୁ ଅଧ୍ୟୟନ କରିଥିଲା । ଏଥିରୁ ଜଣାପଡ଼ିଲା, ଅଧିକ ଗରମ ବା ଅଧିକ ଥଣ୍ଡା ହେବା ଦ୍ୱାରା ବ୍ୟକ୍ତିର କ୍ରୋଧ ବଢ଼େ । ନିଜ କ୍ରୋଧ କିମ୍ବା ଘୃଣାକୁ ସେ ଦର୍ଶାଇ ନ ପାରିବାରୁ ତାହା ଅନ୍ଲାଇନ୍ ଜାହିର କରେ ।
ଅଧ୍ୟୟନର ରିପୋର୍ଟ ଅନୁସାରେ, ଆମେରିକାରେ ହିଟ୍ ୱେଭ୍ ସମୟରେ ଅନ୍ଲାଇନ୍ ଘୃଣାତ୍ମକ ମନ୍ତବ୍ୟ ମାମଲା ବହୁତ ବଢ଼ିଥିଲା । ଗବେଷକଙ୍କ କହିବା ଅନୁସାରେ, ଆମେରିକାରେ ୨୫ ପ୍ରତିଶତ କୃଷ୍ଣକାୟ ଓ ୧୦ ପ୍ରତିଶତ ହିସ୍ପାନିକ୍ (ସେଣ୍ଟ୍ରାଲ୍ ଓ ଦକ୍ଷିଣ ଆମେରିକା ବାସିନ୍ଦା) ଲୋକ ଅନ୍ଲାଇନ୍ ଘୃଣାତ୍ମକ ମନ୍ତବ୍ୟର ଅଧିକ ଶିକାର ହୋଇଥିଲେ । ତାପମାତ୍ରାରେ ପରିବର୍ତ୍ତନ ଯୋଗୁ କିନ୍ନର ସମୁଦାୟର ଲୋକେ ୪ ଗୁଣ ଅଧିକ ଘୃଣାତ୍ମକ ମନ୍ତବ୍ୟର ଶିକାର ହୋଇଥିଲେ । ଗବେଷକ ଟିମ୍ ପୋଟ୍ସଡ୍ୟାମ୍ ଇନ୍ଷ୍ଟିଚ୍ୟୁଟ୍ ଫର୍ କ୍ଲାଇମେଟ୍ ଇମ୍ପ୍ୟାକ୍ଟ ରିସର୍ଚ୍ଚର ଲିୟୋନିଙ୍କ ନେତୃତ୍ୱରେ ୨୦୧୪ ମସିହା ମେ’ରୁ ୨୦୨୦ ମସିହା ମେ’ ମାସ ପର୍ଯ୍ୟନ୍ତ ୬ ମାସ ମଧ୍ୟରେ ଆମେରିକାରେ କରାଯାଇଥିବା ୪୦୦ କୋଟି ଟ୍ୱିଟ୍ର ଯାଞ୍ଚ୍ କରିଥିଲେ । ଏଥିପାଇଁ ସେମାନେ କୃତ୍ରିମ ବୁଦ୍ଧିମତା ଦ୍ୱାରା ଆଲ୍ଗୋରିଦମ୍ ପ୍ରସ୍ତୁତ କରିଥିଲେ, ଯାହା ଘୃଣାତ୍ମକ ମନ୍ତବ୍ୟକୁ ଚିହ୍ନିଥିଲା।
ଏଥିରେ ୭ କୋଟି ୫୦ ଲକ୍ଷ ଟ୍ୱିଟ୍ ଘୃଣାତ୍ମକ ମନ୍ତବ୍ୟଯୁକ୍ତ ଥିଲା, ଅର୍ଥାତ୍ ମୋଟ୍ ଟ୍ୱିଟ୍ର ୨ ପ୍ରତିଶତ। କେଉଁ ଟ୍ୱିଟ୍ କେଉଁ ସ୍ଥାନରୁ କରାଯାଇଥିଲା ଏବଂ ସେଠାରେ ସେ ଦିନ ପାଣିପାଗ କେମିତି ଥିଲା, ଗବେଷକମାନେ ତାହା ଯାଞ୍ଚ୍ କରିଥିଲେ । ଯେଉଁଠାରେ ତାପମାତ୍ରା ୧୫ରୁ ୧୮ ଡିଗ୍ରୀ ସେଲ୍ସିୟସ୍ ଥିଲା, ଘୃଣାତ୍ମକ ଟ୍ୱିଟ୍ ଟିକିଏ ଅଧିକ ଥିଲା । ବିଯୁକ୍ତ ୩ ଡିଗ୍ରୀରୁ ବିଯୁକ୍ତ ୫ ଡିଗ୍ରୀ ସେଲ୍ସିୟସ୍ ତାପମାତ୍ରାରେ ରହୁଥିବା ଲୋକେ ଅନ୍ୟମାନଙ୍କଠାରୁ ୧୨.୫ ପ୍ରତିଶତ ଅଧିକ ଘୃଣାତ୍ମକ ମନ୍ତବ୍ୟ ଟ୍ୱିଟ୍ କରିଥିଲେ । ମରୁଭୂମି ଅଞ୍ଚଳରେ ଯେଉଁ ସ୍ଥାନରେ ତାପମାତ୍ରା ୪୨ରୁ ୪୫ ଡିଗ୍ରୀ ସେଲ୍ସିୟସ୍ ଥିଲା, ସେଠାରେ ଘୃଣାତ୍ମକ ଟ୍ୱିଟ୍ ୨୨ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଥିଲା । ଅଧ୍ୟୟନରେ ସାମିଲ ଆନ୍ଦ୍ରେସ ଲିଭରମ୍ୟାନ୍ କହିଛନ୍ତି, ଅଧିକ ହାରାହାରି ଆୟଯୁକ୍ତ ଅଞ୍ଚଳରେ ଲୋକେ ଏସିରେ ରହିଲେ ମଧ୍ୟ ଯେତେବେଳେ ତାପମାତ୍ରା ବଢ଼ିଲା, ସେମାନେ କ୍ରୋଧିତ ହୋଇ ଘୃଣାତ୍ମକ ଟ୍ୱିଟ୍ ଅଧିକ କରିଥିଲେ।