ତେଲକୋଇରେ ଥମୁନି ହାତୀ ଆତଙ୍କ : ଭାଙ୍ଗିଲେ ଘର, ଅଳ୍ପକେ ବର୍ତ୍ତିଲେ ୪ ଶିଶୁ

Published By : Prameya-News7 Bureau | January 02, 2022 IST

ତେଲକୋଇ, ୦୨|୦୧:  ତେଲକୋଇ ରେଞ୍ଜରେ ଥମୁନି ହାତୀପଲଙ୍କ ଉପଦ୍ରବ ।ଗୋଟିଏ ଦିନରେ ଦୁଇ ଗାଁରେ ଭାଙ୍ଗିଲେ ତିନି ଘର।ଲୋକେ ଭୟଭୀତ। କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟରେ ୧୪ ଟିକିଆ ହାତୀପଲ ଦୈନିକ ଉତ୍ପାତ ଜାରି ରଖିଛନ୍ତି ।

ଶନିବାର ବିଳମ୍ବିତ ରାତିରେ କରମଙ୍ଗୀ ପଞ୍ଚାୟତର କାନ୍ତଲସୁଆଁ ଗାଁ ବଲାଙ୍ଗିସାହିରେ ବୁଧୁ ମୁଣ୍ଡାଙ୍କ ଘରର କାନ୍ଥ ସମ୍ପୂର୍ଣ୍ଣ ଭାଙ୍ଗି ଦେଇ ଭାତ ଓ ଧାନକୁ ଖାଇଯାଇଥିଲେ ହାତୀପଲ।ଘରେ ଶୋଇଥିବା ଚାରି ଛୋଟ ପିଲା ଅଳ୍ପକେ ହାତୀ ହାବୁଡରୁ ବର୍ତ୍ତିଯାଇଥିଲେ ।ଘରର କାନ୍ଥ ପଡିଯିବା ପରେ ହାତୀ ଶୁଣ୍ଢ ବଢାଇ ପିଲାମାନଙ୍କୁ ଟାଣି ବାକୁ ଉଦ୍ୟମ କରୁଥିବା ବେଳେ ଗୋଟିଏ କୋଣରେ ତିନି ପିଲା ଜାକିଜୁକି ହୋଇ ରହିଯାଇଥିଲେ ।ସାହିଲୋକ ପିଲାଙ୍କ ପାଟିଶୁଣି ନିଆଁ ହୁଳା ସାହାଯ୍ୟରେ ହାତୀପଲଙ୍କୁ ଘଉଡ଼ାଇବା ପରେ ଚାରି ଛୋଟ ପିଲା ଅଳ୍ପକେ ହାତୀଙ୍କ କବଳରୁ ବର୍ତ୍ତିଯାଇଥିଲେ ।ସେଠାରୁ ହାତୀପଲ ଫେରିଯାଇ ସାହିର କିଛି ଦୂରରେ ଥିବା ଗୋପାଳ ମାଝୀଙ୍କ ଘର ଭାଙ୍ଗିଥିଲେ ।

ଅନ୍ୟପଟେ ବିମଳା ଫରେଷ୍ଟ ବିଟ୍ ଆକୁଳ ପଞ୍ଚାୟତର ମଲଣ୍ଡା ଗାଁରେ ୭ ଟିକିଆ ହାତୀପଲ ପଶି ଉତ୍ପାତ କରିଥିଲେ ।ଗାଁର ନେତ୍ରାନନ୍ଦ ମହାନ୍ତଙ୍କ ଘରର ପଛ ପଟ କାନ୍ଥ କୁ ସମ୍ପୂର୍ଣ୍ଣ ଭାଙ୍ଗି ବସ୍ତାରେ ଥିବା ଧାନ ସବୁ  ଖାଇଯାଇଥିଲେ ।କାନ୍ଥ ପଡି ଦୁଇ କୁକୁଡାଙ୍କର ମୃତ୍ୟୁ ହୋଇଥିବା ବେଳେ ଘରେ ଥିବା ହାଣ୍ଡି ଡେକଚି ସବୁ କାନ୍ଥ ପଡି ନଷ୍ଟ ହୋଇଯାଇଛି ।ରାତିରେ ଦୈନିକ ବିଦ୍ୟୁତ କାଟ ଯୋଗୁଁ ହାତୀପଲ ଗାଁ ମୁହାଁ ହୋଇ ଘର ଭାଙ୍ଗୁଥିବା ଅଞ୍ଚଳବାସୀ  ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.