ଗୋଠଛଡ଼ା ଦନ୍ତାର ଉତ୍ପାତ, ଆକ୍ରମଣରେ ଶ୍ରୀଧର ଗୁରୁତର
28/03/2023 at 7:22 AM

ତେଲକୋଇ ୨୮।୦୩ : କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଚ ସାରୁପାଟ ସଂରକ୍ଷିତ ଅଞ୍ଚଳରେ ଗୋଠଛଡ଼ା ଦନ୍ତାର ଉତ୍ପାତ । ଦନ୍ତା ଆକ୍ରମମଣରେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ସୋମବାର ଦିନ ୩ଟା ସମୟରେ ଗାଁର କିଛି ଲୋକଙ୍କ ସାଥିରେ ଶ୍ରୀଧର ସାଇକେଲ ଯୋଗେ ମାଛ ଧରିବାକୁ ଦଣ୍ଡାଧର ଡ୍ୟାମକୁ ଯାଉଥିଲେ । ଏହି ସମୟରେ ରେକୁଟି ଗାଁ ହାଟତୋଟା ନିକଟରେ ହଠାତ ଏକ ଦନ୍ତା ଶ୍ରୀଧରଙ୍କ ସାମନାକୁ ଆସି ଆକ୍ରମଣ କରିଥିଲା। ପ୍ରଥମେ ଦନ୍ତା ଶ୍ରୀଧରଙ୍କୁ ଶୁଣ୍ଢରେ ଫିଙ୍ଗି ଦେଇଥିଲା । ପରେ ତାଙ୍କୁ ଗୋଡ଼ ସାହାଯ୍ୟରେ ଆକ୍ରମଣ କରିଥିଲା । ହେଲେ ଶ୍ରୀଧରଙ୍କ ଚିତ୍କାର ଶୁଣି କିଛି ଲୋକ ଦୌଡି ଆସି ହାତୀକୁ ଘଉଡାଇଥିଲେ । ଫଳରେ ହାତୀଟି ଜଙ୍ଗଲର ଭିତରକୁ ପଳାଇଥିଲା ।

ଏହାପରେ ଗାଁଲୋକେ ଶ୍ରୀଧରଙ୍କ ପରିବାର ଏବଂ ବନବିଭାଗକୁ ଖବର ଦେଇଥିଲେ । ଉଭୟ ଘଟଣାସ୍ଥଳରେ ପହଞ୍ଚି ଶ୍ରୀଧରଙ୍କୁ ଆମ୍ହୁଲାନ୍ସ ଯୋଗେ ତେଲକୋଇ ମେଡିକାଲରେ ଭର୍ତ୍ତି କରିଥିଲେ । ଅଞ୍ଚଳଟି ଟିକିଏ ଦୁର୍ଗମ ହୋଇଥିବାରୁ ଶ୍ରୀଧର ମେଡିକାଲରେ ପହଞ୍ଚିବାରେ ବିଳମ୍ବ ହୋଇଥିଲା । ତେବେ ତେଲକୋଇ ମେଡିକାଲରେ ଶ୍ରୀଧରଙ୍କ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ଥିବାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା ।