ବାଗେଶ୍ୱରଧାମ ପ୍ରବଚକ ଧିରେନ୍ଦ୍ର ଶାସ୍ତ୍ରୀଙ୍କୁ ହତ୍ୟା ଧମକ, ଗୃହମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ
24/01/2023 at 2:02 PM

ଛତରପୁର ୨୪।୧: ଚର୍ଚ୍ଚିତ ବାଗେଶ୍ୱର ଧାମ ପ୍ରବଚକ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ହତ୍ୟା ଧମକ ଦିଆଯାଇଛି। ଧିରେନ୍ଦ୍ରଙ୍କ କକାପୁଅ ଭାଇ ଲୋକେଶ ଗର୍ଗଙ୍କ ଫୋନରେ କେହି ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ତାଙ୍କୁ ‘ତେଅର’ ପାଇଁ ପ୍ରସ୍ତୁତି କରିନେବାକୁ କହିଛି। ଏ ନେଇ ଛତରପୁର ବମିଠା ଥାନାରେ ଏକ ଲିଖିତ ଏତଲା ଦିଆଯାଇଛି। ମାମଲାରେ ପୋଲିସ ଏତଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି। ସେପଟେ ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ଏତଲାରେ ଲୋକେଶ ଗର୍ଗ ଗ୍ରାମ ଗଢ଼ା ଥାନା ବମିଠା ଲିଖିତ ଅଭିଯୋଗ କରିଥିବା ବେଳେ ସେ ଉଲ୍ଲେଖ କରିଛନ୍ତି ଯେ କେହି ଜଣେ ୨୨ ଜାନୁୟାରୀ ରାତି ୯ଟା ୧୫ ମିନିଟ୍ରେ କଲ କରି ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ସହ କଥା ହେବାକୁ ଚାହାନ୍ତି ବୋଲି କହିଥିଲେ। ତେବେ ଏ ସମୟରେ ତାଙ୍କ ସହ କଥା କରାଇ ହେବନି ବୋଲି ଲୋକେଶ କହିବାରୁ ସେ ଧିରେନ୍ଦ୍ର ଶାସ୍ତ୍ରୀଙ୍କୁ ତାଙ୍କ ୧୩ ଦିନ ନିମନ୍ତେ ପ୍ରସ୍ତୁତି କରିବାକୁ କହିଛନ୍ତି।

ପୋଲିସ ମାମଲାରେ ଆଇପିସିର ଧାରା ୫୦୬ ଓ ୫୦୭ରେ ମୋକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବାଗେଶ୍ୱର ଧାମ ସରକାର ନାମରେ ପ୍ରଶିଦ୍ଧ ଧିରେନ୍ଦ୍ର ଶାସ୍ତ୍ରୀ ମଧ୍ୟପ୍ରଦେଶ ଛତରପୁରର ବାସିନ୍ଦା। ତେବେ ପ୍ରାୟ ଗତ ଏକ ସପ୍ତାହ ହେଲା ସେ ଛତିଶଗଡ଼ର ରାୟପୁରରେ ପ୍ରବଚନ ଦେଉଛନ୍ତି। ଧିରେନ୍ଦ୍ର ଶାସ୍ତ୍ରୀଙ୍କ ସାନ ଭାଇ ପୋଲିସରେ କରିଥିବା ଅଭିଯୋଗରେ ଫୋନ ବନ୍ଦ କରିବା ପୂର୍ବରୁ ଧମକ ଦେଉଥିବା ବ୍ୟକ୍ତି ନିଜକୁ ଅମର ସିଂହ ବୋଲି କହିଥିଲେ।
ଘଟଣା ପ୍ରଚାରିତ ହେବା ପରେ ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ପ୍ରସଙ୍ଗରେ ବୟାନ ଦେଇଛନ୍ତି। ଏଥିରେ ପୋଲିସ ଏତଲା ରୁଜୁ କରି ମାମଲାର ତଦନ୍ତ କରୁଥିବା ଗୃହମନ୍ତ୍ରୀ କହିଛନ୍ତି। ମାମଲାର ତଦନ୍ତ ଲାଗି ସାଇବର ସେଲକୁ ମଧ୍ୟ ଦାୟିତ୍ୱ ଦିଆଯାଇଥିବା ସେ କହିଛନ୍ତି। ଅଭିଯୋଗ ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ହେବ ବୋଲି ଗୃହମନ୍ତ୍ରୀ କହିଛନ୍ତି।

ଧିରେନ୍ଦ୍ର ଶାସ୍ତ୍ରୀ(୨୭)ଙ୍କର ମଧ୍ୟପ୍ରଦେଶ, ଛତିଶଗଡ଼ ସମେତ ବିଭିନ୍ନ ରାଜ୍ୟରେ ଅନେକ ଅନୁଗାମୀ ଅଛନ୍ତି। ବଡ଼ ବଡ଼ ନେତା ମଧ୍ୟ ଶାସ୍ତ୍ରୀଙ୍କ ନିକଟରେ ମୁଣ୍ଡ ନୁଆଇଁଥାନ୍ତି। ଏଣୁ ତାଙ୍କ ଲୋକପ୍ରିୟତାକୁ ସହଜରେ ଅନୁମାନ କରାଯାଇ ପାରେ। ତେବେ ଗତ କିଛି ଦିନ ପୂର୍ବେ ନାଗପୁରର ଅନ୍ଧଶ୍ରଦ୍ଧା ଉନ୍ମୁଳନ ସମିତି ବାଗେଶ୍ୱର ଧାମର ପ୍ରବଚକଙ୍କ କଥିତ ଚମତ୍କାକୁ ଚାଲେଞ୍ଜ କରିଛି। କୁହାଯାଉଛି କମିଟିର ଏହି ଚାଲେଞ୍ଜ ଯୋଗୁ ବାଗେଶ୍ୱର ଧାମ ସରକାର ତାଙ୍କ ନିର୍ଦ୍ଧାରିତ କାର୍ଯ୍ୟସୂଚୀର ୨ ଦିନ ପୂର୍ବରୁ ନାଗପୁରରେ ପ୍ରବଚନ ବନ୍ଦ କରି ଚାଲି ଆସିଥିଲେ।