ନୂଆଦିଲ୍ଲୀ ୨୧।୨: ଆଡଜଷ୍ଟେଡ ଗ୍ରସ୍ ରେଭିନ୍ୟୁ (ଏଜିଆର) ବକେୟା ବାବଦ ୧.୪୭ ଲକ୍ଷ କୋଟି ଟଙ୍କାରୁ ଟେଲିକମ୍ କମ୍ପାନୀମାନଙ୍କ ଉପରେ କେବଳ ଲାଇସେନ୍ସ ଫି ବାବଦକୁ ୨୨ ହଜାର ୫୮୯ କୋଟି ଟଙ୍କା ବକେୟା ରହିଛି। ଏଥିରେ ସୁଧ ଓ ଜରିମାନା ମିସିଲେ ୯୨ ହଜାର ୬୪୧ କୋଟି ଟଙ୍କା ହେଉଥିବା ଡିପାର୍ଟମେଣ୍ଟ ଅଫ ଟେଲି କମ୍ୟୁନିକେସନ (ଡିଓଟି) ଗତ ଜୁଲାଇ ୨୦୧୯ ସୁଦ୍ଧା ଆକଳନ କରିଥିଲେ। ସେହି ଅନୁସାରେ କମ୍ପାନୀମାନଙ୍କୁ ତୁରନ୍ତ ୯୨ ହଜାର କୋଟି ଟଙ୍କା ପୈଠ ଲାଗି ନିର୍ଦ୍ଦେଶ ବି ଦେଇସାରିଛନ୍ତି।
ଏଥିରେ ଟେଲିକମ୍ କମ୍ପାନୀଙ୍କ ମଧ୍ୟରୁ କେତେକ ନିକଟରେ ଆଂଶିକ ପୈଠ କରିଥିବା ବେଳେ ସେମାନଙ୍କ ଉପରେ ଏବେବି ରାଜସ୍ୱ ବାବଦ ବିପୁଳ ବକେୟା ରହିଛି। ଲାଇସେନ୍ସ ଫି ଓ ସୁଧ ଜରିମାନା ବାଦେ କମ୍ପାନୀମାନେ ସ୍ପେକ୍ଟ୍ରୁମ ବାବଦେ ୫୫ ହଜାର ୫୪କୋଟି ଟଙ୍କା ବକେୟା ରଖିଛନ୍ତି। ଯାହା ମିସିଲେ ମୋଟ ଏଜିଆର ବକେୟା ୧.୪୭ଲକ୍ଷ କୋଟି ଟଙ୍କାରେ ଏବେ ପହ଼ଞ୍ଚିଛି।
ଏଥିରେ ଭାରତୀ ଏୟାରଟେଲ ଲାଇସେନ୍ସ ଫି ବାବଦକୁ ୫ହଜାର ୫୨୮.୫୨ କୋଟି ଟଙ୍କା ବକେୟା ରଖିଥିବା ବେଳେ ଭୋଡାଫୋନ ଆଇଡିଆ ୬ ହଜାର ୮୭୦.୬୯ କୋଟି, ଟାଟା ଗ୍ରୁପ୍ ୨୩୨୧.୩୧କୋଟି, ଟେଲନର ୫୨୯.୦୨କୋଟି, ବିଏସଏନଏଲ ୬୧୪ କୋଟି ଓ ଏମଟିଏନଏଲ୮୭୬.୩୯କୋଟି ଟଙ୍କା ବକେୟା ରଖିଛନ୍ତି। ଏଥିରୁ ଭାରତୀ ଏୟାରଟେଲ ୧୦ ହଜାର କୋଟି, ଭୋଡାଫୋନ ଆଇଡିଆ ୩ହଜାର ୫୦୦କୋଟି ଓ ଟାଟା ଗ୍ରୁପ ୨ହଜାର ୧୯୭ କୋଟି ଟଙ୍କା ଉଭୟ ଲାଇସେନ୍ସ ଫି ଏ ସ୍ପେକ୍ଟ୍ରୁମ ୟୁସେଜେସ୍ ଲାଗି ପୈଠ କରିଛନ୍ତି।
ଏଣୁ ଗତ ଫେବୃଆରୀ ୩ ତାରିଖରେ ଡିଓଟି ମାର୍ଗଦର୍ଶନ ସହ ପତ୍ର ଜାରି କରିଥିବା ବେଳେ ଅପରେଟରମାନଙ୍କୁ ୧୫ ଦିନ ମଧ୍ୟରେ ଏଜିଆର ବକେୟା ପୈଠ ଲାଗି ନିର୍ଦ୍ଦେଶ ଦେବା ନିମନ୍ତେ ମହାନିୟନ୍ତ୍ରକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଯଦି ଅପରେଟରମାନେ କୌଣସି ବିଳମ୍ବ କରନ୍ତି ତେବେ ସେମାନଙ୍କ ଉପରେ ସୁଧ ଲାଗୁ କରାଯିବ ବୋଲି ସତର୍କ କରାଇଦେଇଛନ୍ତି।