ଆନ୍ଧ୍ରରେ ସରକାର ଦେଉଛନ୍ତି ନୂଆ ଚାକିରୀ, ଜାଣନ୍ତୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏକକାଳୀନ ବରଖାସ୍ତ କଲେ କେତେ କର୍ମଚାରୀ

Published By : Prameya-News7 Bureau | October 07, 2019 IST

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ବେକାରୀ ସମସ୍ୟା ସମାଧାନ ଲାଗି ମୁଖ୍ୟମନ୍ତ୍ରୀ ୱାଇ.ଏସ୍.ଜଗନମୋହନ ରେଡ୍ଡୀ ଗତ ଅକ୍ଟୋବର ୨ ତାରିଖ ଦିନ ରାଜ୍ୟରେ ଏକକାଳୀନ ୧ଲକ୍ଷ ୨୬ ହଜାର ଯୁବକଯୁବତୀଙ୍କୁ ନୂତନ ନିଯୁକ୍ତି ପ୍ରଦାନ କରିଛନ୍ତି।  ଗୋଟିଏ ରିକ୍ରୁଇଟ୍ ମେଣ୍ଟ ଡ୍ରାଇଭରେ ଜଗନମୋହନ ଏତେ ସଂଖ୍ୟକ ଲୋକଙ୍କୁ ନିଯୁକ୍ତି ଦେଇଥିବା ବେଳେ ପଡୋସୀ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ  ସୋମବାର ଥରକେ ତେଲେଙ୍ଗାନା ରାଜ୍ୟ ସଡକ ପରିବହନ ନିଗମ (ଟିଏସଆରଟିସି) ର ୪୮ ହଜାରରୁ ଅଧିକ କର୍ମଚାରୀଙ୍କୁ ବରଖାସ୍ତ କରିଦେଇଛନ୍ତି। ଫଳରେ ନିଗମରେ ଏବେ କାର୍ଯ୍ୟରତ କର୍ମଚାରୀଙ୍କ ସଂଖ୍ୟା ମାତ୍ର ୧୨ଶହରେ ପହଞ୍ଚିଛି।

{"id":167442}

ଟିଏସଆରଟିସିକୁ ସରକାରରେ ବିଲୟ କରିବା ଲାଗି ୫୦ ହଜାରରୁ ଅଧିକ କର୍ମଚାରୀ ଗତ ୩ ଦିନ ହେଲା ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ହରତାଳକୁ ଓହ୍ଲାଇଛନ୍ତି। ଗତ ଶନିବାର ମୁଖ୍ୟମନ୍ତ୍ରୀ ନିଗମ କର୍ମଚାରୀଙ୍କ ଦାବିକୁ ଅଶ୍ୱୀକାର କରିବା ସହ ସେମାନଙ୍କୁ ତୁରନ୍ତ କାମକୁ ଫେରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟଥା ସେମାନଙ୍କ ନିଯୁକ୍ତି ଅବୈଧ ହୋଇଯିବ ବୋଲି କହିଥିଲେ। ତେବେ କର୍ମଚାରୀମାନେ ଆଜି ସୁଦ୍ଧା କାମକୁ ଫେରିନଥିବା ବେଳେ ଟିଏସଆରଟିସି ଉପରେ ନିର୍ଭର କରୁଥିବା ରାଜ୍ୟର ୧ କୋଟି ଲୋକ ପରିବହନ ସେବାରୁ ବଞ୍ଚିତ ହୋଇଛନ୍ତି।

{"id":167443}

ମୁଖ୍ୟମନ୍ତ୍ରୀ ନିଜ ଜିଦରେ ଅଟଳ ଥିବା ବେଳେ କର୍ମଚାରୀ ମଧ୍ୟ ଦାବି ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି। ଏଣୁ ମୁଖ୍ୟମନ୍ତ୍ରୀ ୪୮ ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କୁ ଏକକାଳୀନ ବରଖାସ୍ତ କରିଛନ୍ତି। କର୍ମଚାରୀଙ୍କ ବ୍ଲାକ ମେଲ କରିବାର ରଣନୀତି ଓ ଅନୁଶାସନହୀନତା ଲାଗି ସେମାନଙ୍କୁ ଚାକିରୀରୁ  ବରଖାସ୍ତ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ସମୀକ୍ଷା ବୈଠକ ଡାକି ନୂତନ କର୍ମଚାରୀ ନିଯୁକ୍ତି ଲାଗି ଅଧିକାରୀଙ୍କ ଉପରେ କେସିଆର ଚାପ ପକାଇଛନ୍ତି। ତେବେ ନୂତନ ନିଯୁକ୍ତି ଲାଗି ମଧ୍ୟ ମୁଖ୍ୟମନ୍ତ୍ରୀ ସର୍ତ୍ତ ରଖିଛନ୍ତି। ପଦବୀ ନିମନ୍ତେ ମନୋନୀତ କର୍ମଚାରୀ ଯେପରି କୌଣସି ଟ୍ରେଡ ୟୁନିୟନରେ ଯୋଗ ଦେବେ ନାହିଁ ସେଥିଲାଗି ସେମାନଙ୍କ ଠାରୁ ଲିଖିତ ପ୍ରତିଶ୍ରୁତି ରଖିବାକୁ କହିଛନ୍ତି।

{"id":167444}

ଏହା ଛଡା ସଡକ ପରିବହନ କର୍ମଚାରୀଙ୍କ ହରତାଳ ଯୋଗୁ ଉପୁଜିଥିବା ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ରାଜ୍ୟର ୨ହଜାର ୫ଶହ ଘରୋଇ ବସଙ୍କୁ ତୁରନ୍ତ ସେବା ଯୋଗାଇଦେବାକୁ ଆମନ୍ତ୍ରଣ କରିଛନ୍ତି। ରାଜ୍ୟରେ ୪ହଜାର ୪୧୪ଟି ଘରୋଇ ବସ ଚାଲୁଛି। ସେମାନେ ଯଦି ଟିଏସଆରଟିସିରେ ନିଜକୁ ସାମିଲ କରିବାକୁ ଚାହିଁବେ ସେମାନଙ୍କୁ ମଧ୍ୟ ସାମିଲ କରାଯିବ । ଟିଏସଆରଟିସି ଏବେ ୧୨ଶହ କୋଟି ଟଙ୍କା କ୍ଷତିରେ ଚାଲୁଛି। ଏହା ଦ୍ୱାରା ନିଗମର ଏକ ନୂଆ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.