ପ୍ରଧାନମନ୍ତ୍ରୀ ହାଇଦ୍ରାବାଦ ପହଞ୍ଚିବା ପୂର୍ବରୁ ବେଙ୍ଗାଲୁରୁ ବାହାରିଗଲେ କେ.ସି.ଆର, ରାଜ୍ୟରେ ସ୍ୱାଗତ କଲେନି ମୋଦିଙ୍କୁ
26/05/2022 at 6:56 PM

ହାଇଦ୍ରାବାଦ ୨୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁରୁବାର ହାଇଦ୍ରାବାଦ ଗସ୍ତକାଳରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରାଜ୍ୟରେ ଅନୁପସ୍ଥିତ ଥିଲେ। ରାଜ୍ୟକୁ ପ୍ରଧାନମନ୍ତ୍ରୀଙ୍କ ଆଗମନ ପୂର୍ବରୁ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ବେଙ୍ଗାଲୁର ପ୍ରସ୍ଥାନ କରିଥିଲେ। ଏଣୁ ରାଜ୍ୟରେ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନାରେ ଅନୁପସ୍ଥିତ ଥିଲେ। ତେବେ ପ୍ରଧାନମନ୍ତ୍ରୀଙ୍କୁ କେ.ସି.ଆର.ଙ୍କ ଉପେକ୍ଷା କିଛି ନୂଆ କଥା ନୁହେଁ। ଗତ ଫେବୃଆରୀ ମାସରେ ମଧ୍ୟ ସମାନ ଘଟଣା ଘଟିଥିଲା।
ଫେବୃଆରୀରେ ପ୍ରଧାନମନ୍ତ୍ରୀ ଷ୍ଟାଚ୍ୟୁ ଅଫ ଇକ୍ୱାଲିଟିର ଲୋକାର୍ପଣ ଲାଗି ତେଲେଙ୍ଗାନା ଗସ୍ତ କରିଥିବା ବେଳେ ସ୍ୱାଗତ ପାଇଁ କେ.ସି.ଆର ଆସିନଥିଲେ। ଏଥିଲାଗି ଅସୁସ୍ଥତାର ବାହାନା କରିଥିଲେ। ଗୁରୁବାର ପ୍ରଧାନମନ୍ତ୍ରୀ ଇଣ୍ଡିଆନ ସ୍କୁଲ ଅଫ ବିଜନେସ୍( ଆଇଏସବି)ର ୨୦ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ହାଇଦ୍ରାବାଦରେ ପହଞ୍ଚିଥିବା ବେଳେ କେ.ସି.ଆର ବେଙ୍ଗାଲୁରୁରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି. ଦେବଗୌଡାଙ୍କୁ ଭେଟିଛନ୍ତି।

ବେଙ୍ଗାଲୁରୁ ଗସ୍ତରେ କେ.ସି.ଆର. ଦେବଗୌଡାଙ୍କ ବାସଭବନରେ ବୈଠକ କରିଥିଲେ। ଏଥିରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦେବଗୌଡାଙ୍କ ପୁଅ ଏଚ.ଡି. କୁମାର ସ୍ୱାମୀ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ବିପକ୍ଷ ନେତାଙ୍କ ସହ କେ.ସି.ଆରଙ୍କ ଏହି ବୈଠକ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦେଶରେ ତୃତୀୟ ମୋର୍ଚ୍ଚା ଗଠନ ଲାଗି ତାଙ୍କ ଉଦ୍ୟମର ଏକ ଅଂଶବିଶେଷ। ଏଥିଲାଗି ଗତ ସପ୍ତାହରେ ସେ ନୂଆଦିଲ୍ଲୀରେ ଅବସ୍ଥାନ କରୁଥିବା ବେଳେ ସେଠାରେ ଆମଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ ଓ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କୁ ଭେଟିଥିଲେ।
ଦେବଗୌଡାଙ୍କ ସହ ସାକ୍ଷାତ ଆଲୋଚନା ପରେ କେ.ସି.ଆର ଗଣମାଧ୍ୟମକୁ ଭେଟିଥିଲେ। ଏହି ସାକ୍ଷାତ ଆଲୋଚନାରେ ଆମ ଦେଶରେ ଅନେକ ସରକାର ଗଲେଣି ଅନେକ ଲୋକେ ପ୍ରଧାନମନ୍ତ୍ରୀ ବି ହୋଇସାରିଲେଣି, ହେଲେ ଦେଶର ଅବସ୍ଥାରେ ସେପରି କୌଣସି ଉଲ୍ଲେଖନୀୟ ପରିବର୍ତ୍ତନ ହୋଇ ନଥିବା କହିଛନ୍ତି। ଆମଠୁ କମ ଜିଡିପିର ଦେଶ ଚୀନ୍ର ଅର୍ଥବ୍ୟବସ୍ଥା ୧୮ ଟ୍ରିଲିୟନ ଡଲାରରେ ପହଞ୍ଚିସାରିଲାଣି, ହେଲେ ଆମକୁ ଏଠାରେ ଏବେବି ୫ ଟ୍ରିଲିୟନ ଅର୍ଥ ବ୍ୟବସ୍ଥା ଲାଗି ସ୍ୱପ୍ନ ଦେଖାଯାଉଛି ବୋଲି କେ.ସି.ଆର କହିଛନ୍ତି। ଆମ ଦେଶରେ ଅନେକ ପ୍ରତିଶ୍ରୁତି ଦିଆଯାଏ ହେଲେ ବାସ୍ତବତା ହେଉଛି ଉଦ୍ୟୋଗ ବନ୍ଦ ହେଉଛି ଓ ମୁଦ୍ରାସ୍ପିତି ବଢୁଛି।