ନୂଆଦିଲ୍ଳୀ, ୦୫/୦୧: ଏକଦା ଲୋକପ୍ରିୟ ଥିବା ଡାକ ସେବା ଟେଲିଗ୍ରାମ ସଂପୂର୍ଣ୍ଣ ଭାବରେ ବନ୍ଦ ହୋଇଛି। ଉନବିଂଶ ଶତାବ୍ଦୀରେ ଲୋକପ୍ରିୟ ଥିବା ଏହି ସେବା ଆଜିର ଡିଜିଟାଲ ଯୁଗରେ ଏହାର ଯାତ୍ରା ଶେଷ କରିଛି। ଅନ୍ତିମ ଦେଶ ଭାବରେ ଜର୍ମାନୀରେ ହୋଇଛି ଟେଲିଗ୍ରାମ ଯୁଗର ଅବସାନ। ହେଲେ ଅନ୍ତିମ ଦିନରେ ବି ହଜାର ହଜାର ଲୋକ ଏହାର ଫାଇଦା ଉଠାଇଛନ୍ତି।
ଜର୍ମାନୀର ମୁଖ୍ୟ ଡାକ ସେବା ଡୟଚେ ପୋଷ୍ଟ ବୁଧବାର ଜର୍ମାନୀରେ ଟେଲିଗ୍ରାମ୍ର ଯୁଗର ଅବସାନ ଘଟିଥିବାନେଇ ସୂଚନା ଦେଇଛି। ଡୟଚେ ପୋଷ୍ଟ କହିଛି ଯେ ନୂଆବର୍ଷର ପୂର୍ବ ସନ୍ଧ୍ୟାରେ ସେବାର ଅନ୍ତିମ ଦିନରେ ୩,୨୨୮ ଟେଲିଗ୍ରାମ ପଠାଯାଇଥିଲା। ଯାହା ନିକଟ ଅତୀତରେ ମାସିକ ହାରାହାରି ଠାରୁ ୨୦୦-୩୦୦ ଟେଲିଗ୍ରାମ ଅଧିକ। ଡୟଚେ ପୋଷ୍ଟ କହିଛି ଯେ ଏହା ଦୁନିଆର ଏକମାତ୍ର ଡାକ ଯିଏକି ଏପର୍ଯ୍ୟନ୍ତ ଟେଲିଗ୍ରାମ ସେବା ଯୋଗାଉଥିଲା। ଆଉ ଗତ କିଛି ବର୍ଷରେ ଏହା କେବଳ ଘରୋଇ ସ୍ତରରେ କାମ କରୁଥିଲା। ଯାହାକି ଏବେ ସଂପୂର୍ଣ୍ଣ ଭାବରେ ବନ୍ଦ ହୋଇଛି।
ଟେଲିଗ୍ରାମ୍ ଉନବିଂଶ ଶତାବ୍ଦୀର ଏକ ଆବିଷ୍କାର। ତେବେ ଏହା ଅନେକ ସମୟରରୁ ବନ୍ଦ ହୋଇଯାଇଛି। କାରଣ ଏଥିରେ ବାର୍ତ୍ତା ପଠାଇବାକୁ ପାଇଁ ଅଧିକ ଶୁଳ୍କ ଦେୟ ଦେବାକୁ ପଡ଼ୁଥିଲା। ନିକଟରେ ଜର୍ମାନୀରେ ୧୬୦ ଅକ୍ଷରର ଟେଲିଗ୍ରାମ ପଠାଇବାକୁ ହେଲେ ପ୍ରାୟ ୧୧୦୦ ଟଙ୍କା (୧୨.୫୭ ୟୁରୋ) ଖର୍ଚ୍ଚ କରିବାକୁ ପଡ଼ୁଥିଲା। କିନ୍ତୁ ଆଜିର ଜ୍ଞାନକୌଶଳର ବିକାଶ ଫଳରେ ଏହା ସଂପୂର୍ଣ୍ଣ ଭାବରେ ବନ୍ଦ ହୋଇଛି।