ଟେଲିକମ କମ୍ପାନୀଙ୍କୁ DOTଙ୍କ ତାଗିଦ୍, ମଧ୍ୟରାତ୍ର ସୁଦ୍ଧା ପୈଠ କରନ୍ତୁ ୯୨ ହଜାର କୋଟି ଟଙ୍କା

Published By : Prameya-News7 Bureau | February 14, 2020 IST

ନୂଆଦିଲ୍ଲୀ ୧୪।୧୨:   ଆଡଜଷ୍ଟେଡ ଗ୍ରସ ରେଭିନ୍ୟୁ (ଏଜିଆର) ବକେୟା ବାବଦ ୧.୪୭ ଲକ୍ଷ କୋଟି ଟଙ୍କାରୁ ଶୁକ୍ରବାର ମଧ୍ୟରାତ୍ର ସୁଦ୍ଧା ୯୨ ହଜାର କୋଟି ଟଙ୍କା ପୈଠ ଲାଗି ଟେଲି କମ୍ କମ୍ପାନୀମାନଙ୍କୁ ଡିପାର୍ଟମେଣ୍ଟ ଅଫ ଟେଲିକମ୍ୟୁନିକେସନ (ଡିଓଟି) ନିର୍ଦ୍ଦେଶ ଦେଇଛନ୍ତି। ବକେୟା ପୈଠ ନିମନ୍ତେ  ନୂଆ ସିଡ୍ୟୁଲ ଲାଗି ଟେଲି କମ୍ କମ୍ପାନୀମାନେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ପୂର୍ବରୁ କୋର୍ଟ ଦେଇଥିବା ନିର୍ଦ୍ଦେଶ ପାଳନ ହୋଇନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିରେ ଆଦେଶର କୌଣସି ମୂଲ୍ୟ ନଥିବା କୋର୍ଟ କହିବା ସହ ଏହା ସାଂଘାତିକ ଉଲ୍ଲଂଘନ ଦର୍ଶାଇଥିଲେ। ଏଣୁ ଡିଓଟି ପୂର୍ବ ଆଦେଶ ପ୍ରତ୍ୟାହାର କରିନେବା ସହ ମଧ୍ୟ ରାତ୍ର ପୂର୍ବରୁ ଅନୁନ୍ୟ ୯୨ ହଜାର କୋଟି ଟଙ୍କା ପୈଠ କରିଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବକେୟା ରାଜସ୍ୱ ପୈଠ ଲାଗି କୋର୍ଟ ଟେଲିକମ କମ୍ପାନୀମାନଙ୍କୁ ଜାନୁୟାରୀ ୨୩ ତାରିଖ ପର୍ଯ୍ୟନ୍ତ ସମୟ ଦେଇଥିଲେ। ତେବେ ଏହି ସମୟ ମଧ୍ୟରେ କମ୍ପାନୀମାନେ  ବକେୟା ପୈଠ କରିନଥିବା ବେଳେ ଏଥିଲାଗି ନୂଆ ଅନୁସୂଚୀ ଜାରି କରିବାକୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ କୋର୍ଟ ତାକୁ ମଧ୍ୟ ଅଗ୍ରାହ୍ୟ କରିଦେଇଛନ୍ତି।

ଏଜିଆରକୁ ନେଇ ଟେଲିକମ ବିଭାଗ ଓ କମ୍ପାନୀମାନଙ୍କ ମଧ୍ୟରେ ଗତ ୧୪ ବର୍ଷ ହେଲା ବିବାଦ ଲାଗି ରହିଛି। ଟେଲିକମ କମ୍ପାନୀମାନେ ପ୍ରଥମେ ପ୍ରସଙ୍ଗକୁ ନେଇ ଟେଲିକମ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହୋଇଥିଲେ। ତେବେ ମାମଲା କୋର୍ଟକୁ ଯିବା ପରେ ସରକାରଙ୍କ ପକ୍ଷରେ ରାୟ ମିଳିଛି। ଏଣୁ ଏବେ ଭୋଡାଫୋନ ଓ ଆଇଡିଆ ଉପରେ ୫୩ ହଜାର ୩୮ କୋଟି ଟଙ୍କା ବକେୟା ପଡିଥିବା ବେଳେ ଭାରତୀ ଏୟାର ଟେଲ ଉପରେ ୩୫ ହଜାର ୫୮୬ କୋଟି, ଟାଟା ଟେଲି ଉପରେ ୧୩ ହଜାର ୮୨୩କୋଟିଟଙ୍କା ବକେୟା ରହିଛି। ସେହିପରି ରିଲାଏନ୍ସ ଜିଓ, ରିଲାଏନ୍ସ କମ୍ୟୁନିକେସନସ୍, ବିଏସଏନଏଲ, ଏମଟିଏନଏଲ ଓ ଅନ୍ୟମାନଙ୍କ ଉପରେ ୪୫ ହଜାର କୋଟି ଟଙ୍କାର ଏଜିଆର ବକେୟା ଥିବା ଜଣାପଡିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.