ତେଲେଙ୍ଗାନା ଭାରତର ଆଫଗାନିସ୍ତାନ ଓ କେସିଆର୍ ତାଲିବାନ: ୱାଇଏସ୍ ଶର୍ମିଲାଙ୍କ ଏଭଳି ବୟାନ ପରେ ତେଜିଲା ଆନ୍ଦୋଳନ
19/02/2023 at 5:44 PM

ହାଇଦ୍ରାବାଦ: ତେଲେଙ୍ଗାନା ହେଉଛି ଭାରତର ଆଫଗାନିସ୍ତାନ। କେସିଆର୍ ହେଉଛନ୍ତି ତାଲିବାନ। ରବିବାର ଏଭଳି ବିବାଦୀୟ ବୟାନ ଦେଇଛନ୍ତି ଯୁବଜନ ଶ୍ରମିକ ରାଇଥୁ ତେଲେଙ୍ଗାନା ପାର୍ଟି ମୁଖ୍ୟ ୱାଏସ୍ ଶର୍ମିଲା। ଯାହାକୁ ନେଇ ବିବାଦ ତେଜିବାରେ ଲାଗିଛି। ମେହବୁବବାଦରେ ମିଡିଆ କର୍ମୀଙ୍କୁ ସମ୍ବୋଧନ କରି ଏପରି କହିଛନ୍ତି ଶର୍ମିଲା। ସେ କହିଛନ୍ତି ” ସେ(ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍) ଜଣେ ଏକଛତ୍ରବାଦୀ, ସେ ଜଣେ ଅତ୍ୟାଚାରୀ। ତେଲେଙ୍ଗାନାରେ ଭାରତୀୟ ସମ୍ବିଧାନ ଚାଲେନି। ସେଠି କେବଳ କେସିଆର୍ଙ୍କ ସମ୍ବିଧାନ ହିଁ ଚାଲେ। ତେଲେଙ୍ଗାନା ଭାରତର ଆଫଗାନିସ୍ତାନ ଆଉ କେସିଆର୍ ତାଲିବାନ।”
ସେହିପରି ଶନିବାର ମେହେବୁବବାଦ ବିଧାୟକ ଓ ବିଆର୍ଏସ ନେତା ଶଙ୍କର ନାୟକଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ ଶର୍ମିଲା। ଏନେଇ ଥାନାରେ ମାମଲା ହେବା ପରେ ରବିବାର ଶର୍ମିଲାଙ୍କୁ ଅଟକ ରଖିଛି ତେଲେଙ୍ଗାନା ପୁଲିସ୍।
ସହରରେ ହିଂସା ଆଶଙ୍କା ଥିବାରୁ ଶର୍ମିଲାଙ୍କୁ ହାଇଦ୍ରାବାଦ୍ ନିଆଯାଇଛି। ବିଧାୟକ ଓ ନେତା ଶର୍ମିଲାଙ୍କ ବିରୋଧରେ ଥାନାରେ ମାମଲା କରିଛନ୍ତି। ଆଇପିସିର ଧାରା ୫୦୪ ଏବଂ ସେକ୍ସନ ୩(୧) ଏସ୍ସି ଏସ୍ଟି ପିଓଏ ଆକ୍ଟରେ ତାଙ୍କ ନାଁରେ ମାମଲା ହୋଇଛି।
ଲୋକଙ୍କୁ ସମ୍ବୋଧନ କରି ୱାଇଏସ୍ ଶର୍ମିଲା ମେହେବୁବବାଦ ବିଧାୟକଙ୍କ ବିରୋଧରେ ଅପମାନଜନକ ଟିପ୍ପଣି ଦେଇଥିଲେ। ବିଧାୟକ ତାଙ୍କ ପ୍ରତିଶ୍ରୁତି ପୂରା କରି ପାରିନଥିବା କହି ଶର୍ମିଲା କହିଥିଲେ “ଆପଣ ଲୋକଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥିଲେ। ଯାହା ପୂରା ହୋଇ ନାହିଁ। ଯଦି ଆପଣ ଆପଣଙ୍କ ପ୍ରତିଶ୍ରୁତି ପୂରା କରିପାରି ପାରୁ ନାହାନ୍ତି। ଏହାର ଅର୍ଥ ଆପଣ ଜଣେ ନପୁଂସକ।” ଶନିବାର ଏକ ଜନସଭା ବୈଠକରେ ଏପରି କହିଥିଲେ ଶର୍ମିଲା।
ଏହାପରେ ବିଆର୍ଏସ ନେତା ଓ ମେହେବୁବବାଦ ବିଧାୟକ ଶର୍ମିଲାଙ୍କ ବିରୋଧରେ ଧାରଣା ଦେଇଥିଲେ। ଶର୍ମିଲା ତାଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ ବୋଲି ସେମାନେ ଅଭିଯୋଗ କରିଥିଲେ। ଏହାପରେ ବିକ୍ଷୋଭ ତେଜିବା ସହ ଶର୍ମିଲା ଗୋ ବ୍ୟାକ୍ ନାରା ଦେଇଥିଲେ। ଏଥିସହିତ ଶର୍ମିଲାଙ୍କ କୁଶପୁତ୍ତଳିକା ଦାହ କରିଥିଲେ।