‘ମୋ ଘର…ଆପଣଙ୍କ ବି ଘର’, ନିଜ ଘରେ ରହିବାକୁ ରାହୁଲଙ୍କୁ ଆମନ୍ତ୍ରିତ କଲେ ତେଲେଙ୍ଗାନା କଂଗ୍ରେସ ସଭାପତି
28/03/2023 at 5:52 PM

ନୂଆଦିଲ୍ଲୀ: ଲୋକସଭାର ସଦସ୍ୟତା ହରାଇବାର ଗୋଟିଏ ଦିନ ପରେ ସୋମବାର ରାହୁଲ ଗାନ୍ଧୀଙ୍କୁ ସାଂସଦ ଭାବେ ମିଳିଥିବା ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ୍ ଜାରି କରାଯାଇଛି। ଦିଲ୍ଲୀ ଲୁଟିୟନ୍ସ ସ୍ଥିତ ବାସଭବନ ଖାଲି କରିବାକୁ ରାହୁଲଙ୍କୁ ଏପ୍ରିଲ ୨୨ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଏହି କ୍ରମରେ ତେଲେଙ୍ଗାନା କଂଗ୍ରେସ ମୁଖ୍ୟ ରେଭନ୍ତ ରେଡ୍ଡୀ ରାହୁଲଙ୍କୁ ତାଙ୍କ ଘରେ ରହିବାକୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଆମନ୍ତ୍ରିତ କରିଛନ୍ତି।
ରାହୁଲ ଭାଇ, ମୋର ଘର ଆପଣଙ୍କ ବି ଘର। ମୁଁ ଆପଣଙ୍କୁ ମୋ ଘରେ ସ୍ଵାଗତ କରୁଛି। ଆମେ ଗୋଟିଏ ପରିବାର, ଏହା ମଧ୍ୟ ଆପଣଙ୍କ ଘର ବୋଲି ଟ୍ଵିଟ୍ କରିଛନ୍ତି ରେଡ୍ଡୀ।
Rahul bhaiyya, Mera ghar…Aapka ghar.
— Revanth Reddy (@revanth_anumula) March 28, 2023
I welcome you to my home.
We are family, it is your home too. @RahulGandhi pic.twitter.com/Hps9Lu8S7a
ମୋଦୀ ସାଙ୍ଗିଆକୁ ନେଇ ଏକ ମାନହାନୀ ମାମଲାରେ ସୁଟର କୋର୍ଟ ଦ୍ଵାରା ୨ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ ହେବା ପରେ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ସ୍ଵଂୟକ୍ରିୟ ଭାବେ ରଦ୍ଦ ହୋଇଛି। ସେ ପ୍ରତିନିଧିତ୍ଵ କରୁଥିବା କେରଳର ଓ୍ଵାଇନାଡ ସଂସଦୀୟ କ୍ଷେତ୍ର ଖାଲି ହୋଇ ଯାଇଛି। ଏବେ ରାହୁଲଙ୍କୁ ସରକାରୀ ବଙ୍ଗଳା ଛାଡିବାକୁ ନୋଟିସ୍ ଦିଆଯାଇଛି।
ସୁରଟ୍ ଅଦାଲତ ୨ ବର୍ଷ ଜେଲ୍ ଦଣ୍ଡ ଦେବା ପରେ ପରେ ରାହୁଲଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଉଚ୍ଚ ଅଦାଲତରେ ତଳ କୋର୍ଟର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବା ପାଇଁ ରାହୁଲ ଗାନ୍ଧୀଙ୍କୁ ୩୦ ଦିନ ସମୟ ଦିଆଯାଇଛି। ଯଦି ସୁପ୍ରିମକୋର୍ଟ ନିମ୍ନ ଅଦାଲତର ରାୟକୁ ବଳବତ୍ତର ରଖନ୍ତି ତେବେ ରାହୁଲ ଗାନ୍ଧୀ ୮ ବର୍ଷ ଯାଏଁ କୌଣସି ନିର୍ବାଚନ ଲଢି ପାରିବେ ନାହିଁ।
ନିୟମ ଅନୁସାରେ, ଲୋକସଭାର ସଦସ୍ୟ ପଦ ରଦ୍ଦ ହେବା ଦିନଠୁ ୩୦ ଦିନ ଭିତରେ ରାହୁଲଙ୍କୁ ନିଜର ସରକାରୀ ବଙ୍ଗଳା ଖାଲି କରିବାକୁ ପଡିବ। ଏହା ମଧ୍ୟରେ କଂଗ୍ରେସ ପାର୍ଟି କହିଛି ଯେ, ରାଜନୈତିକ ଏବଂ ଆଇନଗତ ଭାବେ ଦଳ ରାହୁଲଙ୍କ ସଜା ଏବଂ ଅଯୋଗ୍ୟତା ବିରୋଧରେ ଲଢେଇ ଜୋରଦାର କରିବ।