ଦଳ ଛାଡ଼ିଲେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏମ୍‌ଏ ଖାନ୍: ଇସ୍ତଫା ପତ୍ରରେ ଦଳର ଅପାରଗତା ପାଇଁ ରାହୁଲଙ୍କୁ କଲେ ଦାୟୀ

Published By : Prameya-News7 Bureau | August 28, 2022 IST

ହାଇଦ୍ରାବାଦ: ଆଉ ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କ ଇସ୍ତଫା। ତେଲେଙ୍ଗାନାର ପୂର୍ବତନ ରାଜ୍ୟସଭା ସାଂସଦ ଏମ୍‌ଏ ଖାନ ଶନିବାର ଦଳରୁ ଇସ୍ତଫା ଦେଇଛନ୍ତି। ସେ ମଧ୍ୟ ତାଙ୍କ ଇସ୍ତଫା ପତ୍ରରେ ରାହୁଲ ଗାନ୍ଧୀଙ୍କୁ ଦାୟୀ କରିବା ସହ ଦଳର ଅସଫଳତାକୁ ଦର୍ଶାଇଛନ୍ତି। ଛାତ୍ର ରାଜନୀତିରୁ ଦୀର୍ଘ ୪୦ ବର୍ଷ ଧରି ସେ କଂଗ୍ରେସ ସହ ଜଡ଼ିତ ଥିଲେ। ସୋନିଆ ଗାନ୍ଧୀଙ୍କୁ ପଠାଇଥିବା ଇସ୍ତଫା ପତ୍ରରେ ସେ ଲେଖିଛନ୍ତି  “କଂଗ୍ରେସ ଲୋକଙ୍କୁ ବୁଝାଇ ପାରିଲା ନାହିଁ ଯେ ସେ ତାର ପୂର୍ବ ଗରିମାକୁ ଫେରାଇ ଆଣିବ ଓ କ୍ଷମାତାକୁ ଫେରି ଦେଶକୁ ଆଗକୁ ନେବ। ”  

ତା ଛଡ଼ା ଖାନ କହିଛନ୍ତି ଯେ ଏବେ ତାଙ୍କର ଚିନ୍ତାଧାରା ବ୍ଲକ ଲେବୁଲ ଠାରୁ ଆରମ୍ଭ କରି ବୁଥ୍ ଲେବୁଲ ପର୍ଯ୍ୟନ୍ତ ଦଳର କୌଣସି ସଦସ୍ୟ ସହିତ ମେଳ ଖାଉନି। ରାହୁଲ ଗାନ୍ଧୀ ଦଳ ଅଧ୍ୟକ୍ଷ ପଦ ହେବା ପରେ କଂଗ୍ରେସର ଅବନତି ହୋଇଛି। ଦଳର ଅପରାଗତା ଦର୍ଶାଇ ସେ ସୋନିଆଙ୍କୁ ଚିଠି ଲେଖି ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ସେ ଲେଖିଛନ୍ତି “ବରିଷ୍ଠ ନେତାମାନଙ୍କୁ ଇସ୍ତଫା ଦେବାକୁ ଏକପ୍ରକାର ବାଧ୍ୟ କରାଯାଉଛି। କାରଣ ଦଳର ଶୀର୍ଷ ନେତୃତ୍ୱ ତୃଣମୁଳ ସ୍ତରରେ କାର୍ଯ୍ୟକର୍ତ୍ତାଙ୍କୁ ପୁଣିଥରେ ସକ୍ରିୟ କରିବା ପାଇଁ କୌଣସି ପଦକ୍ଷେପ ନେଉ ନାହାନ୍ତି। ଏବଂ ଦଳ ପୁଣିଥରେ ପଣ୍ଡିତ ନେହେରୁ, ଇନ୍ଦିରା ଗାନ୍ଧୀ ଜୀ, ସଞ୍ଜୟ ଗାନ୍ଧୀ ଜୀ, ଏବଂ ରାଜିଭୀ ଗାନ୍ଧୀ ଜୀଙ୍କ ଭଳି ଦେଶର ସେବା କରିବା ପାଇଁ ଲୋକଙ୍କୁ ବୁଝାଇପାରୁନି।” ଏଭଳି ପରିସ୍ଥିତିରେ ଦଳ ନା ଛାଡ଼ିବା ନେଇ ମୋ ପାଖରେ ଆଉ କୌଣସି ବିକଳ୍ପ ନାହିଁ ବୋଲି ଖାନ କହିଛନ୍ତି।  

ଏହା ପୂର୍ବରୁ ଦଳର ବରିଷ୍ଠ ନେତା ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲମା ନବୀ ଆଜାଦ କଂଗ୍ରେସ ଛାଡ଼ିଥିଲେ। ସେ ବି ଦଳର ଅବନତୀ ପାଇଁ ରାହୁଲ ଗାନ୍ଧୀଙ୍କୁ ଦାୟୀ କରିଥିଲେ। ସୋନିଆ ନାମକୁ ମାତ୍ର। ରାହୁଲ ଗାନ୍ଧୀ, ତାଙ୍କ ସୁରକ୍ଷାକର୍ମୀ ଓ ବ୍ୟକ୍ତିଗତ ସହାୟକ ଦଳର ନିଷ୍ପତ୍ତି ନେଉଛନ୍ତି। ଅନଭିଜ୍ଞ ଚାଟୁକାରମାନଙ୍କୁ ନେଇ ଦଳ ଚାଲିଛି ବୋଲି ସେ ଅଭିଯୋଗ କରିଥିଲେ। ଆଜାଦଙ୍କ ପୂର୍ବରୁ କପିଲ ଶିବଲ, ଜିମି ଶେରଗିଲ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭଳି ଅନେକ ନେତା କଂଗ୍ରେସ ଛାଡ଼ି ସାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.