ଗୁଟଖା ପାନ ମସଲା ଉ‌ପରେ ଏକ ବର୍ଷ ଯାଏଁ ବ୍ୟାନ୍‌, ନିୟମ କଡ଼ାକଡ଼ି ପାଇଁ ଏହି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | May 26, 2024 IST

ନୂଆଦିଲ୍ଲୀ: ଗୁଟଖା, ପାନମସଲା ଉପରେ ପ୍ରତିବନ୍ଧକ ଲଗାଇବାକୁ ସବୁବେଳେ ଦାବି ହୋଇଆସୁଛି। କାରଣ ଏସବୁ ସେବନ ଦ୍ବାରା ଅନେକ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଉପୁଜିଥାଏ। ଏମିତିରେ ଅନେକ ସମୟରେ ସାମୟିକ ଭାବରେ ବ୍ୟାନ୍‌ ମଧ୍ୟ ଲଗାଯାଇଥିବାର ନଜିରବି ରହିଛି। 

ହେଲେ ଏହାରି ମଧ୍ୟରେ ତେଲେଙ୍ଗାନା ସରକାର ଗୁଟଖା ପାନ ମସଲାର ବ୍ୟବହାର ଉପରେ ରୋକ୍‌ ଲଗାଇବା ଦିଗରେ ନେଇଛନ୍ତି ବଡ଼ ପଦକ୍ଷେପ। ଆଉ ଏହା ପଛରେ ଲକ୍ଷ୍ୟ ହେଉଛି ରାଜ୍ୟରେ ତମାଖୁ ଏବଂ ନିକୋଟିନ୍‌ ଥିବା ଉତ୍ପାଦର ବ୍ୟବହାରକୁ ରୋକିବା।

ପ୍ରକୃତରେ ତେଲେଙ୍ଗାନା ସରକାର ରାଜ୍ୟରେ ଗୁଟଖା ପାନ ମସଲା ଉପରେ ୧ ବର୍ଷ ପାଇଁ ବ୍ୟାନ୍‌ ଲଗାଇଛନ୍ତି। ଏନେଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି ଖାଦ୍ୟ ସୁରକ୍ଷା କମିସନର।

ତେବେ ବିଜ୍ଞପ୍ତିରେ କୁହାଯାଇଛି ଯେ, ତମାଖୁ ଏବଂ ନିକୋଟିନ୍‌ ବ୍ୟବହାର ହେଉଥିବା ଗୁଟଖା, ପାନ ମସଲାରେ ଆଦିର ଉତ୍ପାଦନ, ଏହାକୁ ଗଚ୍ଛିତ ରଖିବା, ବିତରଣ, ଟ୍ରାନ୍ସପୋର୍ଟ ଏବଂ ବିକ୍ରି ଉପରେ ୧  ବର୍ଷ ଯାଏଁ ବ୍ୟାନ୍‌ ଲଗାଯାଇଛି। ଆଉ ଏହି ନିୟମ ତତ୍କାଳ ପ୍ରଭାବରେ ଲାଗୁ ହୋଇଛି। ଆଉ ଯଦି ଏହି ନିୟମର କେହି ଉଲ୍ଲଘଂନ କରିବାରେ ଜଣାପଡ଼େ ତେବେ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ କୁହାଯାଇଛି।

ଅବଶ୍ୟ ଏବେ ଦେଖିବାକୁ ବାକି ରହିଲା ଏହି ବ୍ୟାନ୍‌ କିଭଳି ଲାଗୁ ହେଉଛି, କାରଣ ପୂର୍ବରୁ ମଧ୍ୟ ଏଭଳି ବ୍ୟାନ୍‌କୁ ସୁପ୍ରିମକୋର୍ଟ ରହିତାଦେଶ ଲଗାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.