ନୂଆଦିଲ୍ଲୀ: ତେଲଙ୍ଗାନା ବିଧାନସଭା ପାଇଁ ଗୁରୁବାର ମତଦାନ ହେବ । ସକାଳ ଛଅଟାରୁ ସଂଧ୍ୟା ୭ଟା ଯାଏ ମତଦାତା ନିଜ ମତାଧିକାର ସାବ୍ୟସ୍ତ କରିବେ । ଆସନ୍ତା ଡିସେମ୍ୱର ୩ରେ ଅନ୍ୟ ଚାରି ରାଜ୍ୟ ସହ ତେଲଙ୍ଗାନା ରେଜଲ୍ଟ ଘୋଷଣା ହେବ । ରାଜ୍ୟରେ ଶାସନରେ ଥିବା ବିଆଇଏସ, କଂଗ୍ରେସ ଓ ବିଜେପି ମଧ୍ୟରେ ତ୍ରିକୋଣୀୟ ମୁକାବିଲା ଅନୁମାନ କରାଯାଉଛି ।
ରାଜ୍ୟର ସମସ୍ତ ୧୧୯ ଆସନରେ ଗୁରୁବାର ଭୋଟିଂ ହେବ । ରାଜ୍ୟର ୩.୧୭ କୋଟି ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିବେ । ରାଜ୍ୟରେ ମୋଟ ୨୨୯୦ ପ୍ରାର୍ଥୀ ନିର୍ବାଚନୀ ମୈଦାନରେ ଅଛନ୍ତି । ଏଥିରେ ୨୨୧ ମହିଳା ଓ ଜଣେ ଟ୍ରାନ୍ସଜେଣ୍ଡର ଅଛନ୍ତି । ଚଳିତ ଥର ୧୦୩ ଜଣ ବିଧାୟକ ପୁଣି ଥରେ ନିର୍ବାଚନୀ ମୈଦାନରେ ନିଜ ଭଗ୍ୟ ପରୀକ୍ଷା କରୁଛନ୍ତି । ଏଥିରୁ ଅଧିକାଂଶ ଶାସକ ବିଆରଏସ ଟିକେଟରୁ ନିର୍ବାଚନ ଲଢୁଛନ୍ତି ।
ପଢନ୍ତୁ: ‘ତେଲଙ୍ଗାନାକୁ ପ୍ରଥମ ଓବିସି ମୁଖ୍ୟମନ୍ତ୍ରୀ ଦେବ ବିଜେପି’, ନିର୍ବାଚନ ରାଲିରେ ପିଏମ୍ ମୋଦୀଙ୍କ ବଡ଼ ଘୋଷଣା
ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଚଳିତ ଥର ଦୁଇଟି ଆସନରୁ ନିର୍ବାଚନ ଲଢୁଛନ୍ତି । ନିଜ ପାରମ୍ପାରିକ ଆସନ ଗାଜୱେଲ ସହ କାମାରେଡ୍ଡି ବିଧାନସଭା ଆସନରୁ ନିର୍ବାଚନୀ ମୈଦାନରେ ଅଛନ୍ତି । ଗାଜୱେଲରେ ତାଙ୍କର ସିଧା ମୁକାବିଲା ବିଜେପି ନେତା ଇ.ରାଜେନ୍ଦ୍ରଙ୍କ ସହ ରହିଛି । ସେହିପରି କାମାରେଡ୍ଡିରେ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ରେଭନ୍ଥ ରେଡ୍ଡିଙ୍କ ସହ ମୁକାବିଲା ହେବ । ସେକିଆରଙ୍କ ବ୍ୟତୀତ ଇ.ରାଜେନ୍ଦ୍ର ଓ ରେଭନ୍ଥ ରେଡ୍ଡି ମଧ୍ୟ ଦୁଇଟି ଲେଖାଏ ଆସନରୁ ନିର୍ବାଚନ ଲଢୁଛନ୍ତି ।
୨୦୧୮ ବିଧାନସଭା ନିର୍ବାଚନରେ ବିଆଇଏସ (ସେତେବେଳ ତେଲଙ୍ଗାନା ରାଷ୍ଟ୍ର ସମିତି) ୧୧୯ ଆସନରୁ ୮୮ରେ ବିଜୟୀ ହୋଇଥିଲା । ବିଆରକୁ ୪୭.୪ ପ୍ରତିଶତ ଭୋଟ ମିଳିଥିଲା । କଂଗ୍ରେସ ୧୯ ଆସନ ସହ ବିରୋଧୀ ଦଳ ଆସନରେ ବସିଥିଲା ।