ଭାଙ୍ଗିଯିବ କି ନୀତିଶ କୁମାରଙ୍କ ସରକାର ? କାର୍ଯ୍ୟକର୍ତ୍ତାଙ୍କୁ ତେଜସ୍ବୀଙ୍କ ଆହ୍ବାନ, କହିଲେ- ମଧ୍ୟବର୍ତ୍ତୀ ନିର୍ବାଚନ ପାଇଁ ପ୍ରସ୍ତୁତ ରୁହ

Published By : Prameya-News7 Bureau | December 21, 2020 IST

ପାଟନା ୨୧/୧୨: ଆରଜେଡି ବିଧାନସଭା ନିର୍ବାଚନ ହାରିବା ପରେ ବି ସରକାର ଗଢ଼ିବାର ନିଶା ଛାଡ଼ିନି। ନିର୍ବାଚନ ପରେ ଦଳର ପ୍ରଥମ ବୈଠକରେ ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ କର୍ମୀମାନଙ୍କୁ କହିଛନ୍ତି ସଜାଗ ରୁହ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହେବ। ଜନତା ମହାମେଣ୍ଟ ସପକ୍ଷରେ ଭୋଟ ଦେଇଛନ୍ତି କିନ୍ତୁ ଯେକୌଣସି ପ୍ରକାରେ କାଟି ଜୁଡ଼ି ସରକାର ଗଠନ ହୋଇଛି। ଏହା ସହ ମକର ସଂକ୍ରାନ୍ତି ପରେ ଧନ୍ୟବାଦ ଯାତ୍ରା ଆରମ୍ଭ କରିବେ ବୋଲି ତେଜସ୍ବୀ ବୈଠକରେ କହିଥିବା ଜଣାପଡ଼ିଛି।

ସମସ୍ତ ପ୍ରାର୍ଥୀ ଓ ଜିଲାଧ୍ୟକ୍ଷଙ୍କୁ ହାରିବାର କାରଣ ପଚରା ଯାଇଛି। ଏବେ ପୂର୍ବ ଭଳି ସ୍ଥିତି ନାହିଁ। ପାର୍ଟିରେ ଅନ୍ତର୍ଘାତ କରୁଥିବା ଲୋକଙ୍କୁ ନିସ୍ତାର ନାହିଁ ବୋଲି ତେଜସ୍ବୀ ଚେତାବନୀ ଦେଇଛନ୍ତି। ରାଜ୍ୟ ମୁଖ୍ୟ ଜଗଦାନନ୍ଦ ସିଂହଙ୍କ ଅଧ୍ୟକ୍ଷତାରେ ପାର୍ଟି କାର୍ଯ୍ୟାଳୟରେ ବସିଥିବା ବୈଠକରେ ତେଜସ୍ବୀ ଯାଦବ କହିଛନ୍ତି, ବିପରୀତ ପରିସ୍ଥିତିରେ ବି ରାଜଦ ବଡ଼ ପାର୍ଟି ଭାବେ ପରିଚୟ ପାଇଛି। ସବୁ ବର୍ଗର ଭୋଟ୍‌ ପାର୍ଟିକୁ ମିଳିଛି। ନିର୍ବାଚନ ଫଳାଫଳ ଆହୁରି ବି ଭଲ ହୋଇଥାନ୍ତା ଯଦି କିଛି ଲୋକ ବିଶ୍ବାସଘାତକତା କରିନଥାନ୍ତେ। ପାର୍ଟିରେ ରହି ବି ମହାମେଣ୍ଟ ସପକ୍ଷରେ କିଛି ଲୋକ କାର୍ଯ୍ୟ କରୁଥିଲେ ବୋଲି ଅଭିଯୋଗ କରିଛନ୍ତି ତେଜସ୍ବୀ।

ଏହା ସହ ଆରଜେଡି ଭାଗରେ ୧୪୪ ସିଟ୍‌ ଥିଲା । ତେଣୁ ଏହାଠୁ ଅଧିକ ସିଟ୍‌ରେ ପ୍ରାର୍ଥୀ ଦେବା ସମ୍ଭବ ନୁହେଁ। କିନ୍ତୁ ଯେଉଁମାନେ ଗଡ଼ବଡ଼ କରିଛନ୍ତି  ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଜିତିଥିବା ଓ ହାରିଥିବା ପ୍ରାର୍ଥୀ ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କ ସହ ସମ୍ପର୍କରେ ରହିବାକୁ କହିଛନ୍ତି ତେଜସ୍ବୀ। ଏହା ସହ ଏବେ ରାଜ୍ୟରେ ଯେଉଁଭଳି ସ୍ଥିତି ଲାଗି ରହିଛି ୨୦୨୧ରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହୋଇପାରେ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.