‘ଇଣ୍ଡିଗୋ ଫ୍ଲାଇଟ୍ର ଜରୁରୀକାଳୀନ ଗେଟ୍ ତେଜସ୍ଵୀ ସୂର୍ଯ୍ୟା ଖୋଲିଛନ୍ତି’, ବିଜେପି ସାଂସଦଙ୍କ ଉପରେ କଂଗ୍ରେସର ସଙ୍ଗୀନ ଅଭିଯୋଗ
17/01/2023 at 8:45 PM

ନୂଆଦିଲ୍ଲୀ: କ’ଣ ବିଜେପି ସାଂସଦ ତେଜସ୍ଵୀ ସୂର୍ଯ୍ୟା ଇଣ୍ଡିଗୋ ବିମାନର ଜରୁରୀକାଳୀନ ଗେଟ୍ ଖୋଲିଥିଲେ ? କଂଗ୍ରେସର ଦାବି ସୂର୍ଯ୍ୟା ହିଁ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଗେଟ୍ ଖୋଲିଥିଲେ। ବରିଷ୍ଠ କଂଗ୍ରେସ ନେତା ରଣଦୀପ ସିଂ ସୁରଜେଓ୍ଵାଲା ମଙ୍ଗଳବାର ଟ୍ଵିଟ୍ କରି ବିଜେପି ନେତା ତେଜସ୍ଵୀଙ୍କ ଉପରେ ଏମିତି ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି। ସେ ଏକ ମିଡିଆ ରିପୋର୍ଟ ଦେଖାଇ କହିଛନ୍ତି, ବିମାନର ଜରୁରୀକାଳୀନ ଗେଟ୍ ଖୋଲିଥିବା ଯାତ୍ରୀ ଆଉ କେହି ନୁହନ୍ତି ବରଂ ବେଙ୍ଗାଲୁରୁ ଦକ୍ଷିଣରୁ ପ୍ରଥମ ଥର ସାଂସଦ ହୋଇଥିବା ତେଜସ୍ଵୀ ସୂର୍ଯ୍ୟା।
ବିଜେପିକୁ ସାହାସ କରିବାର ପ୍ରଶ୍ନ କେମିତି ହେଲା ?

ମାମଲାକୁ ନେଇ କଂଗ୍ରେସ ନେତା ରଣଦୀପ ସୁରଜେଓ୍ଵାଲା ଟ୍ଵିଟ୍ ଜରିଆରେ ଅନେକ ପ୍ରଶ୍ନ କରିଛନ୍ତି। ସେ ଆକ୍ଷେପ କରି କହିଛନ୍ତି ‘ଏହା ବିଜେପିର ଭିଆଇପି ବାଟ୍ସ ! ଅଭିଯୋଗ କରିବାକୁ ଏୟାରଲାଇନ୍ର ସାହାସ କେମିତି ହେଲା ? କଣ ଏହା କ୍ଷମତାସୀନ ବିଜେପିର ଏଲିଟ୍ କ୍ଲାସର ଆଦର୍ଶ ? କଣ ଏଥିରେ ଯାତ୍ରୀଙ୍କ ସୁରକ୍ଷା ପ୍ରତି ସାଲିସ୍ କରାଯାଇ ନାହିଁ ? ଓହ ! ଆପଣ ବିଜେପିର ଭିଆଇପି ବିଷୟରେ ପ୍ରଶ୍ନ କରି ପାରିବେ ନାହିଁ !’
ପ୍ରତିକ୍ରିୟା ଦେଇ ନାହାନ୍ତି ତେଜସ୍ଵୀ ସୂର୍ଯ୍ୟା

ତେଜସ୍ଵୀ ସୂର୍ଯ୍ୟାଙ୍କ ପକ୍ଷରୁ ଏହି ମାମଲାକୁ ନେଇ ଅଦ୍ୟାବଧି କୌଣସି ପ୍ରତିକ୍ରିୟା ଆସିନାହିଁ। ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ଡିଏମକେର ଜଣେ ମୁଖପାତ୍ର କହିଛନ୍ତି, ତାମିଲନାଡୁ ବିଜେପିର ରାଜ୍ୟ ସଭାପତି ଅନ୍ନାମଲାଇ ଏବଂ କର୍ଣ୍ଣାଟକର ଜଣେ ସାଂସଦ ଉକ୍ତ ବିମାନରେ ଯାତ୍ରା କରୁଥିଲେ। ଡିଏମକେ ମୁଖପାତ୍ର କହିଛନ୍ତି, ଘଟଣା ପରେ ଦୁଇ ବିଜେପି ନେତାଙ୍କୁ ଓହ୍ଲାଇ ଦିଆଯାଇଥିଲା ଏବଂ ବସ୍ ଭିତରେ ୩୦ ମିନିଟ୍ରୁ ଅଧିକ ସମୟ ଅପେକ୍ଷା କରିବାକୁ କୁହାଯାଇଥିଲା।
ସୁରକ୍ଷା ସହ କୌଣସି ପ୍ରକାରର ସାଲିସ୍ କରାଯାଇ ନାହିଁ- ଡିଜିସିଏ

ଅନ୍ୟପକ୍ଷେ ବିମାନ କମ୍ପାନିର କହିବା କଥା ଯାତ୍ରୀ ଗତ ମାସରେ ଚେନ୍ନାଇରେ ବିମାନରେ ବସିବା ପରେ ଭୁଲ୍ବଶତଃ ଜରୁରୀକାଳୀନ କବାଟ ଖୋଲି ଦେଇଥିଲେ। ସେହି ସମୟରେ ବିମାନ ଏୟାରପୋର୍ଟରେ ଥିଲା ଏବଂ ତିରୁଚିରାପଲ୍ଲୀ ପାଇଁ ଉଡାଣ ଭରିବା ପୂର୍ବରୁ ଇଞ୍ଜିନିୟରିଂ ଯାଞ୍ଚ କରାଯାଇଥିଲା। ବେସାମରିକ ବିମାନ ପ୍ରାଧିକରଣ ମହାନିର୍ଦ୍ଦେଶାଳୟ(ଡିଜିସିଏ)ର ବରିଷ୍ଠ ଅଧିକାରୀ କହିଛନ୍ତି, ଏହି ମାମଲାରେ ସୁରକ୍ଷା ସହ କୌଣସି ପ୍ରକାରର ସାଲିସ୍ କରାଯାଇ ନାହିଁ।
ବିବୃତି ଜାରି କଲା ଇଣ୍ଡିଗୋ

ଇଣ୍ଡିଗୋ ବିବୃତି ଜାରି କରି କହିଛି, ଯାତ୍ରୀ ୨୦୨୨ ଡିସେମ୍ବର ୧୦ରେ ଫ୍ଲାଇଟ୍ ସଂଖ୍ୟା ୬ଇ-୭୩୩୯ରେ ଚେନ୍ନାଇରୁ ତିରୁଚିରାପଲ୍ଲୀ ଯାତ୍ରା କରୁଥିଲେ। ଏ ଘଟଣାରେ ଯାତ୍ରୀ ତୁରନ୍ତ କ୍ଷମା ମାଗିଥିଲେ। ବିମାନର ବାଧ୍ୟତାମୂଳକ ଇଞ୍ଜିନିୟରିଂ ଯାଞ୍ଚ କରାଯାଇଛି, ଯେଉଁ କାରଣରୁ ବିମାନ ଉଡାଣରେ ବିଳମ୍ବ ଘଟିଛି।