ତେଜସ୍ୱୀ ଜାରି କଲେ RJDର ନିର୍ବାଚନ ଇସ୍ତାହାର, ଜାଣନ୍ତୁ କ’ଣ ରହିଛି ପ୍ରତିଶ୍ରୁତି?

Published By : Prameya-News7 Bureau | April 13, 2024 IST

ପାଟନା ୧୩।୪:  ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଶନିବାର ସକାଳେ ଦଳର ନିର୍ବାଚନ ଇସ୍ତାହାର ଜାରି କରିଛି। ବିଧାନସଭାରେ ବିରୋଧୀ ଦଳ ନେତା ତଥା ଆରଜେଡି ମୁଖିଆ ତେଜସ୍ୱୀ ଯାଦବ ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ ଇସ୍ତାହାର ଜାରି କରିଥିବା ବେଳେ ଏହାକୁ  ‘ପରିବର୍ତ୍ତନ ପତ୍ର’ ନାମ ଦେଇଛନ୍ତି। ନିର୍ବାଚନ ଇସ୍ତାହାର ଜାରି ଅବସରରେ ତେଜସ୍ୱୀଙ୍କ ସହିତ ଜଗଦାନନ୍ଦ ସିଂହ, ଅବଦୁଲ ବାରୀ ସିଦ୍ଦକୀଙ୍କ ସମେତ ଆରଜେଡିର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ।

ପରିବର୍ତ୍ତନ ପତ୍ରରେ ଆରଜେଡି ମୋଟ ୨୪ଟି ନିର୍ବାଚନ ପ୍ରତିଶ୍ରୁତି ଦେଇଛି। ଏଥିରେ ୧ କୋଟି ନିଯୁକ୍ତିରୁ ଆରମ୍ଭ କରି ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଦେବାକୁ ପ୍ରତିଶ୍ରୁତି ମଧ୍ୟ ରହିଛି। ତେଜସ୍ୱୀ କହିଛନ୍ତି ଯେ ଯଦି ଆମେ ପୁଣି ଥରେ ସରକାର ଗଢୁ ତେବେ ବେକାର ଯୁବକ ଯୁବତୀଙ୍କୁ ୧ କୋଟି ନିଯୁକ୍ତି ଦେବୁ। ତେଜସ୍ୱୀ କହିଛନ୍ତି ଯେ ଯଦି ରାଜ୍ୟରେ ସରକାର ହୁଏ ତେବେ ଅଗଷ୍ଟ ୧୫ ତାରିଖରୁ ଲୋକଙ୍କୁ ବେକାରୀରୁ ମୁକ୍ତି ମିଳିବା ଆରମ୍ଭ ହୋଇଯିବ। ସେହିପରି ରକ୍ଷାବନ୍ଧନ ଅବସରରେ ମହିଳାଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ। ଏହା ଛଡା ରାଜ୍ୟରେ ଲୋକଙ୍କୁ ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ମିଳିବ ବୋଲି ମଧ୍ୟ ତେଜସ୍ୱୀ କହିଛନ୍ତି।  

ସେହିପରି ଯଦି ଆରଜେଡିର ସରକାର ହୁଏ ତେବେ ବିହାରକୁ ଯଥାଶୀଘ୍ର ବିଶେଷ ରାଜ୍ୟର ମାନ୍ୟତା ମିଳିବ। ତେଜସ୍ୱୀ କହିଛନ୍ତି ଯେ ବିହାରର ବିକାଶ ବିନା ଦେଶର ବିକାଶ ଅସମ୍ଭବ । ଏଣୁ କେନ୍ଦ୍ରରେ ଇଣ୍ଡିଆ ମେଣ୍ଟ ସରକାର ହେଲେ ବିହାରକୁ ୧.୬୦ ଲକ୍ଷ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ମିଳିବ। ଯାହା ଦ୍ୱାରା ପ୍ରତ୍ୟେକ ଲୋକସଭା ନିର୍ବାଚନମଣ୍ଡଳିକୁ ବିକାଶ ନିମନ୍ତେ ୪୦୦୦ କୋଟି ଟଙ୍କା ମିଳିପାରିବ। ସେହିପରି କେନ୍ଦ୍ରରେ ଇଣ୍ଡିଆ ମେଣ୍ଟ ସରକାର ହେଲେ ଅଗ୍ନିବୀର ଯୋଜନା ପ୍ରତ୍ୟାହାର କରାଯିବା ସହ ଅର୍ଦ୍ଧ ସୈନିକ ବଳର ଜବାନ  ଡ୍ୟୁଟିରେ ପ୍ରାଣ ହରାଇଲେ ଶହଦିର ମାନ୍ୟତା ପାଇବେ ବୋଲି କହିଛନ୍ତି। 

ପରିବର୍ତ୍ତନ ପତ୍ରରେ ତେଜସ୍ୱୀ ବିହାରରେ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ମାଗଣା ଦିଆଯିବ ବୋଲି ଘୋଷଣା କରିଛନ୍ତି। ଫଳରେ ଗରିବ ଲୋକଙ୍କୁ ବିଦ୍ୟୁତ ବିଲରୁ ଆଶ୍ୱସ୍ତି ମିଳିବ ବୋଲି ତେଜସ୍ୱୀ କହିଛନ୍ତି। ସେହିପରି କୃଷକଙ୍କ ପାଇଁ ମଧ୍ୟ ଏଥିରେ ପ୍ରତିଶ୍ରୁତି ରହିଛି। ବିହାରର କୃଷି ଉତ୍ପାଦ ନିମନ୍ତେ ଅଧିକତମ ଖୁଚୁରା ମୂଲ୍ୟ ନିର୍ଦ୍ଧାରଣ କରାଯିବା ସହ ଚାଷୀଙ୍କ ନିମନ୍ତେ ସମର୍ପିତ ନୀତି ଚାଷୀଙ୍କ ସହ ବସି ଧାର୍ଯ୍ୟ  କରାଯିବ ବୋଲି କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.