IRCTC ଅନିୟମିତତା ମାମଲା, ତେଜସ୍ୱୀଙ୍କୁ ରାଉଜ ଏଭେନ୍ୟୁ କୋର୍ଟଙ୍କ ଆଶ୍ୱସ୍ତି, କହିଲେ- ଜାମିନ ରଦ୍ଦ କରୁନୁ, ଆଗକୁ ରହିବେ ସତର୍କ

Published By : Prameya-News7 Bureau | October 18, 2022 IST

ନୂଆଦିଲ୍ଲୀ ୧୮।୧୦: ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଆଇଆରସିଟିସି ଅନିୟମିତତା ମାମଲାରେ ବଡ଼ ଆଶ୍ୱସ୍ତି ମିଳିଛି। ଦିଲ୍ଲୀ ରାଉଜ ଏଭେନ୍ୟୁ କୋର୍ଟ ଜାମିନ ଖାରଜ ନିମନ୍ତେ ସିବିଆଇଙ୍କ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି, ତେବେ କୋର୍ଟ ଏପରି ବୟାନବାଜିରୁ ବର୍ତ୍ତିବା ଲାଗି ତେଜସ୍ୱୀଙ୍କୁ ସତର୍କ କରାଇ ଦେଇଛନ୍ତି। ଜଣେ ଉପମୁଖ୍ୟମନ୍ତ୍ରୀଙ୍କୁ ଏପରି ବୟାନବାଜୀ ସୋଭା ପାଏ କି ବୋଲି କୋର୍ଟ ଓଲଟି ତେଜସ୍ୱୀଙ୍କୁ ପ୍ରଶ୍ନ କରିଛନ୍ତି।

ଉଲ୍ଲେଖ ଯୋଗ୍ୟଯେ ତେଜସ୍ୱୀ ଯାଦବ ଆଇଆରସିଟିସି ଅନିୟମିତତା ମାମଲାରେ ଏବେ ଜାମିନରେ ଅଛନ୍ତି। ତେବେ ନିକଟରେ ସିବିଆଇ ତାଙ୍କ ଜାମିନ ଖାରଜ କରିବା ପାଇଁ କୋର୍ଟଙ୍କୁ ଆବେଦନ କରିଥିଲେ। ଏଥିରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ନୋଟିସ ଜାରି କରି ତେଜସ୍ୱୀଙ୍କୁ ହାଜର ହେବାକୁ କହିଥିଲେ। ନୋଟିସ ଅନୁସାରେ ତେଜସ୍ୱୀ ମଙ୍ଗଳବାର ରାଉଜ ଏଭେନ୍ୟୁ କୋର୍ଟରେ ହାଜର ହୋଇଥିବା ବେଳେ ସିବିଆଇର ଅଭିଯୋଗ ଆଧାରରେ ନିଜର ଦଲିଲ ଉପସ୍ଥାପନ କରିଥିଲେ।

{"id":697271,"sizeSlug":"full","linkDestination":"none"}

କୋର୍ଟରେ ସିବିଆଇ ତେଜସ୍ୱୀଙ୍କ ଜାମିନ ରଦ୍ଦ କରିବାକୁ ନିବେଦନ କରିଥିଲେ। ଆଇଆରସିଟିସି ଦୁର୍ନୀତିରେ ନିଜେ ତେଜସ୍ୱୀ ଜଣେ ଅଭିଯୁକ୍ତ ଓ ସେ ଏବେ ଜାମିନରେ ଅଛନ୍ତି ବୋଲି ସିବିଆଇ କହିଥିଲେ। ତେବେ ନିକଟରେ ତେଜସ୍ୱୀ ଏକ ସାମ୍ବାଦିକ ସମ୍ମିଳନୀ କରି ମାମଲାକୁ ପ୍ରଭାବିତ କରିବା ପାଇଁ ସିବିଆଇ ଅଧିକାରୀମାନଙ୍କୁ  ଧମକାଇଥିଲେ ବୋଲି ଅଭିଯୋଗ କରାଯାଇଥିଲା। କେବଳ ଏତିକି ନୁହେଁ ଏହି ମାମଲାରେ ସାକ୍ଷମାନଙ୍କୁ ମଧ୍ୟ ଧମକ ଦିଆଯାଉଥିବା ସିବିଆଇ କୋର୍ଟଙ୍କୁ କହିଥିଲେ।

ତେବେ ତେଜସ୍ୱୀଙ୍କ ପକ୍ଷରୁ ତାଙ୍କ ଛବି ଖରାପ କରାଯାଉଥିବାର କୋର୍ଟକୁ କୁହାଯାଇଛି। ଯଦି ମୁଁ ଧମକ ଦେଇଥିବାର ସିବିଆଇ ଅଧିକାରୀଙ୍କୁ ଲାଗୁଛି ତେବେ ମୋ ବିରୋଧରେ ଆଇପିସିର ଧାରା ୫୦୬ରେ ଏତଲା ରୁଜୁ କଲେନି କାହିଁକି ବୋଲି ପ୍ରଶ୍ନ କରିଛନ୍ତି। ତେଜସ୍ୱୀଙ୍କ ଓକିଲ କୋର୍ଟଙ୍କୁ କହିଛନ୍ତି ଯେ ୨୪ ଅଗଷ୍ଟ ୨୦୨୨ରେ ବିହାର ବିଧାନସଭାରେ ବିଶ୍ୱାସ ପ୍ରସ୍ତାବ ଆଗତ ହେଉଥିବା ଦିନ ସିବିଆଇ ବିହାରର ୨୦ଟି ସ୍ଥାନରେ ଚଢଉ କରିଥିଲା। ଏହି ଚଢଉରେ ରାବିଡି ନିବାସକୁ ସିବିଆଇ ଯାଇଥିବା ବେଳେ ଲୋକେ ଅଟକାଇବାରୁ ମା ଓ ଭାଇଙ୍କୁ ବାହାରକୁ ଆସି ଲୋକଙ୍କ ଭିଡରୁ ସିବିଆଇ ଅଧିକାରୀଙ୍କୁ କାଢିବା ପାଇଁ ବୁଝା ସୁଝା କରିବା ସହ ମାରପିଟ କରିବାକୁ ପଡିଥିଲା ବୋଲି କହିଥିଲେ। କାରଣ ସିବିଆଇ ଆମ ବିରୋଧରେ ଆରୋପ ଲଗାଉଥିଲା ବୋଲି ଆମକୁ ଲୋକଙ୍କୁ ବୁଝାଇବାକୁ ପଡିଥିଲା ବୋଲି ତେଜସ୍ୱୀ କହିଥିଲେ।

ତେବେ ସମାଲୋଚନା କରିବା ଓ ଧମକ ଦେବା ଦୁଇଟି ଭିନ୍ନ କଥା। ଏଣୁ ଯଦି ସିବିଆଇକୁ ଧମକାଇଥିଲି ତେବେ ସିବିଆଇ ଖୋଲା ବଜାରରେ ଛବି ଖରାପ କରିବା ପାଇଁ ଏତେ କଥା କରିପାରୁଥିବା ବେଳେ ପୋଲିସରେ ଏତଲାଟିଏ କରିପାରିଲାନି କାହିଁକି ବୋଲି ତେଜସ୍ୱୀଙ୍କ ଓକିଲ ପ୍ରଶ୍ନ କରିଥିଲେ। କାରଣ ତେଜସ୍ୱୀ ଯେଉଁ ରାଜନୈତିକ ଦଳକୁ ସରକାର ଗଢିବା ପାଇଁ ସମର୍ଥନ ଦେଉଥିଲେ ସେହି ରାଜନୈତିକ ଦଳ ଦିନକ ପୂର୍ବରୁ ରାଜ୍ୟରେ ବିଜେପି ସହ ଚଳାଇଥିବା ସରକାର ଭାଙ୍ଗିଥିଲା ବୋଲି କହିଥିଲେ। ତେବେ ଜଣେ ଦାୟିତ୍ୱବାନ ଉପମୁଖ୍ୟମନ୍ତ୍ରୀ ଭାବେ ଏପରି ବୟାନବାଜି କରାଯିବା ଉଚିତ କି ବୋଲି କୋର୍ଟ ପ୍ରଶ୍ନ କରିଥିବା ବେଳେ ଆଗକୁ ଯେପରି ନ କରନ୍ତି ସେଥିପ୍ରତି ସତର୍କ ରହିବାକୁ କହିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.