ତେଜ ପ୍ରତାପଙ୍କ ବିବାହ ବିଚ୍ଛେଦ ପ୍ରସଂଗରେ ମୁହଁ ଖୋଲିଲେ ଭିଣୋଇ, କହିଲେ ସାମାନ୍ୟ ମନୋମାଳିନ୍ୟ, ସବୁ ଠିକ ହୋଇଯିବ

Published By : Prameya-News7 Bureau | November 10, 2018 IST

ପାଟଣା ୧୦/୧୧ : ଲାଲୁ ପ୍ରସାଦ ଯାଦବଙ୍କ ବଡପୁଅ ତେଜ ପ୍ରତାପ ଯାଦବ ଏବଂ ପତ୍ନୀ ଐଶ୍ୱର୍ଯ୍ୟାଙ୍କ ବିବାହ ବିଚ୍ଛେଦକୁ ନେଇ ପ୍ରତିଦିନ ନୂଆ ନୂଆ କଥା ଶୁଣିବାକୁ ମିଳୁଛି | ଶଳାର ବିବାହ ବିଚ୍ଛେଦ ଆବେଦନ ଉପରେ ଆଜି ମୁହଁ ଖୋଲିଛନ୍ତି ଭିଣୋଇ | ତେଜ ପ୍ରତାପଙ୍କ ଭିଣୋଇ ତଥା କଂଗ୍ରେସ ରାଷ୍ଟ୍ରୀୟ ସଚିବ ଚିରଞ୍ଜୀବ ରାଓ ଆଜି ତାଙ୍କ ମତାମତ ରଖିଛନ୍ତି | ଶୁକ୍ରବାର ମଡେଲ ଟାଉନ ସ୍ଥିତ ନିଜ ବାସଭବନରେ ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ତେଜ ପ୍ରତାପ ଏବଂ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ସାମାନ୍ୟ ମନୋମାଳିନ୍ୟ ଘଟିଛି | ସାମାନ୍ୟ ଘଟଣାକୁ ନେଇ ମିଡ଼ିଆ ବେଶି ଉସୁକାଉଛିଛି ବୋଲି ସେ କହିଥିଲେ | ଦୁଇଦିନ ମଧ୍ୟପ୍ରଦେଶରେ ରହି ତେଜ ପ୍ରତାପ ନିଜ ଶାଶୂଘରକୁ ଯାଇ ପରିବାର ଲୋକଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିବେ ବୋଲି ସେ କହିଥିଲେ | ସୂଚନାଯୋଗ୍ୟ ଯେ, ହରିୟାଣାର ପୂର୍ବତ୍ତନ ଅର୍ଥମନ୍ତ୍ରୀ କ୍ୟାପଟେନ ଅଜୟ ସିଂହ ଯାଦବଙ୍କ ପୁଅ ଚିରଞ୍ଜୀବ୍‌ ଯାଦବ ହେଉଛନ୍ତି  ଲାଲୁ ପ୍ରସାଦ ଯାଦବଙ୍କ ଝିଅ ଅନୁଷ୍କା ଯାଦବଙ୍କ ସ୍ବାମୀ | ଚିରଞ୍ଜୀବ୍‌ କହିଛନ୍ତି ଯେ, ତାଙ୍କ ଶଳା ତେଜ ପ୍ରତାପ ଧାର୍ମିକ ପ୍ରକୃତିର | ସେ ବହୁତ ପୂଜାପାଠ କରନ୍ତି | ପାରିବାରିକ ଅଶାନ୍ତି ଯୋଗୁଁ ସେ ବିଭିନ୍ନ ମନ୍ଦିର ଯାଇ ପୂଜାପାଠ କରିବାରେ ବ୍ୟସ୍ତ ଅଛନ୍ତି | ସେ ତେଜ ପ୍ରତାପଙ୍କ ସହ କଥାବାର୍ତ୍ତା କରିଛନ୍ତି ଏବଂ ସମସ୍ତ ସମସ୍ୟାର ସମାଧାନ ଅତି ଶୀଘ୍ର ହୋଇଯିବ | ତେଜ ପ୍ରତାପ ଏବଂ ଐଶ୍ୱର୍ଯ୍ୟାଙ୍କ ବିବାହକୁ ମାତ୍ର ୬ମାସ ହୋଇଛି | ଉଭୟେ ପରସ୍ପରକୁ ବୁଝିବାକୁ  ଟିକେ ସମୟ ଲାଗିବ ଏବଂ କିଛି ଦିନ ପରେ ସବୁ ଠିକ ହେଇଯିବ ବୋଲି ଚିରଞ୍ଜୀବ ବିଶ୍ୱାସର ସହ କହିଛନ୍ତି | ସୂଚନାଯୋଗ୍ୟ ଯେ, ତେଜ ପ୍ରତାପଙ୍କ ବିବାହର ଦୁଇ ସପ୍ତାହ ପର୍ଯ୍ୟନ୍ତ ସବୁ ଠିକ ଥିଲା | ଜୁନ ମାସରୁ ଉଭୟଙ୍କ ମଧ୍ୟରେ ମନମାଳିନ୍ୟ ଦେଖାଦେଇଥିଲା | ବିବାହ ପରେ ଉଭୟଙ୍କ ମଧ୍ୟରେ ମଧୁର ସମ୍ପର୍କ ଥିବା ସୋସିଆଲ ମିଡ଼ିଆରେ ପୋଷ୍ଟ ହୋଇଥିବା ଫଟୋଗୁଡିକରୁ ଦେଖିବାକୁ ମିଳିଥିଲା |ତେଜପ୍ରତାପ କେତେବେଳେ ପତ୍ନୀକୁ ସାଇକଲରେ ବସେଇ ଫଟୋ ପୋଷ୍ଟ କରିଥିଲେ ତ କେତେବେଳେ ଘୋଡାରେ ବସେଇ | କୋର୍ଟରେ ଆବେଦନ ପରେ ସେ ଏହି ସବୁ ସ୍ମୃତିକୁ ଭୁଲେଇବାକୁ ଚେଷ୍ଟା କରିଛନ୍ତି | ପ୍ରଥମ ସାକ୍ଷାତଠାରୁ ଆରମ୍ଭ କରି ଉଭୟଙ୍କ ସମସ୍ତ ଫଟୋ ସେ ନିଜ ଫେସବୁକ ଆକାଉଣ୍ଟରୁ ଡିଲିଟ କରିଦେଇଛନ୍ତି | ବିବାହ ସମୟର ସମସ୍ତ ଫଟୋ ମଧ୍ୟ ସେ ନିଜ ଫେସବୁକ ଆକାଉଣ୍ଟରେ ଅପଲୋଡ଼ କରିଥିଲେ | କିନ୍ତୁ ଏବେ ସେଗୁଡିକ ଆଉ ଦେଖିବାକୁ ମିଳୁନାହିଁ | ଐଶ୍ୱର୍ଯ୍ୟାଙ୍କ ସହ ମନମାଳିନ୍ୟ ପରେ ସେ ନିଜ ଫେସବୁକ ଆକାଉଣ୍ଟରେ ଦୁଇ ଧାଡିର ଏକ କବିତା ମଧ୍ୟ ସେ ପୋଷ୍ଟ କରିଥିଲେ | ଏଥିରେ ସେ ଲେଖିଥିଲେ' ଜବ୍‌ ଇଷ୍କ ଔର କ୍ରାନ୍ତି କା ଅଂଜାମ ଏକ ହି ହୈ,  ତୋ ରାଁଝା ବନ୍‌ନେସେ ସେ ଅଚ୍ଛା ହୈ ଭଗତ ସିଂହ ବନଜାନା" |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.