ପାଟଣା ୯/୧୧ : ଲାଲୁ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ଏବଂ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କ ବିବାହ ବିଚ୍ଛେଦକୁ ନେଇ ପ୍ରତିଦିନ କିଛି ନା କିଛି ନୂଆ ଖବର ସାମ୍ନାକୁ ଆସୁଛି | ଆଜି ତେଜ ପ୍ରତାପ ଏକ ବଡ ଗପନ ତଥ୍ୟ ପ୍ରକାଶ କରିଛନ୍ତି | ସେ କହିଛନ୍ତି ଯେ, ଐଶ୍ୱର୍ଯ୍ୟାଙ୍କ ମା ଅର୍ଥାତ ତାଙ୍କ ଶାଶୁ ହିଁ ତାଙ୍କୁ ଐଶ୍ବର୍ଯ୍ୟାଙ୍କଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ | ଗଣାମଧ୍ୟମକୁ ସେ କହିଛନ୍ତି ଯେ, ସ୍ୱାମୀ - ସ୍ତ୍ରୀ ଭିତରେ ସମ୍ପର୍କ ଛିନ୍ନ କରିବାରେ ଐଶ୍ୱର୍ଯ୍ୟାଙ୍କ ମାଙ୍କର ବଡ ଭୂମିକା ରହିଛି |
ତେଜ ପ୍ରତାପ ନିଜ ସାନ ଭାଇ ତେଜସ୍ୱି ପ୍ରତାପଙ୍କୁ ବହୁତ ଭଲପାଆନ୍ତି ବୋଲି କହିଥିଲେ | ସେ ତାଙ୍କ ପାଇଁ ଅର୍ଜୁନ ସଦୃଶ ବୋଲି ସେ କହିଛନ୍ତି | ତେବେ ପରିବାରରେ ବିଘ୍ନ ସୃଷ୍ଟି କରିବାପାଇଁ ତାଙ୍କ ଶାଶୁ ତଥା ଐଶ୍ବର୍ଯ୍ୟାଙ୍କ ମା ଷଡଯନ୍ତ୍ର କରିଥିଲେ ବୋଲି ସେ କହିଛନ୍ତି | ତାଙ୍କଠାରୁ ତେଜସ୍ୱି ପ୍ରତାପଙ୍କୁ ଅଲଗା କରିବା ପାଇଁ ଏଭଳି ଚକ୍ରାନ୍ତ ହୋଇଥିବା ସେ କହିଛନ୍ତି | ଏହି ସବୁ କଥାରେ ଅତିଷ୍ଟ ଏବଂ ଆଘାତ ପାଇ ସେ ବିବାହ ବିଚ୍ଛେଦ ଭଳି ପଦକ୍ଷେପ ନେଇଥିବା କହିଛନ୍ତି |

କୋର୍ଟରେ ତେଜ ପ୍ରତାପ କରିଥିବା ଆବେଦନରେ ଦର୍ଶାଇଛନ୍ତି ଯେ, ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ଦୁଇ ଭାଇଙ୍କ ମଧ୍ୟରେ ଝଡ ସୃଷ୍ଟି କରିବାକୁ ଚାହୁଁଛନ୍ତି | ୨୦୧୮ ମସିହା ମେ ୧୨ ତାରିଖରେ ତେଜ ପ୍ରତାପଙ୍କ ବାହାଘର ଐଶ୍ୱର୍ଯ୍ୟାଙ୍କ ସହ ହୋଇଥିଲା | ତେବେ ମେ ୧୨ ତାରିଖ ଠାରୁ ସେପ୍ଟେମ୍ବର ୧ ତାରିଖ ଯାଏଁ ଉଭୟଙ୍କ ମଧ୍ୟରେ ଯାହାସବୁ ଘଟିଛି ସେସବୁ ତେଜ ପ୍ରତାପ ନିଜ ଆବେଦନରେ ଲେଖିଛନ୍ତି |
ଜୁନ ୨ତାରିଖରେ ଐଶ୍ୱର୍ଯ୍ୟା ତେଜ ପ୍ରତାପଙ୍କୁ କଟାକ୍ଷ କରି କହିଥିଲେ ତମର ଏଠାରେ ସମସ୍ତେ ମୂର୍ଖ, ଗାଉଁଳି | ଜୁନ ୯ ଏବଂ ୧୧ ତାରିଖରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା | ରାଗିଯାଇ ଉଭୟ ମୁହଁକୁ ପାଣି ଫୋପାଡ଼ିଥିଲେ | ଉଭୟଙ୍କ ମଧ୍ୟରେ ସବୁବେଳେ ଝଗଡା ହେଉଥିବା ତେଜ ପ୍ରତାପ କହିଛନ୍ତି |
ଆହୁରି ମଧ୍ୟ ତେଜ ପ୍ରତାପ କହିଛନ୍ତି ଯେ, ଐଶ୍ୱର୍ଯ୍ୟା ନିଜ ବାପା ଚନ୍ଦ୍ରିକା ରାୟଙ୍କୁ ଛପରା ଲୋକସଭା ଆସନରୁ ଟିକେଟ ଦେବା ପାଇଁ ତାଙ୍କ ଉପରେ ସବୁବେଳେ ଚାପ ପକାଉଥିଲେ | ଐଶ୍ବର୍ଯ୍ୟା ତାଙ୍କୁ ଅନେକଥର ଆଇନର ଧମକ ମଧ୍ୟ ଦେଇଥିବା ତେଜ ପ୍ରତାପ ନିଜ ଆବେଦନରେ ଦର୍ଶାଇଛନ୍ତି | ଏନେଇ ତେଜ ପ୍ରତାପଙ୍କ ଭଉଣୀ ମଧ୍ୟ ଐଶ୍ୱର୍ଯ୍ୟାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ | କିନ୍ତୁ ଐଶ୍ୱର୍ଯ୍ୟା ତାଙ୍କୁ ଖରାପ ବ୍ୟବହାର ଦେଖାଇ କହିଥିଲେ ଯେ, "ମତେ ବୁଝେଇବା ପାଇଁ ତମେ କିଏ"?
ସୂଚନାଯୋଗ୍ୟ ଯେ, ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ବିବାହର ୫ମାସ ପରେ ହିଁ ସ୍ତ୍ରୀଠୁ ବିବାହ ବିଚ୍ଛେଦ ପାଇଁ ସିଭିଲ କୋର୍ଟରେ ଆବେଦନ କରିଛନ୍ତି | ଏହି ମାମଲାର ଶୁଣାଣି ଆସନ୍ତା ନଭେମ୍ବର ୨୯ ତାରିଖରେ ହେବ |